ମୁମ୍ବାଇ ହୋର୍ଡିଂ ଖସିପଡିବା ମାମଲା: ଅଭିଯୁକ୍ତ ଆଡଭର୍ଟାଇଜିଂ ଏଜେନ୍ସୀ ମାଲିକ ଫେରାର, ଫୋନ ବି ସ୍ୱିଚ୍ ଅଫ, ତଲାସ ଜାରି

Published By : Prameya-News7 Bureau | May 14, 2024 IST

ମୁମ୍ବାଇ ୧୪।୫: ମହାରାଷ୍ଟ୍ର ମୁମ୍ବାଇର ଘଟକୋପର ଅଞ୍ଚଳରେ ହୋଇଥିବା ହୋର୍ଡିଂ ଦୁର୍ଘଟଣା ମାମଲାର ମୃତ୍ୟୁ ସଂଖ୍ୟା ମଙ୍ଗଳବାର ୧୪କୁ ପହଞ୍ଚିଛି। ଆଉଜଣେ ଆହତଙ୍କ ଅବସ୍ଥା ସଂକଟାପନ୍ନ ରହିଛି, ଏଣୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି। ଏହି ଦୁର୍ଘଟଣାରେ ଆହତ ୭୦ରୁ ଅଧିକ ଲୋକଙ୍କ ଚିକିତ୍ସା ଜାରି ରହିଛି। ସେପଟେ ପନ୍ତନଗର ପୋଲିସ ମାମଲାରେ କାର୍ଯ୍ୟାନୁଷ୍ଠାନ କରି ହୋର୍ଡିଂ ଲଗାଇଥିଲା କମ୍ପାନୀ ‘ଏଗୋ ମିଡିଆ’ର ମାଲିକ ଭାବେଶ ଭିଡେଙ୍କୁ ଖୋଜୁଛି। 


ପୋଲିସ ଭାବେଶଙ୍କ ବିରୋଧରେ ଏଫଆଇଆର ରୁଜୁ କରିଥିବା ବେଳେ ସେ ଫେରାର ହୋଇଯାଇଛନ୍ତି। ତାଙ୍କ ଫୋନ ମଧ୍ୟ ସ୍ୱିଚ୍ ଅଫ ରହିଛି। ଏଣୁ ମୁମ୍ବାଇ ପୋଲିସ ତାଙ୍କ ବିରୋଧରେ ତଲାସ ଅଭିଯାନ ଆରମ୍ଭ କରିଛି। ଭାବେଶଙ୍କ ଗିରଫ ନିମନ୍ତେ ପୋଲିସ ଟିମ୍‌ ଗଠନ କରିଛି। ପୋଲିସ ଭାବେଶଙ୍କ ବିରୋଧରେ ଆଇପିସିର ଧାରା ୩୦୪,୩୩୮ ଓ ୩୩୭ରେ ମୋକଦ୍ଦମା ରୁଜୁ କରିଛି। ପୋଲିସର ପ୍ରାରମ୍ଭିକ ତଦନ୍ତରେ ଏତେ ବିଶାଳ ହୋର୍ଡିଂ ଲଗାଇବା ନିମନ୍ତେ ଏଗୋ ମିଡିଆ ମହାନଗର ନିଗମରୁ ପରମିସନ ନେଇ ନଥିଲା ବୋଲି ଜଣାପଡିଛି। 


ଏହି ହୋର୍ଡିଂ ଅବୈଧ ରୂପେ ଲଗାଯାଇଥିବା ବେଳେ ଏବେ ୧୪ ଜଣଙ୍କ ମୃତ୍ୟୁର କାରଣ ପାଲଟିଛି। ଏଣୁ ନଗର ନିଗମ ପକ୍ଷରୁ ମଧ୍ୟ ଏଗୋ ମିଡିଆ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ସେପଟେ ମୁମ୍ବାଇ ଘଟକୋପର ଅଞ୍ଚଳରେ ଘଟିଥିବା ଏହି ଦୁର୍ଘଟଣାକୁ ନେଇ ଏନଡିଆରଏଫ ମଧ୍ୟ ବୟାନ ଜାରି କରିଛି। ଏନଡିଆରଏଫ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ନିଖିଲ ମୁଦହୋଲକର ସର୍ଚ୍ଚ ଅପରେସନ ସରିଥିବା ଘୋଷଣା କରିଛନ୍ତି। ଏହି ହୋର୍ଡିଂ ତଳୁ ଏନଡିଆରଏଫ ୮୮ ଜଣଙ୍କୁ ଉଦ୍ଧାର କରିଛି। ଏହି ୮୮ ଜଣଙ୍କ ଉଦ୍ଧାର ନିମନ୍ତେ ୧୫ ଘଣ୍ଟା ସମୟ ଲାଗିଛି। ଆଶଙ୍କା କରାଯାଉଛି ହୋର୍ଡିଂ ତଳେ ଏବେବି କିଛି ଲୋକ ଦବି ରହିଛନ୍ତି।


ଗଣମାଧ୍ୟମ ରିପୋର୍ଟ ଅନୁସାରେ ହୋର୍ଡିଂ ଲଗାଇଥିବା କମ୍ପାନୀ ବିରୋଧରେ ପୂର୍ବରୁ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇଛି। ଦୁର୍ଘଟଣାର କାରଣ ହୋଇଥିବା ଏହି ହୋର୍ଡିଂକୁ ଏଗୋ ମିଡିଆ ଏପ୍ରିଲ ୨୦୨୨ରେ ଲଗାଇଥିଲା।  ପୂର୍ବତନ ବିଜେପି ସାଂସଦ କିରିଟ ସୋମୈୟା ଗତ ଏପ୍ରିଲ ୨୯ ତାରିଖ ଦିନ ଏହି ହୋର୍ଡିଂକୁ ନେଇ ବୃହନ୍ମୁମ୍ବାଇ ମହାନଗର ନିଗମ (ବିଏମସି) କମିଶନରଙ୍କୁ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ। 


ବିଏମସି ଏହାକୁ ପୁଷ୍ଟି କରି କହିଛି ଯେ ଯେଉଁଠି ହୋର୍ଡିଂ ଲାଗିଥିଲା ତାହା ଗୃହ ବିଭାଗର ଜମି। ଏହା ପୋଲିସ ହେଡକ୍ୱାର୍ଟର, ମହାରାଷ୍ଟ୍ର ରାଜ୍ୟ ପୋଲିସିଂ ହାଉସିଂ ୱେଲଫେୟାର କର୍ପୋରେସନ ନାମରେ ପଞ୍ଜିକୃତ ରହିଛି। ଏହି ହୋର୍ଡିଂକୁ ନେଇ ବିଏମସି କାର୍ଯ୍ୟାନୁଷ୍ଠାନ ମଧ୍ୟ କରିଛି। ଯେଉଁଥିରେ ମିଡିଆକୁ ୬.୧୩ କୋଟି ଟଙ୍କା ଜରିମନା ମଧ୍ୟ ହୋଇଛି ଓ ହୋର୍ଡିଂ ହଟାଇବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ତେବେ ଆଡଭର୍ଟାଇଜିଂ ଏଜେନ୍ସୀ ନିର୍ଦ୍ଦେଶ ଅବମାନନା କରି ସେଠାରୁ ହୋର୍ଡିଂ ହଟାଇ ନଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.