ଲକ୍ଷ୍ନୌ ୬।୧୦: ପୂର୍ବତନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି (ସପା) ସଂରକ୍ଷକ ମୂଲାୟମ ସିଂ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁବାର ମଧ୍ୟ ଜଟିଳ ରହିଛି। ଗୁରଗ୍ରାମସ୍ଥିତ ମେଦାନ୍ତ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତରମାନେ ତାଙ୍କୁ ଜୀବନ ରକ୍ଷା ପ୍ରଣାଳୀରେ ରଖି ଚିକିତ୍ସା କରୁଛନ୍ତି। ନେତାଜୀଙ୍କୁ ଗତମାସରେ ଦିଲ୍ଲୀ ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅକ୍ଟୋବର ୨ ତାରିଖ ଦିନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ କ୍ରିଟିକାଲ କେୟାର ୟୁନିଟ୍ରୁ ଆଇସିୟୁକୁ ସ୍ଥାନାନ୍ତରିତ କରାଯାଇଛି।
୮୨ ବର୍ଷବୟସ୍କ ମୁଲାୟମ ସିଂହ ଯାଦବ ୟୁପିର ୩ ଥର ମୁଖ୍ୟମନ୍ତ୍ରୀ ଥିଲେ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡିବା ପରେ ହସ୍ପିଟାଲରେ ତାଙ୍କୁ ଦେଖିବା ଲାଗି ନେତାଙ୍କ ଧାଡି ଲାଗିଛି। ବୁଧବାର ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ହସ୍ପିଟାଲ ଆସି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ସେହିପରି ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ତାଙ୍କ ପୁଅ ତେଜସ୍ୱୀଙ୍କ ସହିତ ହସ୍ପିଟାଲକୁ ଆସି ନେତାଜୀଙ୍କୁ ଦେଖା କରିଥିଲେ। ହସ୍ପିଟାଲରେ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ଏବେ ରଖା ଯାଇଛି।