ମୁକୁଲ ରୋହତଗୀ ହେବେ ପରବର୍ତ୍ତୀ ଆଟର୍ଣ୍ଣି ଜେନେରାଲ, ଅକ୍ଟୋବର ୧ରେ ନେଇପାରନ୍ତି ଦାୟିତ୍ୱ

Published By : Prameya-News7 Bureau | September 13, 2022 IST

ନୂଆଦିଲ୍ଲୀ, ୧୩|୦୯ : ଦେଶର ପରବର୍ତ୍ତୀ ଆଟର୍ଣ୍ଣି ଜେନେରାଲ ହେବେ ମୁକୁଲ ରୋହତଗୀ । ସେ ଅକ୍ଟୋବର ୧ରୁ ନିଜର କାର୍ଯ୍ୟକାଳ ଆରମ୍ଭ କରିବେ । ପୂର୍ବରୁ ମଧ୍ୟ ସେ ୨୦୧୪ରୁ ୨୦୧୭ ଯାଏଁ ତିନି ବର୍ଷ ଧରି ଆଟର୍ଣ୍ଣି ଜେନେରାଲ ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି । ୨୦୧୭ରେ ତାଙ୍କୁ ବ୍ୟକ୍ତିଗତ କାରଣରୁ ପଦରୁ ହଟାଇ ଦିଆଯାଇଥିଲା ।

ତେବେ ମୁକୁଲ କେକେ ବେଣୁଗୋପାଳଙ୍କ ସ୍ଥାନ ନେବେ । ବେଣୁଗୋପାଲଙ୍କ କାର୍ଯ୍ୟକାଳ ସେପ୍ଟେମ୍ବର ୩୦ରେ ସରୁଛି । ସରକାର ୯୦ ବର୍ଷୀୟ ବେଣୁଗୋପାଳଙ୍କ କାର୍ଯ୍ୟକାଳ ଆଉ ବର୍ଷେ ବଢାଇବାକୁ କହିଥିଲେ । କିନ୍ତୁ ସ୍ୱାସ୍ଥ୍ୟଗତ କାରଣରୁ ସେ ଆଉ ରାଜି ହୋଇନଥିଲେ । ସେ ୨୦୧୭ରୁ ଆଟର୍ଣ୍ଣି ଜେନେରାଲ ଭାବେ ପଦ ସମ୍ଭାଳୁଛନ୍ତି ।

୨୦୧୪ରେ ମୋଦୀ ସରକାର ଶାସନକୁ ଆସିବା ପରେ ରୋହତଗୀ ଆଟର୍ଣ୍ଣି ଜେନେରାଲ ନିଯୁକ୍ତ ହୋଇଥିଲେ । ୨୦୧୭ରେ ତାଙ୍କ କାର୍ଯ୍ୟକାଳ ସରକାର ବଢାଇବାକୁ ଚାହିଁଥିଲେ । କିନ୍ତୁ ସେ ପଦରୁ ଇସ୍ତଫା ପ୍ରଦାନ କରିଥିଲେ । ଏହାପରେ କେକେ ବେଣୁଗୋପାଳଙ୍କୁ ୩ ବର୍ଷ ପାଇଁ ଏହି ପଦରେ ନିଯୁକ୍ତ କରାଯାଇଥିଲା । ତାଙ୍କ କାର୍ଯ୍ୟକାଳ ୨୦୨୦ରେ ସରୁଥିଲା । କିନ୍ତୁ ସରକାର ଦୁଇ ବର୍ଷ ତାଙ୍କ କାର୍ଯ୍ୟକାଳ ବଢାଇଥିଲେ । ଚଳିତ ବର୍ଷ ଜୁନରେ ତାଙ୍କ କାର୍ଯ୍ୟକାଳ ତିନି ମାସ ବୃଦ୍ଧି କରାଯାଇଥିଲା ।

ମନ୍ତ୍ରାଳୟ ଓ ରୋହତଗୀଙ୍କ ନିକଟତମ ସୂତ୍ରାନୁସାରେ, ମୁକୁଲ ରୋହତଗୀଙ୍କ ନାଁ ଉପରେ ଚର୍ଚ୍ଚା ପାଇଁ ଗତ ସପ୍ତାହରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଯଦି ସବୁ କିଛି ଠିକ୍ ରହେ ତେବେ ଦେଶକୁ ଅକ୍ଟୋବର ୧ରେ ନୂଆ ଆଟର୍ଣ୍ଣି ଜେନେରାଲ ମିଳିବେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.