ଜେ.ବି. ପଟ୍ଟନାୟକ ସରକାରକୁ ଟଳମଳ କରିଥିଲା ସେହି ଘଟଣା, ୨୦ ବର୍ଷ ପରେ ଯନ୍ତ୍ରଣାରେ ଛଟପଟ ହୋଇ ଚାଲିଗଲା ମୁଖ୍ୟ ଖଳନାୟକର ଜୀବନ

Published By : Prameya-News7 Bureau | February 25, 2020 IST

ଭୁବନେଶ୍ବର ୨୫| ୦୨- ୧୯୯୯ ମସିହାର ସେହି ଚର୍ଚ୍ଚିତ ଘଟଣା । ଏକ ଭୟଙ୍କର ଏବଂ ଆଲୋଡନ ସୃଷ୍ଟି କରିଥିବା ଗଣ ଦୁଷ୍କର୍ମ ଘଟଣା । କେବଳ ରାଜ୍ୟ ନୁହେଁ, ଜାତୀୟସ୍ତରରେ ବି ସୃଷ୍ଟି କରିଥିଲା ହଇଚଇ । ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସରକାର ତୀବ୍ର ସମାଲୋଚନାର ଶୀକାର ହୋଇଥିଲେ । ବିରୋଧି ଜେବି ସରକାରକୁ ଘେରିଥିଲେ । ଟଳମଳ ହୋଇଥିଲା ସରକାର । ଏବେ ପ୍ରାୟ ୨୦ ବର୍ଷ ପରେ ସେହି  ଚର୍ଚ୍ଚିତ ଗଣ ଦୁଷ୍କର୍ମ ଘଟଣା ପୁଣି ଖବରକୁ ଆସିଛି । ସେହି ଘଟଣାର ମୁଖ୍ୟ ଖଳ ନାୟକ , ଦୋଷୀ ପଦିଆ ଓରଫ ପ୍ରଦୀପ ସାହୁ ର ମୃତ୍ୟୁ ଘଟିଛି । ଆଜୀବନ କାରଦଣ୍ଡ ଭୋଗୁଥିବା ପଦିଆ ଯନ୍ତ୍ରଣାରେ କଲବଲ ହୋଇ ଚିକିତ୍ସାଧିନ ଅବସ୍ଥାରେ କ୍ୟାପିଟାଲ ହସପିଟାଲରେ ଆଖି ବୁଜିଛି ।ଏକ ଭୟଙ୍କର  କୁକର୍ମର ମାଷ୍ଟର ମାଇଣ୍ଡର ଶେଷ ଦିନ ଯନ୍ତ୍ରଣାରେ ସରିଛି ।

   ୨୦ବର୍ଷ ତଳେ ହଇଚଇ ସୃଷ୍ଟି କରିଥିଲା ଏକ ଗଣ  ବଳାତ୍କାର ଘଟଣା । ସେହି କଳଙ୍କିତ ଘଟଣାର ଆସାମୀ ପ୍ରଦୀପ ସାହୁର ମୃତ୍ୟୁ ଘଟିଛି । ପଦିଆ ୨୦ ବର୍ଷ ହେବ ଝାରପଡା ଜେଲ୍‌ରେ ଆଜୀବନ ସଜ୍ଜା କାଟୁଥିଲା । ପ୍ରାୟ ୧୫ ମାସ ହେବ ରୋଗଗ୍ରସ୍ତ ହୋଇ ଚିକିସ୍ତିତ ହେଉଥିଲା ସେ । ସୋମବାର ଅପରାହ୍ଣ ୪ଟାରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ପଦିଆରମୃତ୍ୟୁ ଘଟିଛି । ଲକ୍ଷ୍ମୀସାଗର ଥାନା ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଯାଇଛି ।

ଏକ କଳଙ୍କିତ ଘଟଣା । ୧୯୯୯ ମସିହା ଜାନୁଆରୀ ୯ ତାରିଖରେ ଅଞ୍ଜଳୀ ( ଛଦ୍ମନାମ) ଭୁବନେଶ୍ବର ବାରଙ୍ଗ ଦେଇ ତାଙ୍କର ଜଣେ ପୁରୁଷ ବନ୍ଧୁକ ସହ ଏକ କାର୍‌ରେ କଟକ ଯାଉଥିଲେ । ରାତି ପ୍ରାୟ ସାଢ଼େ ୧୦ଟା ହେବ ବାରଙ୍ଗ ଠାରେ ଏକ ଢାବାରେ  ପଦିଆ, ଧୀରେନ ମହାନ୍ତି ଓ ବିବନ ବିଶ୍ବାଳ ଖଟି କରୁଥିଲେ । ସେହି ଢାବାରେ  ଅଟକି ଅଞ୍ଜଳୀ ଏବଂ  ତାଙ୍କ  ବନ୍ଧୁ ଖିଆପିଆ କରି କଟକ ଅଭିମୁଖେ ବାହାରିଥିଲେ । ପଦିଆ, ଧୀରେନ ଓ ବିବନ ଏକ ସ୍କୁଟରରେ ସେମାନଙ୍କୁ ପିଛା କରିଥିଲେ । ଢାବା ଠାରୁ କିଛି ଦୂରରେ ସେମାନେ ସେମାନଙ୍କ କାର୍‌କୁ ଅଟକାଇଥିଲେ । କାର୍‌  ଚାଳକ ପୁରୁଷ ବନ୍ଧୁଙ୍କୁ  ମାଡ଼ମାରି କାର୍‌କୁ ବାରଙ୍ଗ ଗୋଡିସାହି ନିକଟ ନିଛାଟିଆ ରାସ୍ତାକୁ ନେଇ ଯାଇଥିଲେ । ୩ ଜଣ ମିଶି ଅତି ଅମାନୁଷିକ ଭାବେ  ଅଞ୍ଜଳୀଙ୍କୁ  ବଳାତ୍କାର କରିଥିଲେ । ଏତିକିରେ ସେମାନଙ୍କ ମନ ଶାନ୍ତି ହୋଇ ନଥିଲା । ପୁଣି କାର୍‌ ଭିତରେ ବି ବଳାତ୍କାର କରି ଛାଡି଼ ଚାଲି ଯାଇଥିଲେ ।  

୧୯୯୯ ଜାନୁଆରୀ ୧୦ ତାରିଖରେ ଅଞ୍ଜଳୀ କଟକ ମହିଳା ଥାନାରେ ଏନେଇ ଏତଲା ଦେଇଥିଲେ । ଏହି ଘଟଣା ସାରା ରାଜ୍ୟରେ ଚଳହ ପକାଇ ଦେଇଥିଲା । ସ୍ଥିତି ଏମିତି ହେଲା ଯେ, ଜେ.ପି ପଟ୍ଟନାୟକ ସରକାର ଦୋହଲି ଯାଇଥିଲା । ପ୍ରଥମେ ମହିଳା ଥାନା ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଘଟଣାକୁ ନେଇ ତୁମ୍ଭି ତୋଫାନ ହେବାରୁ ମାମଲା କ୍ରାଇମ୍‌ବ୍ରାଞ୍ଚ ହାତକୁ ଗଲା । କ୍ରାଇମ୍‌ବ୍ରାଞ୍ଚ ଘଟଣାର ତଦନ୍ତ କରି ପଦିଆ ଓ ଧୀରେନଙ୍କୁ ଗିରଫ କରିଥିଲା । ହେଲେ ବିବନର ପତ୍ତା ପାଇ ନଥିଲା ।  ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ମାମଲାର ତଦନ୍ତ ଭାର ନେଇଥିଲା । ସିବିଆଇ ମଧ୍ୟ ବିବନକୁ ଗିରଫ କରି ପାରିନଥିଲା । ସିବିଆଇ ସମସ୍ତ ସାକ୍ଷ୍ୟ ପ୍ରମାଣ ଯୋଗାଡ କରି କୋର୍ଟଙ୍କ ନିକଟରେ ଦାଖଲ କରିଥିଲା । ୨୦୦୨ ମସିହାରେ ଖୋର୍ଦ୍ଧା ଜିଲ୍ଲା ଦୌରା ଜଜ୍‌ କୋର୍ଟ ପଦିଆ ଓ ଧୀରେନଙ୍କୁ ଆଜୀବନ ସଜା ଶୁଣାଇଥିଲେ । ସେସନ୍‌ କୋର୍ଟଙ୍କ ରାୟକୁ ହାଇକୋର୍ଟ ରେ ଚ୍ୟାଲେଞ୍ଜ କରାଯାଇଥିଲା । କିନ୍ତୁ ତଳ କୋର୍ଟଙ୍କ ରାୟକୁ କାଏମ ରଖିଥିଲେ ଉଚ୍ଚ ଅଦାଲତ। ୧୯୯୯ ମସିହାରୁ ଜେଲ୍‌ରେ ସଜା କାଟୁଥିଲେ ପଦିଆ ।

 ପଦିଆର ମୃତ୍ୟୁ ଯନ୍ତ୍ରଣା ଦାୟକ । ଫୋନୀ ବାତ୍ୟା ବେଳେ ଭାଙ୍ଗି ଯାଇଥିବା ଗଛକୁ ସେ ଜେଲ ପାଚେରି ଉପରେ ଚଢି କାଟୁଥିଲା ବେଳେ ଅସାବଧାନତା ଯୋଗୁଁ ତଳକୁ ଖସି ପଡି଼ଥିଲା । ଫଳରେ ତା ଶରୀରର ଅଣ୍ଟା ତଳକୁ କ୍ଷତ ହୋଇଥିଲା ଏବଂ ମେରୁଦଣ୍ଡରେ ଆଘାତ ଲାଗିଥିଲା । ପ୍ରଥମେ ତାଙ୍କୁ ଜେଲ୍‌ ଡାକ୍ତରଖାନାରେ ଦେଖାଇଥିଲେ । ତା’ପରେ କଟକ ବଡ଼ ମେଡିକାଲ୍‌କୁ ପଠାଯାଇଥିଲା । ସେତେବେଳକୁ ତାଙ୍କ କ୍ଷତ ସ୍ଥାନ ସମ୍ପୂର୍ଣ୍ଣ ପଚି ଯାଇଥିଲା । ଡାକ୍ତରମାନେ ତାଙ୍କୁ ଏମସ୍‌ ହସ୍ପିଟାଲ୍‌କୁ ନେବାକୁ ପରାମର୍ଶ ଦେଇଥିଲେ । ଜେଲ୍‌ କର୍ତ୍ତୃପକ୍ଷ ଏମସ୍‌କୁ ନେଇ ସେଠାରେ ଚିକିତ୍ସା କରାଇଥିଲେ । ହେଲେ ତଥାପି କ୍ଷତ ଭଲ ହୋଇ ନଥିଲା । ୨୦୨୦ ଜାନୁଆରୀ ୧୦ ତାରିଖରେ ପଦିଆଙ୍କ ପରିବାର ଲୋକେ ତାଙ୍କୁ ଘରକୁ ନେଇ ଚିକିତ୍ସା କରିବାକୁ ଯୋଜନା କରିଥିଲେ । ହେଲେ କିଛି ସୁଫଳ ମିଳି ନଥିଲା । ଗତ ୧୯ ତାରିଖରେ ପଦିଆର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଥିଲା । ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥରେ ତାଙ୍କର ସୋମବାର ମୃତ୍ୟୁ ଘଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.