ମୋଦୀ ମନ୍ତ୍ରିମଣ୍ଡଳରୁ ସଂଖ୍ୟାଲଘୁ ମନ୍ତ୍ରୀ ମୁଖତାର ଅବାସ ନକଭିଙ୍କ ଇସ୍ତଫା, ଦଳ ଦେଇ ପାରେ ବଡ ଦାୟିତ୍ଵ !

Published By : Prameya-News7 Bureau | July 06, 2022 IST

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ମୁଖତାର ଅବାସ ନକଭି ଏବଂ ରାମ ଚନ୍ଦ୍ର ପ୍ରସାଦ ସିଂହ ମୋଦୀ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି। ବୁଧବାର କ୍ୟାବିନେଟ୍ ବୈଠକ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ମନ୍ତ୍ରୀ ମୁଖତାର ଅବାସ ନକଭି ଏବଂ ରାମ ଚନ୍ଦ୍ର  ପ୍ରସାଦ ସିଂହଙ୍କ ଦେଶ ଏବଂ  ଲୋକଙ୍କ ପାଇଁ ଦେଇଥିବା ଯୋଗଦାନକୁ ପ୍ରଶଂସା କରିଛନ୍ତି। ମୋଦୀ ନକଭିଙ୍କ କାର୍ଯ୍ୟକୁ ବେଶ୍ ପ୍ରଶଂସା କରିଛନ୍ତି। ନକଭି ଇସ୍ତଫା ଦେବା ପରେ ପାର୍ଟି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଛନ୍ତି।

ଉଲ୍ଲେଖନୀୟ ରାଜ୍ୟସଭା ସାଂସଦ ଭାବେ ନକଭି ଏବଂ ରାମ ଚନ୍ଦ୍ର ପ୍ରସାଦ ସିଂହଙ୍କ କାର୍ଯ୍ୟକାଳ ଗୁରୁବାର ସମାପ୍ତ ହେବାକୁ ଯାଉଛି। ସୂତ୍ର ମୁତାବକ ଦୁଇ ମନ୍ତ୍ରୀ ଆଜି ନିଜର ଇସ୍ତଫା ପତ୍ର ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରିବେ। କ୍ୟାବିନେଟ୍ ବୈଠକ  ସରିବା ମାତ୍ରେ ନକଭି ପାର୍ଟି ମୁଖ୍ୟାଳୟରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଛନ୍ତି। ବିଜେପିର ବରିଷ୍ଠ ନେତା ନକଭି ରାଜ୍ୟସଭାରେ ପାର୍ଟିର ଉପ ନେତା ଥିଲେ।

ଉଲ୍ଲେଖନୀୟ ରାଷ୍ଟ୍ରପତି ପରେ ଉପ ରାଷ୍ଟ୍ରପତି ପଦରେ ନିର୍ବାଚନ ହେବାକୁ ଯାଉଛି। ଏ  ପର୍ଯ୍ୟନ୍ତ ବିଜେପି ଏବଂ ବିରୋଧୀ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇ ନାହିଁ। କିନ୍ତୁ ବିଜେପି ପକ୍ଷରୁ ମୁଖତାର ଅବାସ ନକଭିଙ୍କୁ ପ୍ରାର୍ଥୀ କରାଯିବା ନେଇ ଚର୍ଚ୍ଚା ଚାଲିଛି। କେରଳ ରାଜ୍ୟପାଲ ଆରିଫ ମହମ୍ମଦ ଖାନଙ୍କ ନାମ ମଧ୍ୟ ଚର୍ଚ୍ଚାରେ ଅଛନ୍ତି।

ମୋଦୀ ମନ୍ତ୍ରିମଣ୍ଡଳରେ ୮ ବର୍ଷ ଥିଲେ

ନକଭି ୨୦୧୦ରୁ ୨୦୧୬ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶରୁ ରାଜ୍ୟସଭା ସଦସ୍ୟ ଥିଲେ।  ୨୦୧୬ରେ ତାଙ୍କୁ ଝାଡଖଣ୍ଡରୁ ରାଜ୍ୟସଭା ପଠାଯାଇଛି। ନକଭି ପ୍ରଥମ ଥର ୧୯୯୮ରେ ଲୋକସଭା ନିର୍ବାଚନ ଜିତିଥିଲେ। ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳରେ ରାଷ୍ଟ୍ର ମନ୍ତ୍ରୀ ଥିଲେ। ଏହା ପରେ ୨୦୧୬ ମେ ୨୬ରେ ମୋଦୀ ସରକାରରେ ସଂଖ୍ୟାଲଘୁ ଏବଂ ସଂସଦୀୟ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଥିଲେ। ୨୦୧୬ ଜୁଲାଇ ୧୨ରେ ନଜମା ହେପତୁଲ୍ଲାଙ୍କ ଇସ୍ତଫା ପରେ ତାଙ୍କୁ  ସଂଖ୍ୟା ଲଘୁ କ୍ୟାବିନେଟ୍‌ର ସ୍ଵତନ୍ତ୍ର ଦାୟିତ୍ଵ ମିଳିଥିଲା। ୨୦୧୯ ମେ ୩୦ରେ ମୋଦୀ କ୍ୟାବିନେଟ୍‌ରେ ସାମିଲ୍ ହୋଇଥିଲେ ଏବଂ ସଂଖ୍ୟାଲଘୁ କ୍ୟାବିନେଟ୍ ମନ୍ତ୍ରୀ ପଦ ସମ୍ଭାଳିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.