ଆଉ ଏକ ବଡ଼ କମ୍ପାନୀର ଅଧିଗ୍ରହଣ କଲେ ମୁକେଶ ଅମ୍ବାନୀ, ଭାରତର ଖାଉଟି ବଜାରରେ ରହିଛି ବଡ଼ ଉପସ୍ଥିତି
22/12/2022 at 6:28 PM

ନୂଆଦିଲ୍ଲୀ, ୨୨/୧୨: ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରୀ ଆଉ ଏକ ବଡ଼ କମ୍ପାନୀର ଅଧିଗ୍ରହଣ କରିବାକୁ ଯାଉଛି। ଜର୍ମାନୀ କମ୍ପାନୀ ମେଟ୍ରୋ ଏଜିର ମେଟ୍ରୋ କ୍ୟାସ୍ ଆଣ୍ଡ୍ କ୍ୟାରୀ ବ୍ୟବସାୟକୁ ଅଧିଗ୍ରହଣ କରିବାକୁ ଯାଉଛି ରିଲାଏନ୍ସ। ମେଟ୍ରୋ ଏଜିର ଏହି ହୋଲସେଲ ଡିଭିଜନ ଉଭୟ ଗ୍ରାହକ ଏବଂ ବ୍ୟବସାୟୀଙ୍କୁ ଉତ୍ତମ ସୁବିଧା ଯୋଗାଇଥାଏ। ଆଉ ଏବେ ରିଲାଏନ୍ସ ଭାରତରେ ଏହାର ପରିଚାଳନାକୁ ଅଧିଗ୍ରହଣ କରିବାକୁ ଯାଉଛି। ଏଥିପାଇଁ ୨୮୫୦ କୋଟିରେ ଏହି ଡିଲ୍ ହୋଇଛି। ଏହି ଅଧିଗ୍ରହଣ ରିଲାଏନ୍ସ ରିଟେଲ ସେକ୍ଟରକୁ ଆହୁରି ବଳ ଯୋଗାଇବ।
ମେଟ୍ରୋ ଏଜି ଭାରତରେ ୨୦୦୩ ରେ ଏହାର ପରିଚାଳନା ଆରମ୍ଭ କରିଥିଲା। ବର୍ତ୍ତମାନ ୩୫୦୦ କର୍ମଚାରୀ ୨୧ ସହରରେ ୩୧ଟି ବଡ଼ ଷ୍ଟୋର ପରିଚାଳିତ କରୁଛନ୍ତି। ଏହି ଅଧିଗ୍ରହଣ ଦ୍ବାରା ରିଲାଏନ୍ସ ମେଟ୍ରୋ ଇଣ୍ଡିଆ ହୋଲସେଲ ଷ୍ଟୋରର ପରିଚାଳନା କରିବ। ମେଟ୍ରୋ ପାଖରେ ବଡ଼ ଗ୍ରାହକ ବିଶିଷ୍ଟ ରିଟେଲ ଷ୍ଟୋର ଏବଂ ଏକ ବିଶାଳ ସପ୍ଲାଏ ନେଟଓ୍ବର୍କ ରହିଛି। ମେଟ୍ରୋ ଇଣ୍ଡିଆ ରିଟେଲ ଛୋଟ ବ୍ୟବସାୟ ଏବଂ ବ୍ୟବସାୟୀଙ୍କ ପାଇଁ ଏକ ବିଶ୍ବସନୀୟ ଭାଗିଦାର ଭାବରେ ଜଣା। ସେପ୍ଟେମ୍ବର ୨୦୨୨ରେ ମେଟ୍ରୋ ଇଣ୍ଡିଆ ୭୭୦୦ କୋଟିର ବିକ୍ରି କରିଥିଲା। ଯାହା ଭାରତରେ ବଜାର ପ୍ରବେଶ କରିବା ପରେ ଏହାର ସବୁଠୁ ଭଲ ପ୍ରଦର୍ଶନ। କମ୍ପାନୀ ଏକ ବୟାନରେ କହିଛି ଯେ ଏହି ଅଧିଗ୍ରହଣ ରିଲାଏନ୍ସ ରିଟେଲ ଷ୍ଟୋରର ସଂଖ୍ୟା ବଢ଼ାଇବ ତଥା ଉପଭୋକ୍ତାଙ୍କୁ ଉତ୍ତମ ସେବା ଯୋଗାଇବ।
ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡର ନିର୍ଦେ୍ଦଶକ ଇଶା ଅମ୍ବାନୀ କହିଛନ୍ତି ଯେ ମେଟ୍ରୋ ଇଣ୍ଡିଆାର ଅଧିଗ୍ରହଣ ଛୋଟ ବ୍ୟବସାୟୀ ଏବଂ ଉଦ୍ୟମ ସହ କମ୍ପାନୀର ଏକ ଭିନ୍ନ ମଡେଲ କରିବା ପାଇଁ ଆମର ନୂଆ ବ୍ୟବସାୟିକ ପଲିସିର ଅନୁରୂପ। ମେଟ୍ରୋ ଇଣ୍ଡିଆ ଭାରତୀୟ ବି୨ବି ବଜାରରେ ଅଗ୍ରଣୀ। ଏହା କମ୍ପାନୀର ବ୍ୟବସାୟକୁ ଆହୁରି ମଜବୁତ କରିବ। ସେହିଭଳି ରିଲାଏନ୍ସ ବ୍ୟବସାୟକୁ ସଫଳତାପୂର୍ବକ ଚଳାଇବ ବୋଲି କହିଛନ୍ତ ମେଟ୍ରୋ ଏଜିର ସିଇଓ ଷ୍ଟିଫେନ ଗେବ୍ରେଲ।