ଅଦାନୀଙ୍କୁ ପଛରେ ପକାଇଲେ ଅମ୍ୱାନୀ, ପୁଣି ହେଲେ ଏସିଆର ସବୁଠାରୁ ବଡ଼ ଧନୀ

Published By : Prameya-News7 Bureau | June 02, 2022 IST

ନୂଆଦିଲ୍ଲୀ, ୦୨/୦୬:ପୁଣିଥରେ ଏସିଆର ସବୁଠାରୁ ଧନୀ ମୁକୁଟ ପିନ୍ଧିଲେ ମୁକେଶ ଅମ୍ୱାନୀ । ଗୁରୁବାର ବିଶ୍ୱର ଟପ୍‌-୧୦ ବିଲେନେୟର ଲିଷ୍ଟ ପ୍ରକାଶ ପାଇଛି । ଏହି ଲିଷ୍ଟର ଷଷ୍ଠ ସ୍ଥାନରେ ରହିଛନ୍ତି ମୁକେଶ । ଫୋର୍ବ୍ସ ରିୟଲ୍‌ ଟାଇମ୍‌ ବିଲେନେୟର ଲିଷ୍ଟ ମୁତାବିକ ଗୁରୁବାର ଦ୍ୱିପ୍ରହର ୧ଟା ପର୍ଯ୍ୟନ୍ତ ମୁକେଶଙ୍କ ସମ୍ପତ୍ତି ୩.୧ ଅରବ ଡଲାର୍‌ ବଢ଼ିଯାଇଥିବା ବେଳେ ଗୌତମ ଅଦାନୀଙ୍କ ସମ୍ପତ୍ତି ୧.୩ ଅରବ ଡଲାର ହ୍ରାସ ପାଇଥିଲା । ଯାହା ଫଳରେ ଅଦାନୀ ସପ୍ତମ ସ୍ଥାନକୁ ଖସି ଆସିଥିଲେ ।

ଆଜି ମୁକେଶ ଅମ୍ୱାନୀଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସେୟାରରେ ୩.୨୨ ପ୍ରତିଶତ ବୃଦ୍ଧି ହୋଇଛି । ଅନ୍ୟପଟେ ଅଦାନୀ ଗ୍ରୁପ୍‌ର କମ୍ପାନୀରେ ସେତେଟା ବୃଦ୍ଧି ଦେଖିବାକୁ ମିଳିନି । ଅଦନୀ ଏଣ୍ଟର୍‌ପ୍ରାଜେସ୍‌ ୧.୫୯ ପ୍ରତିଶତ, ଅଦାନୀ ପୋର୍ଟ ୦.୫୫ ପ୍ରତିଶତ, ଅଦାନୀ ୱିଲ୍‌ମାର ୪.୯୯ ଏବଂ ଅଦାନୀ ପାୱାରରେ ୩.୦୩ ପ୍ରତିଶତ ହ୍ରାସ ଦୋଖିବାକୁ ମିଳିଛି ।

ତେବେ ଫୋର୍ବ୍ସ ରିୟଲ୍‌ ଟାଇମ୍‌ ଇଣ୍ଡେକ୍ସର ତାଜା ତଥ୍ୟ ଅନୁସାରେ ଗୁରୁବାର ଦ୍ୱିପ୍ରହର ସୁଦ୍ଧା ଅଦାନୀଙ୍କ ମୋଟ ସମ୍ପତ୍ତି ୧୦୦.୫ ବିଲିୟନ୍‌ ଡଲାର ଥିଲା । ସେହି ସମୟରେ ଅମ୍ୱାନୀଙ୍କର ୧୦୧.୨ ବିଲିୟନ୍‌ ଡଲାର୍‌ରେ ପହଞ୍ଚିଥିଲା । ଅନ୍ୟପଟେ ୨୨୫.୫ ବିଲିୟନ୍‌ ଡଲାର ସହିତ ଏଲନ୍‌ ମସ୍କ ପ୍ରଥମ ସ୍ଥାନରେ ରହିଛନ୍ତି । ୧୫୬.୩ ବିଲିୟନ ଡଲାରର ସମ୍ପତ୍ତି ସହିତ ବର୍ନାର୍ଡ ଆର୍ନାଲ୍ଟ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ତୃତୀୟରେ ଜେଫ୍ ବେଜୋସ୍ ଅଛନ୍ତି, ତାଙ୍କର ସମ୍ପତ୍ତି ମୂଲ୍ୟ ୧୪୭.୪ ବିଲିୟନ ଡ଼ଲାର୍ ରହିଛି । ୧୨୭.୭ ବିଲିୟନ ଡ଼ଲାର ସହିତ ବିଲ୍‌ ଗେଟ୍ସ ଚତୁର୍ଥ ସ୍ଥାନରେ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.