ନୂଆଦିଲ୍ଲୀ ୪।୭: ଅମ୍ବାନୀଙ୍କ ଫ୍ୟାମିଲିରେ ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହୋତ୍ସହ ଆରମ୍ଭ ହୋଇଯାଇଛି। ଏଥି ମଧ୍ୟରେ ଏସିୟାର ଧନାଢ୍ୟ ବ୍ୟକ୍ତି ମୁକେଶ ଅମ୍ବାନୀ ଗୁରୁବାର ଦିଲ୍ଲୀ ଆସି ରାହୁଲ ଗାନ୍ଧିଙ୍କୁ ତାଙ୍କ ୧୦ ଜନପଥସ୍ଥିତ ବାସଭବନରେ ଭେଟିଛନ୍ତି। କୁହାଯାଉଛି ପୁଅ ବାହାଘରର ନିମନ୍ତ୍ରଣ ପାଇଁ ମୁକେଶ ଅମ୍ବାନୀ ରାହୁଲ ଗାନ୍ଧିଙ୍କୁ ଭେଟିଛନ୍ତି। କିଛି ସମୟର ସାକ୍ଷାତ ଆଲୋଚନା ପରେ ଅମ୍ବାନୀ ଫେରି ଯାଇଛନ୍ତି।
ଉଲ୍ଲେଖ ଯୋଗ୍ୟ ଯେ ଜୁଲାଇ ୧୨ତାରିଖ ଦିନ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କର ରାଧିକା ମର୍ଚ୍ଚାଣ୍ଟଙ୍କ ସହ ବିବାହ ଅନୁଷ୍ଠିତ ହେବ। ଏଥି ପାଇଁ ବିବାହର ରିତିନୀତି ବୁଧବାରଠାରୁ ମୁକେଶ ଅମ୍ବାନୀଙ୍କ ମୁମ୍ବାଇସ୍ଥିତ ଆଣ୍ଟିଲିଆରେ ଆରମ୍ଭ ହୋଇଯାଇଛି। ଏଣୁ ମନେ କରାଯାଉଛି ଏହି ବିବାହ ଉତ୍ସବ ନିମନ୍ତେ ମୁକେଶ ଅମ୍ବାନୀ ନିମନ୍ତ୍ରଣପତ୍ର ଦେବା ପାଇଁ ରାହୁଲ ଗାନ୍ଧିଙ୍କ ଘରକୁ ଆସିଥିଲେ। ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ ନିମନ୍ତ୍ରଣପତ୍ର ବଣ୍ଟନ ଜାରି ରହିଛି।
#WATCH दिल्ली: रिलायंस इंडस्ट्रीज के चेयरमैन मुकेश अंबानी कांग्रेस नेता राहुल गांधी के आवास से रवाना हुए। pic.twitter.com/cPDXkxtumg
— ANI_HindiNews (@AHindinews) July 4, 2024
ବିବାହ ନିମନ୍ତ୍ରଣପତ୍ର ଅନୁସାରେ ଜୁଲାଇ ୧୨ ତାରିଖ ଦିନ ବିବାହ ଉତ୍ସବ ଅନୁଷ୍ଠିତ ହେବାକୁ ଥିବା ବେଳେ ଜୁଲାଇ ୧୩ ତାରିଖ ଦିନ ଆଶିର୍ବାଦ ସମାରୋହ ଓ ୧୪ତାରିଖ ଦିନ ରିସେପସନ ଅନୁଷ୍ଠିତ ହେବ। ଏହି ବିବାହ ଉତ୍ସବରେ ବଲିଉଡ ତାରକାମାନଙ୍କ ସାଙ୍ଗକୁ ସ୍ପୋର୍ଟସ, ବିଜନେସ୍ ଓ ରାଜନୀତି ଜଗତର ବଡ ନାମ ବି ଯୋଗ ଦେବେ। ସୁତ୍ର ଅନୁସାରେ ଏହି ବିବାହ ଉତ୍ସବରେ ଅନ୍ତର୍ଜାତୀୟ ସ୍ତରର କଳାକାରଙ୍କ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ।
ଉଲ୍ଲେଖଯୋଗ୍ୟ ଯେ ମୁକେଶ ଅମ୍ବାନୀଙ୍କ ଘରେ ଶଙ୍ଖମହୁରୀ ବାଜିବାର ତାରିଖ ଏବେ ଖୁବ୍ ନିକଟରେ। ଏହା ପୂର୍ବରୁ ଗୁଜରାଟର ଜାମ ନଗରରେ ମାର୍ଚ୍ଚ ୧ରୁ ୩ ତାରିଖ ପର୍ଯ୍ୟନ୍ତ ଅନନ୍ତ ଓ ରାଧିକା ମର୍ଚ୍ଚାଣ୍ଟଙ୍କ ପ୍ରିୱେଡିଂ ଉତ୍ସବ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏଥିରେ ମାର୍କ ଜୁକର ବର୍ଗଙ୍କଠାରୁ ଆରମ୍ଭ କରି ମାଇକ୍ରୋସଫ୍ଟର ବିଲଗେଟସ୍ ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଗ୍ଲୋବାଲ ଷ୍ଟାର ରିହାନାଙ୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।