କୋଟିପତିଙ୍କ ତାଲିକାରେ ଲମ୍ବ ଡିଆଁ ମାରିଲେ ମୁକେଶ ଅମ୍ବାନୀ, ଆଦାନୀଙ୍କଠୁ ଅଛନ୍ତି ଏତିକି ପଛରେ

Published By : Prameya-News7 Bureau | October 16, 2022 IST

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରୀଜର ଚେୟାରମ୍ୟାନ ତଥା ଦେଶର ଦ୍ଵିତୀୟ ସବୁଠୁ ବଡ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ କୋଟିପତିଙ୍କ ତାଲିକାରେ ଲମ୍ବା ଡିଆଁ ମାରିଛନ୍ତି। ଫୋବର୍ସର ରିଏଲ ଟାଇମ୍ ବିଲେନିୟର୍ସ ଇଣ୍ଡେକ୍ସରେ ଅମ୍ବାନୀ ୧୦ଟି ସ୍ଥାନ ଉପରକୁ ଉଠି ଅଷ୍ଟମ ସ୍ଥାନରେ ପହଞ୍ଚି ଯାଇଛନ୍ତି। ୬୫ ବର୍ଷୀୟ ଅମ୍ବାନୀଙ୍କ ମୋଟ୍ ସଂପତ୍ତିର ପରିମାଣ ହେଉଛି ୮୪.୦ ବିଲିୟନ ଡଲାର। ସେ ଲାରି ପେଜ୍ ଏବଂ ସର୍ଗେଇ ବ୍ରିନଙ୍କ ପରି ବିତ୍ତଶାଳୀ ବ୍ୟକ୍ତିଙ୍କୁ ପଛରେ ପକାଇଛନ୍ତି। ତାଲିକାରେ ଗୌତମ ଆଦାନୀ ଚତୁର୍ଥ ସ୍ଥାନରେ ରହିଛନ୍ତି ଏବଂ ତାଙ୍କ ମୋଟ୍ ସଂପତ୍ତି ପରିମାଣ ହେଉଛି ୧୨୪.୪ ବିଲିୟନ ଡଲାର।

Forbes Real Time Billionaires ଇଣ୍ଡେକ୍ସ ଅନୁଯାୟୀ, ୨୦୭.୭ ବିଲିୟନ ଡଲାର ସହିତ ଏଲନ ମସ୍କ ତାଲିକାର ପ୍ରଥମ ସ୍ଥାନରେ ଅଛନ୍ତି। ଦ୍ଵିତୀୟ ବିତ୍ତଶାଳୀ ହେଉଛନ୍ତି ବର୍ଣ୍ଣାଡ ଆରନଲ୍ଟ, ଯାହାଙ୍କ ମୋଟ୍ ସଂପତ୍ତି ହେଉଛି ୧୪୭.୮ ବିଲିୟନ ଡଲାର। ମୋଟ୍ ୧୩୦.୪ ବିଲିୟନ ଡଲାର ସହିତ ଜେଫ ବେଜୋସ ତୃତୀୟରେ ଅଛନ୍ତି। ଚତୁର୍ଥ ସ୍ଥାନରେ ଗୌତମ ଆଦାନୀ, ପଞ୍ଚମରେ ବିଲ୍ ଗେଟ୍ସ, ଷଷ୍ଠରେ ଓ୍ଵାରେନ ବଫେଟ୍‌ ଏବଂ ସପ୍ତମରେ ଲାରି ଏଲିସନ ରହିଛନ୍ତି। କୋଟିପତିଙ୍କ ତାଲିକାରେ ସାମିଲ୍ ଦୁଇ ଭାରତୀୟ  ଉଦ୍ୟୋଗପତି ମୁକେଶ ଅମ୍ବାନୀ ଏବଂ ଗୌତମ ଆଦାନୀଙ୍କ ମଧ୍ୟରେ ୪୦.୪ ବିଲିୟନ ଡଲାରର ବ୍ୟବଧାନ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.