ହୁରୁନ ଗ୍ଲୋବାଲ ରିଚ୍ ଲିଷ୍ଟର ଟପ୍-୧୦ରେ ମୁକେଶ ଅମ୍ବାନୀ ଏକାକୀ ଭାରତୀୟ, ଜାଣନ୍ତୁ ଆଦାନୀଙ୍କ ସ୍ଥାନ କେଉଁଠି?
22/03/2023 at 8:11 PM

ନୂଆଦିଲ୍ଲୀ ୨୨।୩: ମୁକେଶ ଅମ୍ବାନୀ ପୁଣି ଥରେ ଭାରତ ଓ ଏସିଆର ସବୁଠୁ ଧନୀ ବ୍ୟକ୍ତି ଭାବେ ଉଭା ହୋଇଛନ୍ତି। କେବଳ ଏତିକି ନୁହେଁ ସେ ବିଶ୍ୱର ଟପ୍-୧୦ ଧନୀ ବ୍ୟକ୍ତିଙ୍କ ସୂଚୀରେ ଭାରତୀୟ ଭାବେ ଏକମାତ୍ର ବ୍ୟକ୍ତି ପାଲଟିଛନ୍ତି। ହୁରୁନର ତାଜା ଧନିକଙ୍କ ସୂଚୀରୁ ଏହା ଜଣାପଡିଛି। ରିସର୍ଚ୍ଚ ପ୍ଲାଟଫର୍ମ ହୁରୁନ ରିୟଲ ଇଷ୍ଟେଟ୍ କମ୍ପାନୀ ଏମ୩ଏମ ସହ ମିସି ଧନିକଙ୍କ ସୂଚୀ ଜାରି କରିଛନ୍ତି। ‘ଦି ୨୦୨୩ ଏମ୩ଏମ ହୁରୁନ ଗ୍ଲୋବାଲ ରିଚ୍ ଲିଷ୍ଟ’ ମୁକେଶ ଅମ୍ବାନୀ ଏକମାତ୍ର ଭାରତୀୟ ଓ ଏସିଆର ସବୁଠୁ ଧନୀ ବ୍ୟକ୍ତି ବୋଲି ସୂଚିତ କରିଛି।

ସୂଚୀ ହିସାବରେ ମୁକେଶ ଅମ୍ବାନୀଙ୍କ ମୋଟ ନେଟ୍ ୱର୍ଥ ୮୨ ବିଲିୟନ ଡଲାର। ଗତବର୍ଷ ପ୍ରକାଶିତ ହୁରୁନ ଧନିକଙ୍କ ସୂଚୀର ପ୍ରଥମ ସ୍ଥାନ ଗୌତମ ଆଦାନୀଙ୍କ ଅଧିକାରରେ ଥିଲା। ତାଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ଥିଲେ ମୁକେଶ ଅମ୍ବାନୀ। ଗତବର୍ଷର ସୂଚୀ ଅନୁସାରେ ସେତେବେଳେ ଗୌତମ ଆଦାନୀଙ୍କ ମୋଟ ନେଟୱର୍ଥ ୧୩୦ ବିଲିୟନ ଡଲାର ପାଖାପାଖି ଥିଲା। ତେବେ ଚଳିତବର୍ଷ ଆଦାନୀଙ୍କ ମୋଟ ନେଟୱର୍ଥ ୫୩ ବିଲିୟନ ଡଲାରରୁ ବି କମ୍ ହୋଇଯାଇଛି।
ନେଟ୍ ୱର୍ଥରେ ଅଧାରୁ ଅଧିକ ହ୍ରାସ ସତ୍ତ୍ୱେ ଗୌତମ ଆଦାନୀ ଚଳିତବର୍ଷର ହୁରୁନ ରିଚ୍ ଲିଷ୍ଟରେ ଦ୍ୱିତୀୟ ଧନିକଙ୍କ ସ୍ଥାନରେ ରହିଛନ୍ତି। ହୁରୁନ ଧନିକଙ୍କ ସୂଚୀ ଅନୁସାରେ ସାଇରସ ପୁନାୱାଲା ଭାରତର ତୃତୀୟ ସବୁଠାରୁ ଧନୀ ବ୍ୟକ୍ତି। ତାଙ୍କର ମୋଟ ନେଟ୍ ୱର୍ଥ ୨୮ ବିଲିୟନ ଡଲାର ଆକଳନ କରାଯାଇଛି। ଦେଶରେ କୋଭିଡ-୧୯ ମହାମାରୀ କାଳରେ ସାଇରସ ପୁନାୱାଲାଙ୍କୁ ବେଶ୍ ଫାଇଦା ମିଳିଥିଲା। ତାଙ୍କ କମ୍ପାନୀ ସିରମ ଇନିଷ୍ଟିଚ୍ୟୁଟ୍ ବିପୁଳ ପରିମାଣରେ କୋଭିଡ ଟିକା ପ୍ରସ୍ତୁତ କରିଥିଲା।

ହୁରୁନଙ୍କ ଗତବର୍ଷ ସୂଚୀରେ ସାଇରସ ପୁନାୱାଲା ତୃତୀୟ ଧନଶାଳୀ ବ୍ୟକ୍ତି ଥିଲେ। ତେବେ ତାଜା ସୂଚୀରେ ଶିବ ନାଦର ଓ ତାଙ୍କ ପରିବାରକୁ ଚତୁର୍ଥ ସ୍ଥାନ ମିଳିଛି। ହୁରୁନ ହିସାବ ଅନୁସାରେ ନାଦର ଫ୍ୟାମିଲିର ବର୍ତ୍ତମାନ ନେଟୱର୍ଥ ୨୭ ବିଲିୟନ ଡଲାରରୁ ବି ଅଧିକ। ଗତବର୍ଷ ମଧ୍ୟ ନାଦର ପରିବାର ସୂଚୀର ଚତୁର୍ଥ ସ୍ଥାନରେ ଥିଲେ। ସେହିପରି ଷ୍ଟିଲ କିଙ୍ଗ ନାମରେ ପ୍ରଶିଦ୍ଧ ଲକ୍ଷ୍ମୀ ମିତ୍ତଲ ୨୦ ବିଲିୟନ ଡଲାର ନେଟୱର୍ଥ ସହିତ ସୂଚୀର ପଞ୍ଚମ ସ୍ଥାନରେ ଅଛନ୍ତି। ତେବେ ଗତବର୍ଷ ସୂଚୀର ପଞ୍ଚମ ସ୍ଥାନରେ ରାଧାକିଷନ ଦମାନୀ ଥିଲେ।