ଦୁଇ ବର୍ଷ ପରେ ଇନଷ୍ଟାଗ୍ରାମରେ ପୋଷ୍ଟ କଲେ ଭିଡିଓ ଧୋନୀ, ଫ୍ୟାନ୍ସ ଦେଖିଲେ ମାହୀଙ୍କ ଦେଶୀ ଅନ୍ଦାଜ୍
10/02/2023 at 1:41 PM

ନୂଆଦିଲ୍ଳୀ, ୧୦/୦୨: ଦୀର୍ଘ ଦୁଇ ବର୍ଷର ବ୍ୟବଧାନ ପରେ ଇନଷ୍ଟାଗ୍ରାମରେ ନଜର ଆସିଛନ୍ତି ଧୋନୀ। ଭାରତୀୟ କ୍ରିକେଟ୍ ଟିମ୍ ପୂର୍ବତନ କ୍ୟାପ୍ଟେନ ମହେନ୍ଦ୍ର ସିଂହ ଧୋନୀ ପ୍ରାୟ ୨ ବର୍ଷ ପରେ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ ଟ୍ରାକ୍ଟର ସାହାଯ୍ୟରେ ହଳ କରୁଥିବାର ନଜର ଆସିଛିନ୍ତି। ସେ ତାଙ୍କ ରାଞ୍ଚିସ୍ଥିତ ଫାର୍ମ ହାଉସ୍ରେ ଏହି ହଳ କରୁଛନ୍ତି। ତେବେ ଏହି ପୋଷ୍ଟ ପରେ ତାଙ୍କର ଫଲୋଅରମାନେ ଇନଷ୍ଟାଗ୍ରାମକୁ ଫେରିବାକୁ ନେଇ ଖୁସି ହୋଇଛନ୍ତି।
ଏହି ପୋଷ୍ଟ ସେୟାର କରି ସେ ଲେଖିଛନ୍ତି ‘‘ କିଛି ନୂଆ କରି ଶିଖିବା ଭଲ ଲାଗିଲା କିନ୍ତୁ କାମ୍ ଶେଷ କରିବାକୁ ବହୁତ ସମୟ ଲାଗିଲା।’’। ଏହି ଭିଡିଓରେ ଦେଖାଯାଉଛି ଏମଏସ ଧୋନୀ ଟ୍ରାକ୍ଟରରେ ହଳ କରିବା ଶିଖୁଛନ୍ତି। ଟ୍ରାକ୍ଟରରେ ତାଙ୍କ ସହ ଆଉ ଜଣେ ବସିଥିବାର ଦେଖାଯାଉଛି। ଭିଡିଓ ଶେଷରେ ଧୋନୀ କାମ ଶେଷ କରୁଥିବାର ନଜର ଆସିଛନ୍ତି। ଏହି ଭିଡିଓକୁ ଖୁବ୍ ପସନ୍ଦ କରୁଛନ୍ତି ଫ୍ୟାନ୍। ଏମିତିକି ପୋଷ୍ଟରେ ଆଇପିଏଲ ଫ୍ରାଞ୍ଚାଇଜ୍ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟ ପ୍ରତିକିୟା ରଖିଛି। ଏବଂ ଇନଷ୍ଟାଗ୍ରାମରେ ଫେରିବାକୁ ନେଇ ଖୁସିପ୍ରକାଶ କରିଛି।
ପୂର୍ବରୁ ଶେଷ ଥର ପାଇଁ ଧୋନୀ ଇନଷ୍ଟାଗ୍ରାମରେ ୨୦୨୧ ଜାନୁଆରୀ ୮ ରେ ପୋଷ୍ଟ କରିଥିଲେ। ଯେଉଁଥିରେ ସେ ନିଜ ଫାର୍ମରେ ଲଗାଇଥିବା ଷ୍ଟ୍ରବେରୀ ଖାଉଥିବାର ଦେଖାଯାଇଥିଲେ। ଏବଂ ଏକ ମଜାଳିଆ ଢଙ୍ଗରେ କ୍ୟାପ୍ସନ ମଧ୍ୟ ରଖିଥିଲେ।
ବିଶ୍ବର ସବୁଠୁ ଲୋକପ୍ରିୟ କ୍ରିକେଟର-ବ୍ୟାଟର ଏସଏସ ଧୋନୀ ଅଗଷ୍ଟ ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟ୍ର ସବୁ ଫର୍ମାଟରୁ ଅବସର ଘୋଷଣା କରିସାରିଛନ୍ତି। ନିଜ ୧୬ ବର୍ଷ କ୍ୟାରିୟରରେ ବେଶ୍ ରୋମାଞ୍ଚକର ପ୍ରଦର୍ଶନ ଦେଖାଇଛନ୍ତି ଧୋନୀ। ତାଙ୍କ ନେତୃତ୍ବରେ ଭାରତ ଅନେକ ବଡ଼ ବିଜୟ ହାସଲ କରିଥିଲା। ତେବେ ଅବସର ପରେ ଏବେ ସେ ପରିବାର ସହ ସମୟ ବିତାଉଛନ୍ତି।