ପତ୍ନୀ ଓ ଝିଅ ସହ ଜନ୍ମଦିନ ପାଳନ କଲେ ଧୋନି
7/07/2019 at 1:34 PM

ମଞ୍ଚେଷ୍ଟର ୭/୭ : ଭାରତର ଷ୍ଟାର କ୍ରିକେଟ ଖେଳାଳି ମହେନ୍ଦ୍ର ସିଂହ ଧୋନି ରବିବାର ଦିନ ନିଜ ପତ୍ନୀ, ଝିଅ ଅନ୍ୟ ସମ୍ପର୍କୀୟଙ୍କ ସହ ନିଜ ଜନ୍ମଦିନ ପାଳନ କରିଛନ୍ତି । ଜୁଲାଇ ୭ ତାରିଖରେ ଧୋନିଙ୍କ ଜନ୍ମଦିନ । ୧୯୮୧ ମସିହା ଜୁଲାଇ ୭ ତାରିଖରେ ଜନ୍ମ ହୋଇଥିଲେ ଧୋନି । ଆଜି ତାଙ୍କୁ ୩୮ ବର୍ଷ ବୟସ ହେଲା । ଏହି ଅବସରରେ ତାଙ୍କ ପତ୍ନୀ ସାକ୍ଷୀ ଧୋନିଙ୍କ ଜନ୍ମଦିନ ଅବସରର ଫଟୋ ଇନ୍ସଟାଗ୍ରାମରେ ସେୟାର କରିଛନ୍ତି ।

ଇନ୍ସଟାଗ୍ରାମରେ ସେୟାର କରିଥିବା ଫଟୋରେ ଧୋନି ନିଜ ଝିଅ ଜିଭା ସହ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି । ଇନ୍ସଟାଗ୍ରାମରେ ଧୋନିଙ୍କ ପ୍ରଶଂସକମାନେ ମଧ୍ୟ ତାଙ୍କୁ ଜନ୍ମଦିନର ଶୁଭକାମନା ଜଣାଇଛନ୍ତି ।

ଧୋନିଙ୍କ ଝିଅ ଜିଭାଙ୍କ ଇନ୍ସଟାଗ୍ରାମ ଆକାଉଣ୍ଟରୁ ମଧ୍ୟ ଫଟୋ ପୋଷ୍ଟ କରାଯାଇଛି । ସୋସିଆଲ ମିଡ଼ିଆରେ ଲକ୍ଷ ଲକ୍ଷ ଲୋକ ଧୋନିଙ୍କୁ ଶୁଭକାମନା ଜଣାଇଛନ୍ତି । ଜନ୍ମଦିନର ଦିନେ ପୂର୍ବରୁ ଆଇସିସି ଟ୍ୱିଟର ପେଜରେ ଏକ ଭିଡିଓ ସେୟାର କରିଥିଲେ । ଭିଡିଓରେ ବିରାଟ କହିଛନ୍ତି ଯେ, ଯେତେବେଳେ ସେ ପ୍ରଥମଥର ପାଇଁ ଭାରତୀୟ ଡ୍ରେସିଂ ରୁମକୁ ଯାଇଥିଲେ ସେତେବେଳେ ଧୋନି ତାଙ୍କ ଅଧିନାୟକ ଥିଲେ ।

ଆଜି ଭାରତୀୟ ଟିମ ଅଧିନାୟକ ବିରାଟ ହୋଇଥିଲେ ମଧ୍ୟ ସେ ନିଜ ମନ ଭିତରେ ସବୁବେଳେ ଧୋନିଙ୍କୁ ହିଁ ଅଧିନାୟକ ବୋଲି ଭାବନ୍ତି ବୋଲି କହିଛନ୍ତି ବିରାଟ । ସେ ଧୋନିଙ୍କୁ ବହୁତ ସମ୍ମାନ କରନ୍ତି ବୋଲି କହିଛନ୍ତି ବିରାଟ । ଚାଲିଆ ବିଶ୍ୱକପ ପରେ ଧୋନି କ୍ରିକେଟ ଜଗତରୁ ସନ୍ୟାସ ନେବେ ବୋଲି ଶୁଣିବାକୁ ମିଳୁଛି । କିନ୍ତୁ କିଛି ବରିଷ୍ଠ ଖେଳାଳିଙ୍କ କହିବାନୁଯାୟୀ, ଧୋନି ଆଉ କିଛି ବର୍ଷ କ୍ରିକେଟ ଖେଳିପାରିବେ ।