ଦୀର୍ଘ ଦିନ ପରେ ମଇଦାନକୁ ଓହ୍ଲାଇଲେ ମାହି, ଧୋନୀ- ଧୋନୀ ନାରାରେ କମ୍ପିଲା ଷ୍ଟାଡିୟମ
2/03/2020 at 8:56 PM

ଚେନ୍ନାଇ ୦୨।ମାର୍ଚ୍ଚ- ପାଖାପାଖି ଗୋଟିଏ ବର୍ଷ ପରେ ମଇଦାନକୁ ଓହ୍ଲାଇଲେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ। ଧୋନୀ ସୋମବାର ଚେନ୍ନାଇ ସୁପରକିଙ୍ଗ୍ସ(ସିଏସକେ) ପକ୍ଷରୁ ପ୍ରଥମ ଅଭ୍ୟାସ ସେସନରେ ପଡିଆକୁ ଓହ୍ଲାଇବା ମାତ୍ରେ ଏଏମଏ ଚିଦାମ୍ବରମ ଷ୍ଟାଡିୟମରେ ତାଙ୍କୁ ଜୋରଦାର ସ୍ଵାଗତ କରାଯାଇଥିଲା।
ଧୋନୀ ନିଜ କ୍ୟାରିୟରକୁ ନେଇ ଜାରି କଳ୍ପନା ଜଳ୍ପନା ମଧ୍ୟରେ ଅଭ୍ୟାସ ପାଇଁ ସୋମବାର ପଡିଆକୁ ଓହ୍ଲାଇଛନ୍ତି। ଯେମିତି ସେ ନେଟ୍ ପ୍ରାକ୍ଟିସ୍ ପାଇଁ ବ୍ୟାଟ୍ ଧରି ପିଚକୁ ଓହ୍ଲାଇଲେ ସେହି ସମୟରେ ପଡିଆ ବାହାରେ ତାଙ୍କର ଝଲକ ପାଇବା ପାଇଁ ସେଠାରେ ପ୍ରଶଂସକଙ୍କ ଗହଳି ଜମି ରହିଥିଲା। ଷ୍ଟାଡିୟମ ଧୋନୀ ଧୋନୀ ନାରାରେ ଗୁଞ୍ଜି ଉଠୁଥିଲା। ଏହା ମଧ୍ୟରେ ଧୋନୀ ନିଜର ଅଭ୍ୟାସ୍ ଆରମ୍ଭ କରିଥିଲେ।
ଗତ ବର୍ଷ ଦିନିକିଆ ବିଶ୍ଵ କପ ପରଠୁ କଳ୍ପନା ଜଳ୍ପନା ଲାଗି ରହିଥିଲା ଯେ, ଏବେ ଏହି ବରିଷ୍ଠ ଖେଳାଳି କ୍ରିକେଟକୁ ଅଲବିଦା କହି ଦେବେ। କାରଣ ଏହି ପୂର୍ବତନ ଭାରତୀୟ ଅଧିନାୟକ ବିଶ୍ଵ କପ ସେମି ଫାଇନଲାରେ ଭାରତର ପରାଜୟ ପରଠୁ କୌଣସି ମ୍ୟାଚ୍ ଖେଳି ନାହାନ୍ତି। ଏବେ ସେ ଆଇପିଏଲ ଜରିଆରେ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି। ସିଏସକେ ଧୋନୀଙ୍କ ଅଭ୍ୟାସର ଏକ ଭିଡିଓ ମଧ୍ୟ ନିଜର ଟ୍ଵିଟ ଆକାଉଣ୍ଟରେ ସେୟାର କରିଛନ୍ତି।
ଏହା ପୂର୍ବରୁ ଧୋନୀ ଯେବେ ଚେନ୍ନାଇ ସୁପର କିଙ୍ଗ୍ସ ଦଳର ବସରେ ବସି ଷ୍ଟାଡିୟମ ଅଭିମୁଖେ ବାହାରିଲେ, ସେହି ସମୟରେ ସଡକର ଉଭୟ ପାର୍ଶ୍ଵରେ ତାଙ୍କ ପ୍ରଶଂସକଙ୍କ ଭିଡ ଦେଖିବାକୁ ମିଳିଥିଲା। ବସର ଆଖପାଖରେ ବାଇକରେ ଯାତ୍ରା କରୁଥିବା ତାଙ୍କର ପ୍ରଶଂସକ ଧୋନୀ ଧୋନୀ ନାରା ଲଗାଉଥିବା ଦେଖିବାକୁ ମିଳିଥିଲା।
ନେଟ୍ ଅଭ୍ୟାସ୍ ସମୟରେ ସେ କିଛି ଜୋରଦାର ସଟ୍ ଲଗାଇ ନିଜ ପ୍ରଶଂସକଙ୍କୁ ଆନନ୍ଦିତ କରିଥିଲେ। ଚେନ୍ନାଇ ଖେଳାଳିଙ୍କ ଅଭ୍ୟାସ୍ ଦେଖିବାକୁ ଶତାଧିକ ଲୋକଙ୍କ ଭିଡ ଜମି ଥିଲା। ସୋମବାର ସିଏସକେର ଅମ୍ବତି ରାୟୁଡୁ, ମୁରଲୀ ବିଜୟ, ପିୟୂଷ ଚାଓ୍ଵଲା, କର୍ଣ୍ଣ ଶର୍ମା, ଆର ସାଇ କିଶୋର ଓ ଏନ ଜଗଦୀଶନ ଅଭ୍ୟାସ୍ କରିବାକୁ ପଡିଆକୁ ଓହ୍ଲାଇଥିଲେ। ଉଲ୍ଲେଖଯୋଗ୍ୟ, ଆଇପିଏଲର ଉଦଘାଟନୀ ମ୍ୟାଚ୍ ମାର୍ଚ୍ଚ ୨୯ରେ ଚେନ୍ନାଇ ସୁପରକିଙ୍ଗ୍ସ ଓ ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମୁମ୍ବାଇର ଓ୍ଵାଙ୍ଖେଡା ଷ୍ଟାଡିୟମରେ ଖେଳାଯିବ।