ମାଙ୍କଡ଼ାପଥର ଖାଦାନରୁ ନାବାଳକର ମୃତଦେହ ଠାବ, ପୋଲିସର ଛାନ୍ଭିନ୍ ଜାରି
31/08/2020 at 10:01 AM

ଆନନ୍ଦପୁର ୩୧।୦୮: ମାଙ୍କଡ଼ାପଥର ଖାଦାନରୁ ନାବାଳକର ମୃତଦେହ ଠାବ ହୋଇଛି । କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା କଇଁସାରି ଗାଁ ନିକଟରେ ଥିବା ଏକ ମାଙ୍କଡ଼ାପଥର ଖାଦାନରୁ ମୃତଦେହ ଠାବ ହୋଇଛି । ମୃତ ନାବାଳକ କଇସାରି ଗାଁର ବାବୁଲି ପାତ୍ରଙ୍କ ପୁଅ ଚନ୍ଦନ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ଚନ୍ଦନ ଶୌଚ ହେବାକୁ ଯାଇ ଗତକାଲି ଠାରୁ ନିଖୋଜ ଥିଲେ । ବହୁ ଖୋଜାପରେ ପରିବାର ଲୋକେ ଚନ୍ଦନର ପତ୍ତା ପାଇନଥିଲେ । କିନ୍ତୁ ଆଜି ସକାଳ ସମୟରେ ପାଣିରେ ମୃତଦେହଟି ଭାସୁଥିବାର ଦେଖିବାକୁ ମିଳିଥିଲା । ସ୍ଥାନୀୟଲୋକେ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ରାମଚନ୍ଦ୍ରପୁର ଥାନ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା । ତେବେ ଶୌଚ ହେବା ସମୟରେ ଗୋଡ ଖସିଯିବାରୁ ପାଣିରେ ବୁଡି ତାର ମୃତ୍ୟୁ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି । ରାମଚନ୍ଦ୍ରପୁର ଥାନା ପୋଲିସ ଅଧିକ ଛାନ୍ଭିନ୍ ଜାରି ରଖିଛି ।