ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା,୨୭ ଦିନ ପରେ ପଥର ଖୋଲରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
9/12/2022 at 2:00 PM

କରଞ୍ଜିଆ,୦୯/୧୨: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ସଲେଇବେଡା ଗ୍ରାମର ନିଖୋଜ ମହିଳାଙ୍କ ଗଳିତ ମୃତଦେହ ୨୭ ଦିନ ପରେ ଉଦ୍ଧାର ହୋଇଛି । ଗ୍ରାମ ନିକଟରେ ଥିବା ପାହାଡ଼ର ପଥର ଖୋଲ ଭିତରୁ ପୋଲିସ ଉଦ୍ଧାର କରିଛି। ମହିଳାଙ୍କୁ ହତ୍ୟା ପରେ ମୃତଦେହକୁ ନେଇ ପଥର ଖୋଲରେ ଲୁଚାଇ ଦେଇଥିବାର ପୋଲିସ ଜାଣିବା ପରେ ଏହି ହତ୍ୟାକାଣ୍ଡରେ ସଂପୃକ୍ତ ୪ ଜଣକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ତେବେ ଏପରି ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ସାଲେଇବେଡା ଗାଁରେ ।
ଗତ ନଭେମ୍ବର ମାସ ୧୧ ତାରିଖ ଦିନ ଲାଛୁ ବିରୁଆଙ୍କ ସ୍ତ୍ରୀ କାଇରୀ ବିରୁଆ ଗ୍ରାମଠାରୁ ପ୍ରାୟ ୩ କିମି ଦୂର ହାତୀଗୋଡା ସାପ୍ତାହିକ ହାଟକୁ ଯାଇଥିଲେ। ହାଟରୁ ସନ୍ଧ୍ୟା ବେଳେ ଫେରିବା ବାଟରେ ଗ୍ରାମ ନିକଟ ଛକରେ ପୂର୍ବରୁ ଜଗି ରହିଥିବା ଅଭିଯୁକ୍ତମାନେ ତାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିଲେ । ପରେ ମୃତଦେହକୁ ଲୁଚାଇ ଦେଇ ରାତି ପ୍ରାୟ ୩ଟା ବେଳେ ମୃତଦେହକୁ ଏକ ମସାରି ଦ୍ୱାରା ଗୁଡ଼ାଇ ଭାର କରି ଗ୍ରାମ ନିକଟରେ ଥିବା ତିରିଂବୁରୁ ପାହାଡ଼କୁ ନେଇ ପାହାଡ଼ର ପ୍ରାୟ ୨୦୦ ମିଟର ଉଚ୍ଚରେ ଥିବା ଏକ ପଥର ଖୋଲ ଭିତରେ ପକାଇ ଦେଇଥିଲେ। କାଇରି ନିଖୋଜ ହେବାର ୮ ଦିନ ପରେ ନଭେମ୍ବର ୨୦ ତାରିଖ ତାଙ୍କ ପୁଅ ଜଗା ବିରୁଆ ଠାକୁରମୁଣ୍ଡା ଥାନାରେ ମାଆର ନିଖୋଜ ଓ ତାଙ୍କୁ ହତ୍ୟା କରିଥିବା ନେଇ ଅଭିଯୋଗ କରିଥିଲେ ।
ଥାନାରେ ଏକ ମାମଲା ରୁଜ୍ଜୁ ହୋଇ ପୋଲିସ ଏହି ଘଟଣାର ଅନୁସନ୍ଧାନ କରି ୪ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଗଳିତ ଶବକୁ ଉଦ୍ଧାର କରିଥିଲା। ଘଟଣାସ୍ଥଳକୁ ଉପଖଣ୍ଡ ପୋଲିସ ଅଧିକାରୀ ,ଠାକୁରମୁଣ୍ଡା ଥାନା ଅଧିକାରିଣୀ ସମେତ ସାଇଣ୍ଟିଫିକ ଟିମ ଯାଇ ତଦନ୍ତ କରିଥିଲେ। ଉଦ୍ଧାର ଗଳିତ ଶବକୁ ପରିବାର ଲୋକେ ଚିହ୍ନଟ କରିଥିଲେ । ତେବେ ଅଭିଯୁକ୍ତମାନେ ନିଜ ଦୋଷ ସ୍ୱୀକାର କରିବା ସହ ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବାର କରଞ୍ଜିଆ SDPO କହିଛନ୍ତି।