ମୁକୁଳା ଡ୍ରେନରୁ ମିଳିଳା ମୃତଦେହ, ହତ୍ୟା ନା’ ଆଉ କିଛି ?

Published By : Prameya-News7 Bureau | November 06, 2022 IST

ପୁରୀ, ୦୬/୧୧: ମୁକୁଳା ଡ୍ରେନ‌‌ ଭିତରେ ପଡିଛି ମୃତଦେହ। ପୁରୀ ରେଡକ୍ରସ ରୋଡ ପୋଲିସ ହାଇସ୍କୁଲ ପାଖ ଡ୍ରେନରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି।‌ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କାରଣ ପାଲଟିଛି।

ବ୍ୟକ୍ତିଙ୍କୁ କେହି ହତ୍ୟା କରି ଡ୍ରେନ୍ ଭିତରେ ଫିଙ୍ଗିଥିବା ନେଇ ସନ୍ଦେହ କରାଯାଉଛି। ଖବର ପାଇ ଘଟଣାସ୍ଥଳରେ କୁମ୍ଭାରପଡ଼ା ଥାନା ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ତେବେ ବ୍ୟକ୍ତି ଜଣକ ନିଶାସକ୍ତ ଅବସ୍ଥାରେ ମୁକୁଳା ଡ୍ରେନ୍‌ ଭିତରେ ପଡି ମୃତ୍ୟୁବରଣ କରିଥାଇପାରନ୍ତି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।

ପୁରୀ ସହରରେ ଅନେକ ସ୍ଥାନରେ ମୁକୁଳା ଡ୍ରେନ ଥିଲେ ହେଁ ଏହା ଉପରେ ମ୍ୟୁନିସିପାଲଟି ପକ୍ଷରୁ ସ୍ଲାବ୍ ପକାଯାଉନାହିଁ। ଫଳରେ ଅନେକ ସମୟରେ ଛୋଟବଡ଼ ଦୁର୍ଘଟଣା ଘଟିବା ସହ ଅନେକ ନିରୀହ ଜୀବନ ମଧ୍ୟ ଚାଲିଯାଉଛି। ସବୁଠାରୁ ବଡ଼କଥା ହେଲା ପୋଲିସ ହାଇସ୍କୁଲ ପାଖରେ ଡ୍ରେନ ମୁକୁଳା ରହିଥିବାବେଳେ ପ୍ରତିଦିନ ଏହି ବାଟ ଦେଇ ଶହ ଶହ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ଓ ସ୍ଥାନୀୟ ଲୋକେ ଯାତାୟତ କରିଥାନ୍ତି। ତେଣୁ ଏହି ଡ୍ରେନ ଉପରେ ମ୍ୟୁନିସିପାଲଟି ତୁରନ୍ତ ସ୍ଲାବ ପକାଇବା ଆବଶ୍ୟକ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.