ମୁମ୍ଵାଇ ୧୫।୦୪: ବଲିଉଡ୍ ଅଭିନେତ୍ରୀ ଜାହ୍ନବୀ କପୁରଙ୍କୁ ଆଗକୁ ‘ମିଷ୍ଟର ଆଣ୍ଡ ମିସେସ୍ ମାହି’ରେ ଦେଖିବାକୁ ମିଳିବ । ସେଥିରେ ତାଙ୍କ ବିପକ୍ଷରେ ସ୍କ୍ରିନ୍ ସେୟାର କରୁଛନ୍ତି ଅଭିନେତା ରାଜକୁମାର ରାଓ । ତେବେ ପ୍ରଯୋଜକ କରନ୍ ଜୋହର ଶନିବାର ଫିଲ୍ମ ସଂପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ଚଳିତମାସ ୧୯ ତାରିଖରେ ଫିଲ୍ମଟି ରିଲିଜ୍ ହେବାର ଥିବାବେଳେ ତାର ରିଲିଜ୍ ତାରିଖ ବଦଳିଥିବା ନେଇ ସୂଚନା ଦେଇଛନ୍ତି ସେ । କରନ୍ଙ୍କ ଅନୁସାରେ, ଫିଲ୍ମ ଏବେ ମେ ୩୧ରେ ପ୍ରେକ୍ଷାଳୟକୁ ଆସିବ ।
ସେହିପରି ଏହି ପ୍ରୋଜେକ୍ଟ ତାଙ୍କ ହୃଦୟର ଅତି ନିକଟତର ବୋଲି ସେ ପ୍ରକାଶ କରିଛନ୍ତି । ‘ମିଷ୍ଟର ଆଣ୍ଡ ମିସେସ୍ ମାହି’ ଏକ ସ୍ପୋର୍ଟସ ଡ୍ରାମା ଫିଲ୍ମ । ତାହା ଭାରତୀୟ କ୍ରିକେଟର ଏମ.ଏସ୍.ଧୋନିଙ୍କ ଜୀବନୀ ଉପରେ ଆଧାରିତ । ଶରନ ଶର୍ମା ଏହାର ନିର୍ଦ୍ଦେଶନାରେ ଅଛନ୍ତି । ଜାହ୍ନବୀ କପୁର ମଧ୍ୟ ନିଜର ସୋସିଆଲ୍ ମିଡିଆ ଆକାଉଣ୍ଟରେ ଫିଲ୍ମର ନୂଆ ରିଲିଜ୍ ତାରିଖ ସଂପର୍କରେ ସୂଚନା ଦେଇଛନ୍ତି । କ୍ୟାପସନ୍ରେ ପ୍ରେମ ସେଞ୍ଚୁରୀ ମାରିବ ବୋଲି ସେ ଲେଖିଛନ୍ତି । ରାଜକୁମାର ରାଓଙ୍କ ସହିତ ଜାହ୍ନବୀଙ୍କର ଏହା ପ୍ରଥମ ଫିଲ୍ମ ନୁହେଁ । ପୂର୍ବରୁ ସେମାନଙ୍କ ଯୋଡ଼ିକୁ ‘ରୁହି’ରେ ଦେଖିବାକୁ ମିଳିଥିଲା । ସେପଟେ ୱାର୍କଫ୍ରଣ୍ଟ କଥା କହିବାକୁ କଲେ ଜାହ୍ନବୀ ଆଗକୁ ‘ଉଲ୍ଝ’ରେ ନଜର ଆସିବେ ।
ସେଥିରେ ତାଙ୍କ ସହିତ ଗୁଲସନ୍ ଦେବୟା, ରାଜେଶ ତୈଲାଙ୍ଗ ପ୍ରମୁଖଙ୍କୁ ଦେଖିବାକୁ ମିଳିବ । ସେହିପରି ତେଲଗୁ ଭାଷାର ଏକ ଆକ୍ସନ୍ ଡ୍ରାମା ଫିଲ୍ମ ‘ଦେବରା: ପାର୍ଟ ୧’ରେ ଦର୍ଶକେ ଜାହ୍ନବୀଙ୍କୁ ଦେଖିବାକୁ ପାଇବେ । ସେହି ଫିଲ୍ମରେ ଜୁନିଅର ଏନ୍ଟିଆର ଲିଡ୍ ରୋଲ୍ରେ ଥିବାବେଳେ ସୈଫ୍ ଅଲ୍ଲୀ ଖାନ୍, ପ୍ରକାଶ ରାଜ ପ୍ରମୁଖ ଅଭିନେତା ନଜର ଆସିବେ । ତାହା ଚଳିତବର୍ଷ ଅକ୍ଟୋବର ମାସରେ ପ୍ରେକ୍ଷାଳୟକୁ ଆସିବ । ଏହି ଦୁଇଟି ଫିଲ୍ମ ବ୍ୟତୀତ ସାଉଥ୍ ସୁପରଷ୍ଟାର ରାମଚରଣ, ଅଭିନେତା ବରୁଣ ଧୱନଙ୍କ ସହିତ ମଧ୍ୟ ଜାହ୍ନବୀଙ୍କର କିଛି ପ୍ରୋଜେକ୍ଟ ରିଲିଜ୍ ହେବାର ରହିଛି ।