ସାଂସଦ ମାନସ ମଙ୍ଗରାଜଙ୍କୁ ନୂଆ ଦାୟିତ୍ୱ, ରାଜ୍ୟସଭା ସ୍ୱାଧିକାର କମିଟିର ହେଲେ ସଦସ୍ୟ
20/12/2022 at 3:30 PM

ଭୁବନେଶ୍ୱର: ରାଜ୍ୟସଭା ସାଂସଦ ତଥା ବିଜେଡି ସାଧାରଣ ସମ୍ପାଦକ ମାନସ ରଞ୍ଜନ ମଙ୍ଗରାଜକୁ ଗୃହରେ ନୂଆ ଦାୟିତ୍ୱ ଦିଆଯାଇଛି । ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖର୍ ମାନସ ମଙ୍ଗରାଜଙ୍କୁ ରାଜ୍ୟସଭାର ସ୍ୱାଧିକାର କମିଟିର ସଦସ୍ୟଭାବେ ମନୋନୀତ କରିଛନ୍ତି । ପୂର୍ବରୁ ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର ଏହି କମିଟିରେ ସଦସ୍ୟ ଥିଲେ ।
ସାଂସଦ ସସ୍ମିତ ପାତ୍ର ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ସ୍ଥାନ ପାଇଥିବାରୁ ରାଜ୍ୟସଭା ଅଧ୍ୟକ୍ଷ ତାଙ୍କ ସ୍ଥାନରେ ମାନସ ମଙ୍ଗରାଜଙ୍କୁ କମିଟିରେ ସ୍ଥାନ ଦେଇଛନ୍ତି । ଏନେଇ ଏକ ପ୍ରେସ ବିଜ୍ଞପ୍ତିରେ ରାଜ୍ୟସଭା ସେକ୍ରେଟାରୀ ଜେନେରାଲଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ଏହା ପୂର୍ବରୁ ବିଜେଡି ସାଂସଦ ମାନସ ମଙ୍ଗରାଜଙ୍କୁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ପରାମର୍ଶଦାତା କମିଟିର ସଦସ୍ୟ ଭାବେ ମନୋନୀତ କରାଯାଇଥିଲା । ସେହିପରି ସାମୁଦ୍ରିକ ଦ୍ରବ୍ୟ ରପ୍ତାନି ଉନ୍ନୟନ କର୍ତ୍ତୃପକ୍ଷ ବା MPEDAର ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ ସାଂସଦ ମାନସ ମଙ୍ଗରାଜ ।