ଯନ୍ତ୍ରଣାରେ ଛଟପଟ ହେଉଥିଲେ ଛୁରାମାଡର ଶିକାର ଯୁବକ, ହସ୍ପିଟାଲରେ ଭର୍ତ୍ତି ନକରି କାଗଜ ପତ୍ର କାମ କଲା ପୋଲିସ

Published By : Prameya-News7 Bureau | October 18, 2020 IST

ଭୋପାଳ, ୧୮|୧୦ :  ଆହତ ଯୁବକଙ୍କ କଷ୍ଟ ଦେଖିପାରିଲାନି ପୋଲିସ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଥିବା ଆହତଙ୍କୁ ମେଡିକାଲ ନେବା ବଦଳରେ କାଗଜପତ୍ର କରିବାକୁ ପ୍ରାଥମିକତା ଦେଲେ ପୋଲିସ ବାବୁ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶରେ । ଯାହାକୁ ନେଇ ସରକାରୀ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସୂଚନାନୁସାରେ, ମଧ୍ୟପ୍ରଦେଶର ଜବଲପୁରରେ ସୋନୁ ନାମରେ ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ଛୁରାମାଡ କରିଥିଲେ । ଯୁବକଜଣଙ୍କ ଏଥିରେ ଗୁରୁତର ହୋଇଥିଲେ । ଏପରିକି ଛୁରା ତାଙ୍କ ପିଠିରେ ରହି ଯାଇଥିଲା । ପ୍ରବଳ ରକ୍ତସ୍ରାବ ହେଉଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଚିବା ସହ ଯୁବକଙ୍କୁ ଉଦ୍ଧାର କରି ମେଡିକାଲ ନେବା ବଦଳରେ ଥାନାକୁ ନେଇଥିଲା । ସେଠାରେ କିଛି କାଗଜପତ୍ର କାମ କରିଥିଲା । ଯୁବକଜଣଙ୍କର ପ୍ରବଳ ରକ୍ତସ୍ରାବ ହେବା ସତ୍ତ୍ୱେ ପୋଲିସ ତାଙ୍କୁ ମେଡିକାଲରେ ଭର୍ତ୍ତି ନକରି କାଗଜପତ୍ର କାମ କରୁଥିବା ନଜର ଆସିଥିଲା । ଏପଟେ ଯୁବକଜଣଙ୍କ ଯନ୍ତ୍ରଣାରେ ଛଟପଟ ହୋଇ ଠିଆ ହୋଇଥିଲେ ।

ଏପରି ଭାବେ ଯନ୍ତ୍ରଣା ଜର୍ଜରିତ ହୋଇ ଯୁବକଜଣଙ୍କ ପ୍ରାୟ ୧ ଘଣ୍ଟା ଧରି ଠିଆ ହୋଇ ରହିଥିଲେ । ତେବେ ଏହି ଘଟଣା ପରେ ସରକାରୀ ବ୍ୟବସ୍ଥା ଉପରେ ପ୍ରଶ୍ୱବାଚୀ ସୃଷ୍ଟି ହୋଇଛି । ପୋଲିସ କଣ ପାଇଁ ପ୍ରଥମେ ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି କଲା ନାହିଁ ଏହାକୁ ନେଇ ମଧ୍ୟ ବିରୋଧୀ କଂଗ୍ରେସ ପ୍ରଶ୍ନ କରିଛି ।

ତେବେ ପୋଲିସ ଅଭିଯୋଗ ପାଇବା ପରେ ମାମଲାର ତଦନ୍ତ ଆରମ୍ଭ କରି ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.