ବୈତରଣୀ ଏସକେପ୍ ବୁଲି ଦେଖିଲେ ସାଂସଦ ଓ ବିଧାୟକଙ୍କ ଟିମ୍, ଖୁବ୍ଶୀଘ୍ର ସମସ୍ୟାର ହେବ ସମାଧାନ
20/08/2022 at 4:18 PM

ଭଦ୍ରକ ୨୦।୮: ବୈତରଣୀ ନଦୀର ଏସକେପ ବୁଲି ଦେଖିଲେ ସାଂସଦ ଓ ବିଧାୟକଙ୍କ ଟିମ୍ । ସମସ୍ୟା ନେଇ ଆଲୋଚନା ସହ ସ୍ଥାୟୀ ସମାଧାନ ପାଇଁ ପ୍ରଚେଷ୍ଟା ଆରମ୍ଭ ହେବ ଓ ଟେକନିକାଲ ଟିମ ମଧ୍ୟ ସମାଧାନର ବାଟ ଦେଖାଇବ । ଭଦ୍ରକ ଜିଲ୍ଲାର ସାଂସଦ ମଞ୍ଜୁଲତା ମଣ୍ଡଳ, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ଧାମନଗର ବ୍ଲକର ପୂର୍ବତନ ବ୍ଲକ ଅଧକ୍ଷ ଅଶୋକ ନାୟକଙ୍କ ସହ ପୁରା ଟିମ ବୈତରଣୀ ନଦୀର ମଲ୍ଲିମାହାରା ଓ ଗୌରାଙ୍ଗପୁର ଏସକେପ ପରିଦର୍ଶନ କରିଛନ୍ତି । ସ୍ଥାନୀୟ ଲୋକଙ୍କ ସହ ଆଲୋଚନା ହୋଇଛି ।
ତେବେ ବନ୍ୟା ବେଳେ ଏସକେପର ପାଣି ଚାଷ ଜମି ଓ ଜନବସତିକୁ ପ୍ରବେଶ କରିବା ସହ ବନ୍ୟା ପରିସ୍ଥିତି ସୃଷ୍ଟି କରୁଛି । ତେବେ ଏହି ସମସ୍ୟାର ସ୍ଥାୟୀ ପ୍ରତିକାର ପାଇଁ ଏସକେପର ଉଚ୍ଚତା ବଢାଇବା ସହ ସ୍ଥାୟୀ ପ୍ରତିକାର କରାଯିବା ନେଇ ଚେଷ୍ଟା ହେଉଛି । ରାଜ୍ୟରୁ ଏକ ଟେକନିକାଲ ଟିମ ଖୁବ ଶୀଘ୍ର ଏହି ଅଞ୍ଚଳକୁ ପରିଦର୍ଶନ କରିବା ପରେ ସମସ୍ୟାକୁ ସମାଧାନ କରାଯିବ ବୋଲି ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ କହିଛନ୍ତି ।