ଖୁବ୍ ଶୀଘ୍ର ଆଇଆଇଟି ଇଞ୍ଜିନିୟରିଂରେ ଓଡିଆ ଭାଷାରେ ପାଠ ପଢିବେ ଛାତ୍ରଛାତ୍ରୀ, ଓଡିଆ ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ଏମଓୟୁ

Published By : Prameya-News7 Bureau | August 20, 2021 IST

ଭୁବନେଶ୍ବର ୨୦।୮: ସମଗ୍ର ଭାରତବର୍ଷରେ ଥିବା ଆଇଆଇଟି ଭଳି ଶିକ୍ଷାନୁଷ୍ଠାନ ବିଶ୍ବ ଓ ମାନବ ସମାଜର ଆଶା ଏବଂ ଆକାଂକ୍ଷାକୁ ପୂରଣ କରିବ ବୋଲି ଶୁକ୍ରବାର ଭାରତୀୟ ପ୍ରାଦ୍ୟୋଗିକ ସଂସ୍ଥାନ (ଆଇଆଇଟି) ଭୁବନେଶ୍ବରର ପୁଷ୍ପଗିରି ଲେକଚର ହଲ୍ କମ୍ପ୍ଲେକ୍ସ ଏବଂ ଋଷିକୁଲ୍ୟା ଛାତ୍ରାବାସର ଲୋକାର୍ପଣ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାସହ ଖୁବ୍ ଶୀଘ୍ର ଆଇଆଇଟି ଇଞ୍ଜିନିୟରିଂରେ ଓଡିଆ ଭାଷାରେ ଛାତ୍ରଛାତ୍ରୀ ପାଠ ପଢିବେ ବୋଲି ଧର୍ମେନ୍ଦ୍ର କହିଛନ୍ତି ।    

ଆଇଆଇଟି ଇଞ୍ଜିନିୟରିଂ ପାଠ୍ୟକ୍ରମକୁ ଓଡ଼ିଆ ଭାଷାରେ ଯୋଡ଼ିବା ପାଇଁ ଆଇଆଇଟିର ନିର୍ଦ୍ଦେଶକମାନଙ୍କୁ ପରାମର୍ଶ ଦେବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଦୀର୍ଘ ୩୪ ବର୍ଷ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ପ୍ରଣୟନ ହୋଇଥବା ନୂଆ ଜାତୀୟ ଶିକ୍ଷା ନୀତିରେ ବହୁ ଭାଷାଭାଷୀ ବିଷୟକୁ ଗୁରୁତ୍ବ ଦିଆଯାଇଛି । ଯୁବକ ଯୁବତୀଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଓଡିଆ ଭାଷା ସମେତ ଦେଶର ସ୍ଥାନୀୟ ଭାଷା ଯଥା ବଙ୍ଗାଳୀ, ମଲାୟାଲାମ, ମରାଠୀ, ଗୁଜୁରାଟୀ,ତେଲୁଗୁ ଭଳି ଆଂଚଳିକ ଭାଷାକୁ ପ୍ରଧାନ୍ୟ ଦିଆଯାଇଛି । ଜାତୀୟ ଶିକ୍ଷା ନୀତିର ପ୍ରମୁଖ ଦିଗ ହେଉଛି ଭାରତର ଆଂଚଳିକ ଭାଷାରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦାନ କରିବା, ଯାହା ଛାତ୍ରଛାତ୍ରୀଙ୍କ ପାଇଁ ଭବିଷ୍ୟତର ନୂଆ ମାନଚିତ୍ର ପ୍ରସ୍ତୁତ କରିବ ବୋଲି ସେ କହିଛନ୍ତି । 

୨୦୧୮ ଡ଼ିସେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଦେଶ ଉଦ୍ଦେଶ୍ୟରେ ସମର୍ପିତ ହୋଇଥିବା ଆଇଆଇଟି ଭୁବନେଶ୍ବର କ୍ୟାମ୍ପସକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗସ୍ତ କରିବା ପରେ ଆଇଆଇଟିର ସାମାଜିକ ମର୍ଯ୍ୟାଦା ସହ ଗୁଣାତ୍ମକ ମାନ ବୃଦ୍ଧି ପାଇଛି । ୮୦୦ ବେଡ୍ ବିଶିଷ୍ଟ ଋଷିକୂଲ୍ୟା ଛାତ୍ରାବାସ ଏବଂ ଅତ୍ୟାଧୁନିକ ଲେକଚର ହଲର ଶୁଭାରମ୍ଭ କରାଯାଇ ଏଠାରେ ଭିତ୍ତିଭୂମିକୁ ମଜବୁତ୍ କରାଯାଇଛି । ଏହି ଶିକ୍ଷାନୁଷ୍ଠାନ ବିଶ୍ବ ଓ ମାନବ ସମାଜର ଆଶା ଏବଂ ଆକାଂକ୍ଷା ପୂରଣ କରିବ ।

ଦେଶର ଆଇଆଇଟି ବିଶ୍ବ ଓ ଦେଶର ବୈଷୟିକ ଆବଶ୍ୟକତାକୁ ପୂରଣ କରୁଛନ୍ତି । ଶିଳ୍ପ ବିପ୍ଳବ ୪.୦ ବିଶ୍ବର ବିକାଶ ପାଇଁ ବ୍ୟବସାୟର ନୂଆ ମଡ଼େଲ ଆବଶ୍ୟକତା କରୁଥିବା ବେଳେ ଆଇଆଇଟି ଭୁବନେଶ୍ବର ଏଥିପାଇଁ ନୂଆ ବ୍ୟବସାୟ ଓ ଆର୍ôଥକ ମଡ଼େଲ ପ୍ରସ୍ତୁତ କରି ନିଯୁକ୍ତି ସୃଷ୍ଟି କରିବା ସହ ନୂଆ ବୈଷୟିକ ସମସ୍ୟାର ସମାଧାନ କରିବା ଦରକାର । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଆଇଆଇଟି ଭୁବନେଶ୍ବର ଛାତ୍ରଛାତ୍ରୀଙ୍କୁ ଦେଶର ସମୃଦ୍ଧ ସଂସ୍କୃତି, ଐତିହ୍ୟ, ପରମ୍ପରା, ଖାଦ୍ୟପେୟର ପ୍ରଚାର ପ୍ରସାର କରିବା ପାଇଁ ଆହ୍ବାନ କରିଥିଲେ ।

ଉଲ୍ଲେଖନୀୟ ଯେ, ଏହି ଅବସରରେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଓଡିଆ ପିଲାଙ୍କର ଦକ୍ଷତା ବୃଦ୍ଧି କରି ସେମାନଙ୍କୁ ରୋଜଗାର ଦେବା ପାଇଁ ଆଇଆଇଟି ଭୁବନେଶ୍ବର ଏବଂ ଦକ୍ଷତା ବିକାଶ ପ୍ରତିଷ୍ଠା (ଏସଡିଆଇ) ଭୁବନେଶ୍ବର ମଧ୍ୟରେ ବୁଝାମଣା ପତ୍ର(ଏମଓୟୁ) ସ୍ବାକ୍ଷରିତ ହୋଇଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.