5G ଲ୍ୟାବ୍ ପ୍ରତିଷ୍ଠା ପାଇଁ ସୋଆ ଏବଂ ଜିଓ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ

Published By : Prameya-News7 Bureau | January 05, 2023 IST

ଭୁବନେଶ୍ୱର ୦୫/୦୧: ସୋଆ ଏବଂ ଜିଓ ପ୍ଲାଟ୍‌ଫର୍ମ ଲିମିଟେଡ୍‌ ମଧ୍ୟରରେ ଏକ ୫ଜି ଲ୍ୟାବ୍ ପ୍ରତିଷ୍ଠା, ଅପ୍ଟିକାଲ୍ କମ୍ୟୁନିକେସନ୍ ଓ ୬ଜି ଭଳି ନୂଆ ଟେକ୍ନୋଲୋଜି ପ୍ରସ୍ତୁତି କ୍ଷେତ୍ରରେ ସହଭାଗିତା ସୃଷ୍ଟି କରିବା ଲକ୍ଷରେ ଗୁରିବାର ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଏହାଛଡ଼ା ସୋଆ ଏବଂ ସଫ୍ଟୱେୟାର ଟେକ୍ନୋଲୋଜି ପାର୍କ୍‌ସ ଅଫ୍ ଇଣ୍ଡିଆ (ଏସ୍‌ଟିପିଆଇ) ମଧ୍ୟରେ ଅନ୍ୟ ଏକ ବୁଝାମଣା ପତ୍ର ମଧ୍ୟ ସ୍ୱାକ୍ଷରିତ ହୋଇଛି। ମ୍ୟାନେଜ୍‌ମେଣ୍ଟ ଓ ନୂଆ ଜ୍ଞାନ କୌଶଳ କ୍ଷେତ୍ରରେ ସହଭାଗିତା ଦ୍ୱାରା କୁଶଳୀ ମାନବ ସମ୍ବଳ ସୃଷ୍ଟି ପାଇଁ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି।

ସୋଆ ଅଡିଟୋରିୟମ୍‌ରେ ରାଜ୍ୟରେ 5G ସେବାର ଶୁଭାରମ୍ଭ ଅବସରରେ ଏହି ଦୁଇ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟୋଗୀକରଣ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ରେଳ, ଯୋଗାଯୋଗ ଓ ଦୂରସଞ୍ଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ଓଡ଼ିଶାରେ ୫ ଜି ସେବାର ଶୁଭାରମ୍ଭ ଉତ୍ସବରେ ଏହି ଦୁଇଟି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ସୋଆର ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ଏସ୍‌ଟିପିଆଇର ଡାଇରେକ୍ଟର ଜେନେରାଲ୍ ଶ୍ରୀ ଅରବିନ୍ଦ କୁମାରଙ୍କ ମଧ୍ୟରେ ଗୋଟିଏ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ସେହିପରି 5G ଲ୍ୟାବ୍ ନେଇ ବିଶ୍ୱବିଦ୍ୟାଳୟର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ୍ ଏବଂ ଜେପିଏଲ୍‌ର ସଭାପତି ଡକ୍ଟର ରବି.ପି. ଗାନ୍ଧୀଙ୍କ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା।

ବୁଝାମଣା ଅନୁସାରେ ଜେପିଏଲ୍ ଏବଂ ଏହା ସହ ଅନୁବନ୍ଧିତ ଏବଂ ଗୃପ୍‌ର ଅନ୍ୟ କମ୍ପାନୀଗୁଡ଼ିକ ସୋଆ ସହ ମିଳିତ ଭାବେ କାମ କରିବେ। ଅତ୍ୟାଧୁନିକ ୫ ଜି ଷ୍ଟାଣ୍ଡାର୍ଡ-୫ ଜି ଷ୍ଟାଣ୍ଡଏଲୋନ୍(ଏସ୍‌ଏ), ଅପ୍ଟିକାଲ୍ ଫାଇବର୍ ନେଟୱର୍କ୍‌ସ ଆଦି କ୍ଷେତ୍ରରେ ଗବେଷଣା ଏବଂ ପ୍ରଶିକ୍ଷଣ ଓ ୫ଜି ପ୍ଲାଟଫର୍ମରେ ନୂଆ ସେବାର ବିକାଶ ପାଇଁ ମିଳିତ ଭାବେ କାର୍ଯ୍ୟ କରିବା ବିଷୟରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଜେପିଏଲ୍ ସୋଆ ସହିତ “ଜିଓ ଷ୍ଟାଣ୍ଡଏଲୋନ୍ ଟେକ୍ନୋଲୋଜି ଟେଷ୍ଟ ଲ୍ୟାବ” ପ୍ରତିଷ୍ଠା କରିବା ସହିତ ସୋଆର ଗବେଷକମାନଙ୍କ ସହ ମିଳିତ ଭାବେ କାର୍ଯ୍ୟ କରିବ। ସୋଆ ବିଶ୍ୱବିଦ୍ୟାଳୟରେ ଜେପିଏଲ୍ ଏକ ୫ ଜି ଟେଷ୍ଟ ବେଡ୍ ମଧ୍ୟ ପ୍ରତିଷ୍ଠା କରିବା ପ୍ରସ୍ତାବ ରହିଛି।

ଗତ ସେପ୍ଟେମ୍ବର ୧୫ରେ ସୋଆ ଗସ୍ତରେ ଆସିଥିବା ଅଶ୍ୱିନୀ ବୈଷ୍ଣବ ସୋଆ ଭଳି ଆନ୍ତର୍ଜାତୀକ ଖ୍ୟାତି ସମ୍ପନ୍ନ ଅତ୍ୟାଧୁନିକ ବିଶ୍ୱବିଦ୍ୟାଳୟରେ ଏକ ୫ ଜି ଲ୍ୟାବ୍ ପ୍ରତିଷ୍ଠା ଆବଶ୍ୟକ ବୋଲି ମତ ଦେଇ ଏହି ପ୍ରକଳ୍ପ ପାଇଁ ସମସ୍ତ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ୫ଜି ଟେକ୍ନୋଲୋଜିକୁ ପ୍ରୋତ୍ସାହନ ଦେବାକୁ ଆଇଆଇଟି ମାଡ୍ରାସ୍‌ରେ ଏକ ବିଶ୍ୱସ୍ତରୀୟ ୫ଜି ଲ୍ୟାବ୍ ପ୍ରତିଷ୍ଠା ହୋଇସାରିଛି ବୋଲି ସେ କହିଥିଲେ। ସୋଆ ପକ୍ଷରୁ ଏହି ଲ୍ୟାବ୍‌ର ପ୍ରତିଷ୍ଠା ପାଇଁ ସମସ୍ତ ପ୍ରକାର ଆନୁସଙ୍ଗିକ ଭିତ୍ତିଭୂମି ଯୋଗାଇ ଦିଆଯିବ ଏବଂ ପ୍ରଶିକ୍ଷଣ ଓ ବିକାଶମୂଳକ କାର୍ଯ୍ୟ ଦିଗରେ ସମସ୍ତ ସହଯୋଗ କରାଯିବ ବୋଲି କୁହାଯାଇଛି। ସେହିପରି ସୋଆ ଏବଂ ଏସ୍‌ଟିପିଆଇ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣା ଅନୁସାରେ ୨ଟି ଅନୁଷ୍ଠାନ ମିଳିତ ଭାବେ କୁଶଳୀ ମାନବ ସମ୍ବଳ ପ୍ରସ୍ତୁତ କରିବା ଦିଗରେ କାର୍ଯ୍ୟ କରିବା ସହ ଇନ୍‌ଟର୍ଣ୍ଣସିପ୍‌, ପ୍ଲେସ୍‌ମେଣ୍ଟ, ଫିଲ୍ଡ ଭିଜିଟ୍ ମିଳିତ କାର୍ଯ୍ୟକ୍ରମ, ପ୍ରକଳ୍ପ ଏବଂ କନସଲ୍‌ଟାନି୍ସ କ୍ଷେତ୍ରରେ ଏହି ବୁଝାମଣାରୋ ସାହାଯ୍ୟ କରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.