ଗବେଷଣା ପାଇଁ ସୋଆ ଏବଂ ଆଇସିଟି, ମୁମ୍ବାଇ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

Published By : Prameya-News7 Bureau | July 22, 2024 IST

ଭୁବନେଶ୍ୱର: ଗବେଷଣା କ୍ଷେତ୍ରକୁ ଆହୁରି ବ୍ୟାପକ କରିବା ଏବଂ ଦ୍ରୁତ ପ୍ରଯୁକ୍ତିବିଦ୍ୟା ବିକାଶ ଦିଗରେ ଆଉ ପାଦେ ଆଗେଇଛି ଶିକ୍ଷା ଓ ଅନୁସନ୍ଧାନ (ସୋଆ)। ରସାୟନ ବିଜ୍ଞାନ, ଜୀବ ବିଜ୍ଞାନ, କେମିକାଲ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲଜି ଏବଂ ଏହା ସହିତ ସମ୍ପୃକ୍ତ ଅନ୍ୟ କ୍ଷେତ୍ରରେ ମିଳିତ ଗବେଷଣା ଏବଂ ଉଚ୍ଚ ଶିକ୍ଷାପ୍ରାପ୍ତ ମାନବ ସମ୍ବଳକୁ ବୃଦ୍ଧି କରିବା ଲକ୍ଷ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଓ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ କେମିକାଲ୍ ଟେକ୍ନୋଲୋଜି (ଆଇସିଟି), ମୁମ୍ବାଇ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି । 

ବୁଝାମଣା ଅନୁଯାୟୀ ସୋଆ ଏବଂ ଆଇସିଟି, ମୁମ୍ବାଇ ଦୁଇଟି ଶିକ୍ଷାନୁଷ୍ଠାନର ବୈଜ୍ଞାନିକ, ଗବେଷକ, ଫ୍ୟାକଲ୍ଟି ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପାରସ୍ପରିକ ଆଦାନପ୍ରଦାନ ନେଇ ସହାୟତା କରିବେ ।ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ଆଇସିଟି, ମୁମ୍ବାଇର କୁଳପତି ପ୍ରଫେସର ଅନିରୁଦ୍ଧ ବି. ପଣ୍ଡିତଙ୍କ ମଧ୍ୟରେ ଶନିବାର ଏହି ବୁଝାମଣା ସ୍ୱାକ୍ଷରିତ ହୋଇଛି । 

ଦୁଇଟି ଅନୁଷ୍ଠାନର ନିମୟମାବଳୀ ଅନୁଯାୟୀ କର୍ମଚାରୀଙ୍କର ମଧ୍ୟରେ ଆଦାନପ୍ରଦାନ, ମିଳିତ କର୍ମଶାଳା ଓ ସମ୍ମିଳନୀ ଆୟୋଜକ ଦୁଇଟି ଶିକ୍ଷାନୁଷ୍ଠାନର ପ୍ରଫେସରଙ୍କ ଦ୍ୱାରା ବକ୍ତୃତାମାଳା, ଆଇସିଟି ମୁମ୍ବାଇ ଓ ସୋଆର ମିଳିତ ସହଯୋଗରେ ବିଭିନ୍ନ ଶୈକ୍ଷିକ କାର୍ଯ୍ୟକ୍ରମ ଏବଂ ଛାତ୍ରଛାତ୍ରୀଙ୍କୁ ପ୍ରୋଜେକ୍ଟ ଓ ଏବଂ ଥେସିସ୍ କାର୍ଯ୍ୟରେ ମିଳିତ ଦିଗ୍‌ଦର୍ଶନ କରାଯିବ । 

ଏତଦ୍ ବ୍ୟତୀତ ଦୁଇଟି ଶିକ୍ଷାନୁଷ୍ଠାନ ନିଜ ମଧ୍ୟରେ ଗବେଷଣା ଓ ତତ୍‌ସମ୍ବନ୍ଧୀୟ ଅନ୍ୟ କାର୍ଯ୍ୟରେ ପରସ୍ପରକୁ ସହଯୋଗ କରି, ସଫ୍ଟୱେୟାର ଏବଂ ଅନ୍ୟାନ୍ୟ ବିଷୟରେ ଆଦାନପ୍ରଦାନ ଓ ନିଜ ମଧ୍ୟରେ ସହଯୋଗିତା ରକ୍ଷା କରିବେ । ଆଇସିଟି, ମୁମ୍ବାଇ ମଧ୍ୟ ସୋଆ-ସେଂଟର ଫର୍ ଇନୋଭେସନ୍ ଆଣ୍ଡ ଇନ୍‌କ୍ୟୁବେସନ୍ (ସୋଆ-ସିଆଇଆଇ) ଏବଂ ଅଟଳ ଇନ୍‌କ୍ୟୁବେସନ୍ ସେଂଟର (ଏଆଇସି)- ସୋଆ ଫାଉଣ୍ଡେସନ୍ ର କାର୍ଯ୍ୟରେ ସହଯୋଗ କରିବ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.