ଭୁବନେଶ୍ବର୧୦/୭:ପ୍ରଧାନମନ୍ତ୍ରୀ ସ୍କୁଲ ଫର ରାଇଜିଂ ଇଣ୍ଡିଆ (ପିଏମଶ୍ରୀ)କୁ ଓଡ଼ିଶାରେ ଲାଗୁ ପାଇଁ ଯୋଜନା । କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଥିବା ନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ ଏବଂ ଓଡ଼ିଶା ଶିକ୍ଷା ସଚିବଙ୍କ ଉପସ୍ଥିତିରେ ବୁଝାମଣାପତ୍ର ସ୍ବାକ୍ଷର ହୋଇଥିଲା। ଦେଶରେ କେନ୍ଦ୍ର ସରକାର, ରାଜ୍ୟ ସରକାର ଏବଂ ସ୍ବାୟତ୍ତ ସଂସ୍ଥାଗୁଡ଼ିକ ଦ୍ବାରା ପରିଚାଳିତ ବିଦ୍ୟାଳୟ ଗୁଡ଼ିକର ଭିଭିଭୂମି ଓ ଗୁଣବତ୍ତା ବୃଦ୍ଧି କରିବା ଏହି ଯୋଜନାର ଲକ୍ଷ୍ୟ ରହିଛି ।
ଓଡ଼ିଶାର ପ୍ରତ୍ୟେକ ପୌରାଞ୍ଚଳ, ବ୍ଲକରେ ଦୁଇଟି ଲେଖାଏଁ ବିଦ୍ୟାଳୟକୁ ପିଏମଶ୍ରୀ ଯୋଜନାରେ ସାମିଲ କରି ଉନ୍ନତିକରଣ କରାଯିବ ଏବଂ ଏଥିରେ ରାଜ୍ୟର ପାଖାପାଖି ୮ଶହ ବିଦ୍ୟାଳୟର ରୂପାନ୍ତୀକରଣ ହେବ। ଏ ପର୍ଯ୍ୟନ୍ତ ୩୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପ୍ରଶାସନ ସମେତ ନବୋଦୟ ବିଦ୍ୟାଳୟ ସମିତି ଓ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ପିଏମଶ୍ରୀ ଯୋଜନାରେ ବିଦ୍ୟାଳୟଗୁଡ଼ିକର ଉନ୍ନତିକରଣ ପାଇଁ ବୁଝାମଣାପତ୍ର ସ୍ବାକ୍ଷର କରିଛନ୍ତି। ପିଏମଶ୍ରୀ ବିଦ୍ୟାଳୟଗୁଡ଼ିକ ଜାତୀୟ ଶିକ୍ଷାନୀତିର ପୂର୍ଣଭାବନାକୁ ନେଇ କାର୍ଯ୍ୟ କରିବା ସହ ସମସ୍ତ ମୌଳିକ ଉପାଦନକୁ ପ୍ରଦର୍ଶିତ କରିବ ।
ଏହା ସବୁ ବିଦ୍ୟାଳୟ ମଧ୍ୟରେ ଉଦାହରଣ ଭାବେ କାର୍ଯ୍ୟ କରିବା ଏବଂ ପିଲାମାନଙ୍କ ମଧ୍ୟରେ ଦକ୍ଷତା ବୃଦ୍ଧି, ବୈଜ୍ଞାନିକ ମନୋଭାବକୁ ବଢ଼ାଇବା, କଳା ବିଜ୍ଞାନ ସାହିତ୍ୟରେ ସୃଜନଶୀଳତା ବଢ଼ାଇବା ସହ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦକ୍ଷତା ବୃଦ୍ଧି ଯୋଜନାର ଲକ୍ଷ୍ୟ ରହିଛି। ବିଦ୍ୟାଳୟଗୁଡ଼ିକ ଜାତୀୟ ଶିକ୍ଷାନୀତି ଅନୁଯାୟୀ ପାଠ୍ୟକ୍ରମ ଓ ପାଠପଢ଼ାର ପଦ୍ଧତି, ଶିକ୍ଷକମାନଙ୍କ ପରିବଦ୍ଧିତ ଦକ୍ଷତାକୁ ପ୍ରଦର୍ଶିତ କରିବେ। ବିଦ୍ୟାଳୟରେ ଅଭିଜ୍ଞତା ଆଧାରିତ ଶିକ୍ଷା ପ୍ରଦାନ, ଅତ୍ୟାଧୁନିକ ପଦ୍ଧିତିରେ ସାମଗ୍ରିକ ଶିକ୍ଷାଦାନ, ନବସୃଜନ ଆଧାରିତ ନୂତନ ପ୍ରଯୁକ୍ତିବିଦ୍ୟା, ସ୍ମାର୍ଟକ୍ଲାସ ରୁମ ଓ କ୍ରୀଡ଼ା ସହ ଅନ୍ୟାନ୍ୟ ବିଭାଗକୁ ଗୁରୁତ୍ଵ ଦିଆଯିବ ।