ଟ୍ରେନ ଆଗକୁ ଡେଇଁ ମାଆ କଲା ଆତ୍ମହତ୍ୟା, ବାପା ଗଲା ଜେଲ୍ : ୫ମାସର ଶିଶୁପୁତ୍ର ସହ ୩ ନାବାଳିକା ଝିଅ ଏବେ ଅସହାୟ,କେମିତି ବଞ୍ଚିବେ?
13/10/2019 at 9:25 AM

ବ୍ରହ୍ମପୁର ୧୩/୧୦: ବ୍ରହ୍ମପୁର ଷ୍ଟେସନରେ ଦୁଇ ଝିଅଙ୍କୁ ସାଙ୍ଗରେ ଧରି ଟ୍ରେନ ଆଗକୁ ଡେଇଁ ମହିଳା ଆତ୍ମହତ୍ୟା ଉଦ୍ୟମ କରିବା ଘଟଣାରେ ସ୍ବାମୀ ଉତ୍ସବ ଭଞ୍ଜକୁ ବରଗଡ଼ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି। ଏହା ପରେ ଗୁରୁତର ଆହତ ହୋଇଥିବା ଦୁଇ ଝିଅ ସହ ଆଉ ଗୋଟିଏ ଝିଅ ଓ ୫ମାସର ଝିଅ ଶିଶୁପୁତ୍ର ସମ୍ପୂର୍ଣ୍ଣ ଅନାଥ ହୋଇଯାଇଛନ୍ତି।
ସୂଚନାଯୋଗ୍ୟ ଯେ ବୁଧବାର ବିଳମ୍ବିତ ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲା ଶେରଗଡ଼ ଅଞ୍ଚଳର ମଚ୍ଛାକୋଟ୍ ଗାଁରେ ରମା ପାରିବାରିକ କଳହ କାରଣରୁ ଦୁଇ ଝିଅଙ୍କୁ ଧରି ବ୍ରହ୍ମପୁର ଷ୍ଟେସନକୁ ଚାଲି ଆସିଥିଲେ। ଦିନ ସାରା ଷ୍ଟେସନରେ ବସିବା ପରେ ସନ୍ଧ୍ୟାରେ ଦୁଇ ଝିଅଙ୍କୁ ସାଙ୍ଗରେ ଧରି ମହିଳା ଟ୍ରେନ ଆଗକୁ ଡେଇଁ ପଡ଼ିଥିଲେ। ଟ୍ରେନ ଧକ୍କାରେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ଦୁଇ ଝିଅ ଗୁରୁତର ଭାବେ ଆହତ ହୋଇଥିଲେ। ରେଳବାଇ ପୋଲିସ ଓ ସ୍ଥାନୀୟ ଲୋକେ ଦୁଇ ଝିଅଙ୍କୁ ଉଦ୍ଧାର କରି ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରିଥିଲେ। ବଡ଼ ଝିଅ ପ୍ରିୟାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିଲା। ସାନ ଝିଅ ରିୟା ବ୍ରହ୍ମପୁର ମେଡିକାଲରେ ଚିକିତ୍ସିତ ହେଉଛନ୍ତି।
ଶେରଗଡ଼ ବ୍ଲକ ଅନ୍ତର୍ଗତ ମଚ୍ଛାକୋଟ ଗାଁର ଉତ୍ସବ ଭଞ୍ଜ ଏବଂ ରମା ଦୀର୍ଘ ୧୫ବର୍ଷ ହେଲା ବିବାହ କରିଛନ୍ତି। ସେମାନଙ୍କର ୩ ଝିଅ ଓ ୫ମାସର ଗୋଟିଏ ଶିଶୁପୁତ୍ର ରହିଛି। ତେବେ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ବରାବର କଳହ ହୋଇ ଆସୁଥିଲା। ଗତ ଗୁରୁବାର ଦିନ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ସେହି ଝଗଡ଼ା ବେଳେ ମହିଳାଙ୍କୁ ତାଙ୍କ ସ୍ବାମୀ ନିସ୍ତୁକ ମାଡ଼ ମାରିବା ସହ ଘରୁ ବାହାର କରି ଦେଇଥିଲେ। ଫଳରେ ଦୁଇ ଝିଅଙ୍କୁ ସାଙ୍ଗରେ ଧରି ମହିଳା ବ୍ରହ୍ମପୁର ଚାଲିଆସିଥିଲେ। ଅପରପକ୍ଷରେ ମହିଳାଙ୍କ ବାପା ଘଟଣା ସମ୍ପର୍କରେ ବରଗଡ଼ ଥାନାରେ …ଭଞ୍ଜଙ୍କ ନାଁରେ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ ମହିଳାଙ୍କ ସ୍ବାମୀଙ୍କୁ ବରଗଡ଼ ପୋଲିସ୍ ଅଟକ ରଖିଥିଲା। ଟ୍ରେନ ଆଗକୁ ଡେଇଁ ମହିଳା ଆତ୍ମହତ୍ୟା କରିବା ଘଟଣା ଜଣାପଡ଼ିବା ପରେ ବରଗଡ଼ ପୋଲିସ୍ ସ୍ବାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଆତ୍ମହତ୍ୟା କରି ମାଆର ମୃତ୍ୟୁ ଓ ଘରୋଇ ହିଂସା ଅମିଯୋଗରେ ବାପା ଜେଲକୁ ଯିବା ପରେ ୪ସନ୍ତାନ ଏବେ ଅନାଥ ହୋଇଯାଇଛନ୍ତି। ଗୁରୁତର ଭାବେ ଆହତ ହୋଇ ହସ୍ପିଟାଲରେ ଜୀବନ ସହ ସଂଗ୍ରାମ କରୁଥିବା ୨ଝିଅଙ୍କ କଥା ବୁଝିବାକୁ କେହି ନାହାନ୍ତି। ସେପଟେ ୫ମାସର ଶିଶୁପୁତ୍ର ଓ ଆଉ ଜଣେ ଝିଅ ମଧ୍ୟ ବେସାହାରା ହୋଇ ରହିଛନ୍ତି। ସେହି ଗାଁରେ ରହୁଥିବା ସେମାନଙ୍କ ଅଜା ଘର ଲୋକେ ଏହି ପିଲାଙ୍କର ଦାୟିତ୍ବ ନେଇଛନ୍ତି। କିନ୍ତୁ ସେମାନେ କେତେ ଦିନ ଦାୟିତ୍ବ ନେଇ ପାରିବେ ତାହା ମଧ୍ୟ ପ୍ରଶ୍ନବାଚୀ।
ଏହିଭଳି ପରିସ୍ଥିତିରେ ୪ଜଣ ଅନାଥ ଶିଶୁଙ୍କର ଦାୟିତ୍ବ ନେବା ପାଇଁ ଗ୍ରାମବାସୀ ଗଞ୍ଜାମ ଜିଲ୍ଲା ପ୍ରଶାସନ ନିକଟରେ ନିବେଦନ କରିଛନ୍ତି।