ବେଙ୍ଗାଲୁରୁ: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଏକ ବଡ଼ ଧରଣର ଅଘଟଣ ଘଟିଛି । ଏଠାର ଆଉଟର ରିଙ୍ଗ ରୋଡରେ ନିର୍ମାଣଧିନ ମେଟ୍ରୋ ପିଲର ଭୁଶୁଡିବା ଯୋଗୁଁ ଦୁଇ ଜଣଙ୍କ ଜୀବନ ଯାଇଛି । ଦୁର୍ଘଟଣାରେ ଜଣେ ମହିଳା ଏବଂ ତାଙ୍କର ଅଢେଇ ବର୍ଷର ପୁଅଙ୍କ ଦୁଃଖଦାୟକ ମୃତ୍ୟୁ ହୋଇଛି । ପୋଲିସ ଅନୁସାରେ ଦିନ ୧୧ଟା ସମୟରେ ପିଲର ନିର୍ମାଣ ପାଇଁ ଲଗାଯାଇଥିବା ଟିଏମଟି ରଡ୍ ମହିଳାଙ୍କ ସ୍କୁଟି ଉପରେ ପଡ଼ି ଯାଇଥିଲା । ପିଲର ଉଚ୍ଚତା ପ୍ରାୟ ୪୦ ଫୁଟ ଏବଂ ଓଜନ ବହୁ ଟନ ଥିବା କୁହାଯାଉଛି । ସ୍ଥାନୀୟ ଲୋକେ ସେମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ, କିନ୍ତୁ ଜୀବନ ବଞ୍ଚି ପାରି ନଥିଲା ।
ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି । ମୃତ ମହିଳାଙ୍କ ଶ୍ୱଶୁର ବିଜୟକୁମାର କହିଛନ୍ତି ଯେ ମେଟ୍ରୋ ପିଲର ନିର୍ମାଣ ସମୟରେ ସୁରକ୍ଷା ଉପାୟ କାହିଁକି ଗ୍ରହଣ କରାଗଲା ନାହିଁ । ଘଟଣାସ୍ଥଳରେ ନିର୍ମାଣ କାର୍ଯ୍ୟ ତତ୍କାଳ ବନ୍ଦ କରାଯିବା ଦରକାର ।
ବେଙ୍ଗାଲୁରୁ ମେଟ୍ରୋ ରେଲ କର୍ପୋରେସନ ଲିମିଟେଡ୍ ଏମସି ଅଞ୍ଜୁମ ପରଭେଜ କହିଛନ୍ତି, ପିଲର ଭୁଶୁଡିବା ଯୋଗୁଁ ମହିଳା ଏବଂ ତାଙ୍କ ଝିଅ ଆହତ ହୋଇଥିଲେ, ପରେ ସେମାନଙ୍କ ମୃତ୍ୟୁ ହୋଇଛି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା । ପୀଡିତ ପରିବାରକୁ ୨୦ ଲକ୍ଷ ଟଙ୍କାର ଅନକମ୍ପା ରାଶି ଦିଆଯିବ ।
ଅନ୍ୟପଟେ ଏହି ଦୁର୍ଘଟଣା ପରେ ରାଜନୀତି ଜୋର ହୋଇଛି । କର୍ଣ୍ଣାଟକ କଂଗ୍ରେସ ଅଧ୍ୟକ୍ଷ ଡିକେ ଶିବକୁମାର କହିଛନ୍ତି ମେଟ୍ରୋ ପିଲର ଭୁଶୁଡିଛି, ଏହା ୪୦ ପ୍ରତିଶତ କମିଶନ ସରକାରର ପରିଣାମ । ବିକାଶକାର୍ଯ୍ୟରେ କୌଣସି ଗୁଣବତ୍ତା ନାହିଁ । ସରକାର ଉପରୁ ଲୋକଙ୍କ ଭରଷା ତୁଟି ସାରିଛି । ସବୁଠୁ ଦୁର୍ନୀତି ରହିଛି । ସେହିପରି କଂଗ୍ରେସ ବିଧାୟକ ସୌମ୍ୟା ରେଡ୍ଡୀ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ମାଗିଛନ୍ତି ।