ସ୍ବାମୀକୁ ଛାଡପତ୍ର ଦେଇ ଅନ୍ୟତ୍ର ବିବାହ କରିବାକୁ ଚାହୁଥିଲା ପତ୍ନୀ, ହେଲେ କଣ୍ଟାସାଜିଲା ୯ମାସର ଶିଶୁ, ଶେଷରେ…

Published By : Prameya-News7 Bureau | October 02, 2021 IST

ଚେନ୍ନାଇ ୦୨/୧୦ : ତାମିଲନାଡୁର ଟୁଟିକୋରିନ୍ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସ୍ବାମୀଙ୍କ ଠାରୁ ଛାଡପାତ୍ର ପାଇବା ପରେ ଜଣେ ମହିଳା ଦ୍ବିତୀୟ ବିବାହ କରିବା ପାଇଁ ନିଜ ୯ ମାସର ଶିଶୁକୁ ବିକ୍ରି କରିଦେଇଥିବା ଜଣାପଡିଛି । ଏଭଳି ଅମାନବୀୟ କାମ ଜଣେ ମା’ କିଭଳି କରିପାରେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି । ଦ୍ବିତୀୟ ବିବାହ କରିବାକୁ ଅସୁବିଧା ହେବାରୁ ନିଜ ୯ମାସର ଶିଶୁକୁ ବିକ୍ରି କରିବାକୁ ପଛାଇଲାନି ନୃଶଂସ ମା’ ।

ମିଳିଥିବା ସୂଚନା ଅନୁସାରେ, ଭିରୁଦୁନଗରର ଜିଲ୍ଲାର ଆର୍‌ ମଣିକନ୍ଦନ ଏବଂ ଜେବାମଲାର ୨୦୧୯ ମସିହାରେ ବିବାହ କରିଥିଲେ । କିନ୍ତୁ ବିବାହ ପରେ ଉଭୟଙ୍କ ମଧ୍ୟରେ ତିକ୍ତତା ଦେଖାଦେଇଥିଲା । ଗତ କିଛି ମାସ ପୂର୍ବରୁ ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଘଟିଥିଲା । ଏହାପରେ ଜେବାମଲାର ଛୋଟ ଶିଶୁ ସହିତ ନିଜ ବାପ ଘରକୁ ଚାଲିଆସିଥିଲେ ।

ଘରେ କିଛି ଦିନ ରହିବା ପରେ ତାଙ୍କ ପରିବାର ଲୋକେ ତାଙ୍କ ବିବାହ ଅନ୍ୟ ଏକ ସ୍ଥାନରେ କରିବାକୁ ଚାହିଁଥିଲେ । କିନ୍ତୁ ମଝିରେ ବାଧା ସୃଷ୍ଟି କରିଥିଲା ୯ମାସର ନିଷ୍ପାପ ଶିଶୁ । ଯାହା ଫଳରେ ଜେବାମଲାର ଅନ୍ୟତ୍ର ବିବାହ କରିପାରୁନଥିଲେ । ପରିବାର ଲୋକେ ଶେଷରେ ଶିଶୁଟିକୁ ବିକ୍ରି କରିଦେବାକୁ ସ୍ଥିର କରିଥିଲେ । କିନ୍ତୁ ମଣିକନ୍ଦନ ଏ ନେଇ କୌଣସି ସୁରାକ ପାଇନଥିଲେ ଯେ ତାଙ୍କ ଶିଶୁକୁ ଏମାନେ ବିକ୍ରି କରିବାକୁ ସ୍ଥିର କରିଛନ୍ତି ।

ତେବେ ଗତ ​‌ସେପ୍ଟେମ୍ବର ୨୩ ତାରିଖରେ ଜେବାମଲାରଙ୍କ ଏବଂ ତାଙ୍କ ପରିବାର ଲୋକେ ଶିଶୁଟିକୁ ୨ ଜଣ ଦଲାଲ କାର୍ତ୍ତିକେୟନ ଏବଂ ଜେସୁ ଦାସ ସହାୟତାରେ ବିକ୍ରି କରିଦେଇଥିଲେ । କୌଣସି ସନ୍ତାନ ସନ୍ତତି ନଥିବା ଦମ୍ପତ୍ତି ଏଚ୍‌ ସେଲଭାମନି ଏବଂ ତାଙ୍କ ପତ୍ନୀ ଶ୍ରୀଦେବୀ ପିଲାଟିକୁ ୩ ଲକ୍ଷ ଟଙ୍କା ଦେଇ କିଣିନେଇଥିଲେ । ତେବେ କୌଣସି ସୂତ୍ରରୁ ମଣିକନ୍ଦନ ତାଙ୍କ ଛୁଆକୁ ବିକ୍ରି କରାଯାଇଥିବା ଖବର ପାଇଥି​‌ଲେ । ଏହାପରେ ସେ ତୁରନ୍ତ ଜେବାମଲାରଙ୍କ ଘରକୁ ଆସି ପହଞ୍ଚିଥିଲେ ଏବଂ ପିଲାକୁ ଖୋଜିଥିଲେ ସୁଦ୍ଧା ପାଇନଥିଲେ ।

ଏହାପରେ ସେ ଏ ନେଇ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ତୁରନ୍ତ ଆକ୍ସନ ନେଇଥିଲା । ପିଲାକୁ ନେଇଥିବା ଦମ୍ପତ୍ତି ଏବଂ ଜଣେ ଦଲାଲକୁ ଗିରଫ କରିଥିଲା ପୋଲିସ । ଘଟଣାରେ ସମ୍ପୃକ୍ତ ଅନ୍ୟ ୬ ଜଣ ଫେରାର ଅଛନ୍ତି । ତାଙ୍କୁ କାବୁ କରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.