ଭାଙ୍ଗିଲା ପରମ୍ପରା ! ୩ ପିଲାର ମା’ ହେଲେ ଜାମ୍ମୁ-କାଶ୍ମୀରର ପ୍ରଥମ ମହିଳା ବସ୍‌ ଡ୍ରାଇଭର

Published By : Prameya-News7 Bureau | December 26, 2020 IST

ନୂଆଦିଲ୍ଲୀ ୨୬/୧୨: ବିକାଶ ପଥରେ ଜାମ୍ମୁ କାଶ୍ମୀର। ଉନ୍ନତ୍ତିର ଶିଖର ଆଡ଼କୁ ଗତିଶୀଳ ହେଉଛି କାଶ୍ମୀର। ଏହାର ଉଦାହରଣ ଦେଇଛନ୍ତି ଜଣେ ମହିଳା ବସ୍‌ ଡ୍ରାଇଭର ପୂଜା ଦେବୀ। କାଠୁଆ ଜିଲ୍ଲାର ମଧ୍ୟମ ବୟସର ମହିଳା ପୂଜା ଦେବୀ। ଜାମ୍ମୁ କାଶ୍ମୀରର ପ୍ରଥମ ମହିଳା ବସ୍‌ ଡ୍ରାଇଭର ଭାବେ ଉଦାହରଣ ପାଲଟିଥିବା ପୂଜା ଦେବୀ ଡିସେମ୍ବର ୨୪ରେ ପ୍ରଥମେ କଠୁଆରୁ ଜାମ୍ମୁ ପାସେଞ୍ଜର ବସ୍‌ ଚଳାଇଥିଲେ ବୋଲି ଜଣାପଡ଼ିଛି।

୩ଟି ପିଲାର ମା’ ହେଉଛନ୍ତି ପୂଜା ଦେବୀ। ନିଜର ଛୋଟ ପିଲାକୁ ନେଇ ପାସେଞ୍ଜର ବସ୍‌ ଚଳାଉଥିବା ଭିଡିଓ ଭାଇରାଲ ହୋଇଥିଲା। ଜାମ୍ମୁ କାଶ୍ମୀରରେ ଜଣେ ମହିଳା ବସ୍‌ ଷ୍ଟିୟରିଂ ଧରିବା ନିଶ୍ଚିତ ଭାବେ ନୂଆ ଯୁଗର ଆରମ୍ଭ ବୋଲି କହିବା ଅତ୍ୟୁକ୍ତି ହେବ ନାହିଁ।

ବହୁ ରାଜନେତା ପୂଜାଙ୍କୁ ପ୍ରଶଂସା କରୁଥିବା ବେଳେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ମଧ୍ୟ ଟ୍ବିଟ୍‌ରରେ ଫଟୋ ସେୟାର କରି ଲେଖିଥିଲେ, ‘ଜାମ୍ମୁ କାଶ୍ମୀରର ପ୍ରଥମ ମହିଳା ବସ୍‌ ଡ୍ରାଇଭର ପାଇଁ ଗର୍ବିତ।’ ଅନ୍ୟପଟେ ପରିବାର ପ୍ରତିରୋଧ ପରେ ବି ପୂଜା ଜଣେ ଭଲ ବସ୍‌ ଡ୍ରାଇଭର ହେବାକୁ ସଂଘର୍ଷ କରୁଛନ୍ତି ବୋଲି କହିଛନ୍ତି।

ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ଏକ ଖବର ଅନୁସାରେ ପୂଜା କହିଛନ୍ତି, ‘ ମୁଁ ଅଧିକ ପାଠ ପଢ଼ି ନଥିବାରୁ ଅନ୍ୟ ଚାକିରୀ କରିବା ସମ୍ଭବ ହୋଇନଥିଲା। ତେଣୁ ମୁଁ ଏହି ବୃତ୍ତିକୁ ବାଛିଥିଲି। ମୁଁ ଟ୍ୟାକ୍ସି ଚଳାଇ ପ୍ରଥମେ ଡ୍ରାଇଭିଂ ଶିଖିଥିଲି। ଜାମ୍ମୁରେ ମୁଁ ଟ୍ରକ୍‌ ଚଳାଉଥିଲି। କେବଳ ଯେ ପୁରୁଷ ବସ୍‌ ଚଳାଇବେ ତାହା ନୁହେଁ ମହିଳା ବି ଭଲ ଡ୍ରାଇଭର ହୋଇପାରିବେ। ତେଣୁ ସମସ୍ତ ମହିଳାଙ୍କୁ କହିବାକୁ ଚାହୁଁଛି ନିଜ ସ୍ବପ୍ନକୁ ଯେକୌଣସି ପରିସ୍ଥିତିରେ ବି ପୂରଣ କର।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.