ନିଜର ପ୍ରେମିକ ସହ ଆପତ୍ତିଜନକ ଅବସ୍ଥାରେ ଦେଖିବାରୁ ନାବାଳିକା ଝିଅକୁ ହତ୍ୟାକଲା ମାଆ

Published By : Prameya-News7 Bureau | February 02, 2019 IST

କରନାଲ ୨/୨- ହରିୟାଣାର କରନାଲରେ ଘଟିଛି ଏକ ଅଭାବନୀୟ ଘଟଣା । ନିଜ ଝିଅର ତଣ୍ଟଚିପି ହତ୍ୟା କରିଛି ମାଆ । ପ୍ରେମୀ ସହ ଆପତ୍ତିଜନକ ଅବସ୍ଥାରେ ଦେଖିଦେବାରୁ ମାଆ ଓ ପ୍ରେମୀ ମିଶି କରିଛନ୍ତି ହତ୍ୟା ।

କରନଲ ଅଂଚଳରେ ଘଟିଥିବା ଏହି ହତ୍ୟାକାଣ୍ଡରେ ସଂପୃକ୍ତ ମାଆ ଓ ତାଙ୍କ ପ୍ରେମିକକୁ ପୋଲିସ ଗିରଫ କଲାପରେ ଜଣାପଡ଼ିଛି ସବୁ ଘଟଣା ।

୧୦ବର୍ଷ ବୟସ୍କ ସୋନମ ଚତୁର୍ଥଶ୍ରେଣୀରେ ପାଠ ପଢ଼ୁଥିଲା । ବାପା ଘରେ ରହୁ ନଥିବା ବେଳେ ମାଆ ସହ ରହୁଥିଲା ସୋନମ ।

ଘଟଣାଦିନ ସୋନମ ଘରକୁ ଫେରି ମାଆକୁ ଅନ୍ୟଜଣେ ଯୁବକଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଦେଖିଥିଲା  । ସୋନମର ମାଆ ଲକ୍ଷ୍ମୀ ଓ ତାଙ୍କ ପ୍ରେମିକ ଅମିତକୁ ଏହି ଅବସ୍ଥାରେ ଦେଖିଦେବାପରେ ସେମାନଙ୍କ ମୁଣ୍ଡ କିଛି କାମ  କରି ନଥିଲା । ସେମାନେ ଏହି ଘଟଣାକୁ ଲୁଚାଇବା ପାଇଁ ହତ୍ୟା କରିଥିବା କଥା ଥାନାଧିକାରୀଙ୍କ ପାଖରେ ପ୍ରକାଶ କରିଛନ୍ତି ।

ଲକ୍ଷ୍ମୀ ଓ ଅମିତ ଦୁହେଁ ବିବାହିତ ଥିଲେ । ସେମାନଙ୍କ ଭିତରେ ଦୀର୍ଘ ୩ ବର୍ଷହେଲା ଏହି ପରକୀୟା ପ୍ରେମ ଚାଲୁଥିଲା । ଅମିତର ଦୁଇଟି ଝିଅ ଓ ଗୋଟିଏ ପୁଅ ଥିବା ବେଳେ ଲକ୍ଷ୍ମୀର ବି ଦୁଇଟି ପିଲା ଥିଲା । କିନ୍ତୁ ଲକ୍ଷ୍ମୀ ଓ ଅମିତ ଲୁଚିଲୁଚି ପ୍ରେମ କରୁଥିଲେ ଓ ଅନେକ ସମୟ ଫୋନରେ କଥା ହେଉଥିବା କଥା କହିଛନ୍ତି ଲକ୍ଷ୍ମୀ ।

ଏହି ହତ୍ୟାକାଣ୍ଡ ପଛରେ କେବଳ ପରକୀୟା ପ୍ରୀତି କାରଣ ବୋଲି କହିଛି ପୋଲିସ । ସୋନମ ମାଆ ଓ ତାଙ୍କ ପ୍ରେମିକ ଅମିତକୁ ଆପତ୍ତିଜନକ ଅବସ୍ଥାରେ ଦେଖିଥିଲା । ଏହିକଥାକୁ ସୋନମ ତା ବାପାଙ୍କ ପାଖରେ କହିଦେବ ବୋଲି କହିବାରୁ ହତ୍ୟା କରିଥିବା କଥା କହିଛି ଲକ୍ଷ୍ମୀ । ସେମାନେ ସୋନମର ଗଳାଚିପି ହତ୍ୟା କରିବା ପରେ ଦକ୍ଷିଣ ଯମୁନା ଅଂଚଳରେ ଏକ ନାଳରେ ଫିଙ୍ଗିଦେଇଥିଲେ ।

ଲକ୍ଷ୍ମୀ ଓ ଅମିତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.