ନିଜେ ବିଷ ପିଇ ଦୁଇ ଶିଶୁ କନ୍ୟାଙ୍କୁ ପିଆଇଦେଲା, ଚିକିତ୍ସାଧିନ ଅବସ୍ଥାରେ ଚାଲିଗଲା ମା’ର ଜୀବନ

Published By : Prameya-News7 Bureau | September 24, 2021 IST

ଉଦଳା ୨୪।୯: ଆର୍ଥିକ ଅନଟନରେ ଜର୍ଜରିତ ହୋଇ ମା’ ନେଲା ଚରମ ନିଷ୍ପତ୍ତି । ନିଜେ ବିଷ ପିଇବା ସହିତ ଦୁଇ ଶିଶୁ କନ୍ୟାଙ୍କୁ ପିଆଇ ଦେଲା ବିଷ । ଏଭଳି ଘଟଣା ଘଟିଛି ଶରତ ଥାନା ଲାବଣ୍ୟଦେଇପୁର ଗ୍ରାମରେ ।

ସୂଚନାଯୋଗ୍ୟ ଯେ, ଲାବଣ୍ୟଦେଇପୁର ଗ୍ରାମର ତୁରାମ ସିଂ ଦେବଗାଁଙ୍କର ସ୍ତ୍ରୀ ପୂର୍ଣ୍ଣିମା ସିଂ ଦେବଗାଁ ଗତ ବୁଧବାର ଦିନ ନିଜର ଦୁଇ ଶିଶୁ କନ୍ୟାଙ୍କୁ ବିଷ ପିଆଇବା ସହିତ ନିଜେ ବିଷ ପିଇଥିଲେ । ତାଙ୍କୁ ପ୍ରଥମେ ଉଦଳା ଏବଂ ପରେ ବାରିପଦାରେ ଚିକିତ୍ସାଧିନ ଥିବାବେଳେ ପୂର୍ଣ୍ଣିମାଙ୍କର ମୃତ୍ୟୁ ହୋଇଛି । ପୂର୍ଣ୍ଣିମାଙ୍କର ମୃତ୍ୟୁ ହେବା ପରେ ପରିବାର ଲୋକେ ତାଙ୍କ ମୃତଦେହକୁ ଘରକୁ ନେଇ ଆସିଥିବା ବେଳେ ଦୁଇ ଶିଶୁ କନ୍ୟା ଏବେ ବାରିପଦା ଡାକ୍ତରଖାନାରେ ଚିକିତ୍ସାଧିନ ରହିଛନ୍ତି । ଦୁଇ ଝିଅଙ୍କ ମଧ୍ୟରେ ଜଣେ ୪ ବର୍ଷ ଏବଂ ଜଣେ ୬ ବର୍ଷର ବୋଲି ଜଣାପଡିଛି । ତେବେ ପୂର୍ଣ୍ଣିମାଙ୍କ ସ୍ଵାମୀ ଗୁଜୁରାଟରେ ଦାଦନ ଖଟୁଥିବା ବେଳେ କରୋନା ମହାମାରୀ କାରଣରୁ ଘରକୁ ଫେରି ଆସିଥିଲେ । ସେବେଠାରୁ କୌଣସି କାମଧନ୍ଦା ନ ପାଇ ଘରେ ରହିଥିବା ବେଳେ ଘରେ ଆର୍ଥିକ ଅନଟନ ଲାଗି ରହିଥିଲା । ଯାହା ଫଳରେ ତାଙ୍କ ସ୍ତ୍ରୀ ପୂର୍ଣ୍ଣିମା ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି । ଖବର ପାଇ ଶରତ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.