ପୁଅର ମଲା ମୁହଁ ଦେଖିପାରିଲାନି ମାଆ, ଟଳି ପଡିଲା : ଗୋଟିଏ ଜୁଇରେ ଜଳିଲେ ମା'-ପୁଅ

Published By : Prameya-News7 Bureau | December 21, 2020 IST

ଓଳାଭର,୨୧/୧୨: ମୃତ୍ୟୁ ଏମିତି ବି ଆସେ । କାହାର କାଳ କେତେବେଳେ ପୁରିବ ତାହା କେହି ହେଲେ ଜାଣି ପାରନ୍ତି ନାହିଁ । ଏହା ଅଚାନକ ଆସିଥାଏ। ସମ୍ପର୍କୀୟଙ୍କୁ ଅଲଗା କରିଦିଏ । ଏପରି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ଓଲାଭରରେ ।  ପୁଅର ମୃତଦେହ ଘରେ ପହଞ୍ଚୁ ପହଞ୍ଚୁ ମଲା ମୁହଁ ଦେଖି ଚାଲିଯାଉଛି ମା’ର ଜୀବନ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଲହରୀ ଖେଳିଯାଇଛି ।  

ସୂଚନାନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ୍‌ ଅନ୍ତର୍ଗତ ପାରିନୂଆପଡ଼ା ମହାବଳଗଣ୍ଡ ପଞ୍ଚାୟତ ହାବଳଗଣ୍ଡ ଗ୍ରାମରେ ରୁହନ୍ତି ଅବସରପ୍ରାପ୍ତ ଶିକ୍ଷକ ରମାକାନ୍ତ ସାହୁ(୬୦) । ଶନିବାର ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଙ୍କ ଶତ ଚେଷ୍ଟା ସତ୍ତ୍ୱେ ଉମାକାନ୍ତ ପରଲୋକକୁ ଚାଲିଯାଇଥିଲେ। ସେ ଚଳିତ ବର୍ଷ ରାଜନଗରର ଏକ ବିଦ୍ୟାଳୟରୁ ଅବସର ଗ୍ରହଣ କରିଥିଲେ ।

ରବିବାର ପାହାନ୍ତିଆ ସମୟରେ ରମାକାନ୍ତଙ୍କ ମରଶରୀର ଗ୍ରାମରେ ପହଞ୍ଚିଥିଲା । ଏହା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା ।  ତେବେ ରମାକାନ୍ତଙ୍କ ବଡ଼ମା’ କୈକେୟୀ ସାହୁ (୮୫) ପୁତୁରାର ମଲା ମୁହଁ ଦେଖୁ ଦେଖୁ ସେଇଠାରେ ହିଁ ଟଳି ପଡ଼ିଥିଲେ। ପୁତୁରାକୁ ବାତ୍ସଲ୍ୟ ମମତା ଦେଇ ଭଲ ପାଉଥିବା ଏହି ମା’ର ଜୀବନ ଚାଲିଯାଇଥିଲା । ଏହା ପରେ ଆଜି ଗାଁ ଶ୍ମଶାନରେ ଉଭୟଙ୍କ ଚିତା ଏକାଠି ଜଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.