ପକୁଡ଼ି ମାଗିବାରୁ ନାବାଳିକା ଝିଅକୁ ଠେଙ୍ଗାରେ ପିଟି ମାରିଦେଲା ପିଶାଚିନୀ ମା’, ଡିଜେଲ ଢାଳି ପୋଡିଦେଇଥିଲା ଶବ

Published By : Prameya-News7 Bureau | May 24, 2024 IST

ଉମରକୋଟ ୨୪।୫: ଜନ୍ମକଲା ମା’ ସାଜିଲା ପିଶାଚିନୀ । ୯ ବର୍ଷର ନାବାଳିକା ଝିଅ ପକୁଡି ପାଇଁ କହିବାରୁ ଠେଙ୍ଗାରେ ପିଟିପିଟି ମାରିଦେଲା ପିଶାଚିନୀ ମା’ । ଶେଷରେ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରି ଡିଜେଲ ଢାଳି ଶବକୁ ନିଆଁ ଲଗାଇ ପୋଡ଼ିଦେଇ ଝିଅ ଆତ୍ମହତ୍ୟା କରିଛି କହି ଥାନାରେ ଏତଲା ଦେଇ ପୋଲିସ ଆଖିରେ ଧୂଳି ଦେଇ ଖସିଯିବାର ଚେଷ୍ଟା କରି ଅସଫଳ ହୋଇଛି ପିଶାଚିନୀ ମା’ । ପୋଲିସ ଅପରାଧୀ ପିଚାସୀ ମା’ ତ୍ରିବେଣୀ ମାଝୀକୁ ଅଟକ ରଖି ତଦନ୍ତ କରିବାରୁ ଲୋମଟାଙ୍କୁରା ହତ୍ୟା କରିଥିବା କାହାଣୀ ସାମ୍ନାକୁ ଆସିଛି, ଏବେ ରାଇଘର ପୋଲିସ ତ୍ରିବେଣୀକୁ ଗିରଫ କରି କୋର୍ଟ ଚାଲାଣ କରିଛି । 

ପୋଲିସର ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ହଳଦୀ ଗ୍ରାମରେ, ଗତ ତା ୧୬/୦୫ ତାରିଖରେ ଲକ୍ଷ୍ମୀଧର ମାଝୀ ଓ ତ୍ରିବେଣୀ ମାଝୀଙ୍କ ୯ ବର୍ଷର ଝିଅ ତୁଲାବାଇ ମାଝୀଙ୍କ ଅର୍ଦ୍ଧଦଗ୍ଧ ଶବକୁ ରାଇଘର ପୋଲିସ ଉଦ୍ଧାର କରିଥିଲେ । ଝିଅ ତୁଳାବାଇ ଆତ୍ମହତ୍ୟା କରିଥିବା ମା’ ତ୍ରିବେଣୀ ରାଇଘର ଥାନାରେ ଏକ ଏତଲା ଦେଇଥିଲେ । ତୁଲାବାଈ ଚନ୍ଦାହାଣ୍ଡିର ଧରାମାଳ ଆଶ୍ରମ ବିଦ୍ୟାଳୟ ହଷ୍ଟେଲରେ ରହି ପାଠ ପଢୁଥିବା ବେଳେ ଖରା ଛୁଟିରେ ଘରକୁ ଆସିଥିଲେ l ପୂର୍ବ ଦିନ ଅପରାହ୍ନ ପ୍ରାୟ ୫ଟା ସମୟରେ ତୁଲାବାଇ ବାହାରକୁ ଝାଡ଼ା ଯାଉଛି କହି ଯିବାକୁ କହି ଏକ ଷ୍ଟିଲ ବାଲଟି ଧରି ଘରୁ ବାହାରି ଆଉ ଫେରି ନଥିଲେ l ଦୀର୍ଘ ସମୟ ଧରି ଶୌଚ କରି ଫେରୁନଥିବାରୁ ପରିବାର ଲୋକେ ସନ୍ଧ୍ୟା ୭ଟା ବେଳେ ବହୁତ ଖୋଜାଖୋଜି କରିଥିଲେ କିନ୍ତୁ ପରେ ଏକ ନାଳ ଭିତରେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ତୁଲାବାଇର ମୃତଦେହ ପଡିଥିବା ଦେଖି ତୁରନ୍ତ ରାଇଘର ମେଡିକାଲକୁ ନେଇ ଆସିଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ବୋଲି ଏତଲାରେ ଲେଖାଥିଲା । ଅପରପକ୍ଷରେ ଖବର ପାଇ ରାଇଘର ପୋଲିସ ମେଡିକାଲରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ପରିବାର ଲୋକେ ତୁଲାବାଇ ଆତ୍ମହତ୍ୟା କରିଛି ବୋଲି ଥାନାରେ ଲିଖିତ ଜଣାଇଥିଲେ ମଧ୍ୟ ଚତୁର୍ଥ ଶ୍ରେଣୀର ଛାତ୍ରୀ ଆତ୍ମହତ୍ୟା କରିଥିବା ଘଟଣାକୁ ନେଇ ପୋଲିସକୁ ସନ୍ଦେହ ହୋଇଥିଲା । ଘଟଣାକୁ ଗୁରୁତ୍ବର ସହ ନେଇ କିଭଳି ଓ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଛି ତାହାର ତଦନ୍ତ ନିମନ୍ତେ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ନେଇ ଘଟଣାସ୍ଥଳରେ ପୋଲିସ ତଦନ୍ତ କରିଥିଲା l ପରେ ମା’ ତ୍ରିବେଣୀଙ୍କ ଉପରେ ପୋଲିସ ସନ୍ଦେହ କରି କିଛି ଦିନ ପରେ ଥାନାକୁ ଆଣି ଅଧିକ ତଦନ୍ତ କରିବାରୁ ତୁଳବାଇର ହତ୍ୟାର ଲୋମ ଟାଙ୍କୁରା କାହାଣୀ ସାମ୍ନାକୁ ଆସିଛି । 

ଘଟଣା ଦିନ ସନ୍ଧ୍ୟାରେ ବାପା ଲଷ୍ମୀଧର ଘରକୁ ପକୁଡି ଆଣିଥିଲେ । ମାଝୀ ଦମ୍ପତ୍ତିଙ୍କ ତିନି ପୁଅ ଝିଅଙ୍କୁ ପକୁଡି ବାଣ୍ଟିଲେ ମା’ ତ୍ରିବେଣୀ କିନ୍ତୁ ତୁଳାବାଇ ଅଧିକ ପକୁଡି ମାଗିବାରୁ ପାଖରେ ଥିବା ଠେଙ୍ଗାରେ ମୁଣ୍ଡରେ ମାରିଥିଲେ ଯାହା ଫଳରେ ଘଟଣାସ୍ଥଳରେ ତୁଳାବାଇଙ୍କ ମୃତ୍ୟୁ ହୋଇଯାଇଥିଲା । ତ୍ରିବେଣୀ ପ୍ରମାଣ ଲୁଚାଇବାକୁ ଯାଇ ତୁଳାବାଇଙ୍କ ମୃତ ଶରୀରକୁ ଘର ପଛ ପାଖରେ ଥିବା ନାଳରେ ପକାଇ ଘରେ ଚୁଲି ଜଳାଇବାକୁ ରଖିଥିବା ଡିଜେଲ ତୁଳାବାଇଙ୍କ ଶରୀରରେ ଢାଳି ନିଆଁ ଲଗାଇ ଦେଇଥିଲା । ଝିଅ ଆତ୍ମହତ୍ୟା କରିଥିବା ସମସ୍ତଙ୍କୁ କହିଥିଲା। ପୋଲିସ କିନ୍ତୁ ଏତେ ଛୋଟ ଝିଅ ଆତ୍ମହତ୍ୟା କରିଥିବା ନେଇ ସନ୍ଦେହ କରି ରାଇଘର ଥାନା ଅଧିକାରୀ ରଘୁନାଥ ମାଝୀ ଏକ ଟିମ ଗଠନ କରି ଅପରାଧୀ ମା’ଙ୍କ ଠାରୁ ସବୁ ସତ ବାହାର କରି ଆଇନ ହାତରୁ ଖସିଯିବା ପୂର୍ବରୁ ଜେଲକୁ ପଠାଇବାରେ ସଫଳ ହୋଇଛି ଏହି ସମ୍ପର୍କରେ ରାଇଘର ଥାନା କେଶ ନମ୍ବର ୧୫୭/୨୪ ରେ ହତ୍ୟା ମାମଲା ରୁଜ୍ଜୁ କରାଯାଇଛି ।

You Can Read :

ଆସନ୍ତା ୨୬ରେ ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳ, ସାଢେ ୧୧ଟାରେ ଓ୍ବେବସାଇଟ୍‌ରେ ମିଳିବ ରେଜଲ୍ଟ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.