ଆଖି ଆଗରେ ଜଳିଗଲେ ସ୍ତ୍ରୀ ସହ ୬ପିଲା, ବଞ୍ଚାଇବାକୁ ଉଦ୍ୟମ କରି ଆହତ ହେଲେ ସ୍ବାମୀ

Published By : Prameya-News7 Bureau | February 09, 2020 IST

କ୍ଲିଣ୍ଟନ ୯।୨: ଆମେରିକା ମିସିସିପି ସ୍ଥିତ ଏକ ଘରେ ଅଗ୍ନିକାଣ୍ଡ ଯୋଗୁଁ ସ୍ତ୍ରୀ ସହ ୬ ପିଲାଙ୍କ ମୃତ୍ୟୁ ହୋଇଛି । ସ୍ବାମୀ ଆହତ ହୋଇଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, କ୍ଲିଣ୍ଟନ ସ୍ଥିତ ଏକ ଘରେ ଗତକାଲି ରାତି ପ୍ରାୟ ୧୨ଟା ସମୟରେ ନିଆଁ ଲାଗିଯାଇଥିଲା । ସ୍ବାମୀଙ୍କ ତାଙ୍କ ସ୍ତ୍ରୀ ଏବଂ ପିଲାଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ । ଫଳରେ ନିଆଁରେ ପୋଡି ସ୍ତ୍ରୀ ସହ ୬ ପିଲା ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ବଞ୍ଚାଇବାକୁ ଉଦ୍ୟମ କରୁଥିବା ବେଳେ ସ୍ବାମୀ ଆହତ ହୋଇଛନ୍ତି । ମୃତକ ହେଉଛନ୍ତି ବ୍ରିଟନୀ ପ୍ରେଲ୍ସି (୩୩), ବ୍ରୁକଶାୟର (୧୫), ଲେନ ପ୍ରେଲ୍ସି (୧୩), ଲାସନ ପ୍ରେଲ୍ସି (୧୨), ଗ୍ରେସନ ପ୍ରେଲ୍ସି (୬), ମେଲକମ ପ୍ରେଲ୍ସି (୪) ଏବଂ ଫେଲିସିଟି ପ୍ରେଲ୍ସି (୧) ।

ତେବେ ଘଟଣା ପରେ ଆହତ ବ୍ୟକ୍ତି ଜଣଙ୍କ ସେହି ସ୍ଥାନ ଛାଡି ଯିବାକୁ ରାଜି ହୋଇନଥିଲେ । ତାଙ୍କୁ ଆହତ ଅବସ୍ଥାରେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ନିଆଁ ଲିଭାଇବା ପାଇଁ ଘଟଣାସ୍ଥଳରେ ୪ଟି ଦମକଳ ଗାଡି ନିୟୋଜିତ ହୋଇଥିଲା । ପ୍ରାୟ ୪୫ ମିନିଟ୍ ପରେ ନିଆଁକୁ କାବୁ କରିପାରିଥିଲେ ଦମକଳ ବାହିନୀ କର୍ମଚାରୀ ।

ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ପାଇଁ ପହଞ୍ଚିଥିଲେ । ସେହି ସମୟରେ ସପୃକ୍ତ ବ୍ୟକ୍ତି ଜଣଙ୍କ ନିଜେ ଘର ଭିତରକୁ ଆଗ ଯାଇ ଅଗ୍ନିଶମ କର୍ମଚାରୀଙ୍କୁ ପଛରେ ଆସିବା ପାଇଁ କହିଥିଲେ । ବ୍ୟକ୍ତି ଜଣଙ୍କ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ । ମାତ୍ର ସେ ବିଫଳ ହୋଇଥିଲେ । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଫାୟାର ମାର୍ଶଲ ବିଭାଗ ନିଆଁ ଲାଗିବାର କାରଣ ଖୋଜୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.