ବୁଝିଲାନି ମା ମନ, ଚାରି ଦିନ ପରେ ଶିଶୁକୁ ମାଟିରୁ ଖୋଳି ବାହାର କଲା, କ୍ଷୀର ବି ଖୁଆଇବାକୁ କଲା ଚେଷ୍ଟା, ତା ପରେ…

Published By : Prameya-News7 Bureau | December 04, 2020 IST

ଝାରସୁଗୁଡା ୦୪।୧୨:  ପୁଅର ମୃତଦେହକୁ କାହିଁକି ୪ ଦିନ ପରେ ଖୋଳି ବାହାର କଲେ ବାମା ମାଆ । ଏହା ପୂର୍ବରୁ ଶିଶୁ ପୁତ୍ରର ମୃତ ଦେହକୁ ନିଜ ହାତରେ ବାପାମାଆ ଶ୍ମଶାନରେ ପୋତି ଦେଇ ଆସିଥିଲେ । ପୁଣି ଏମିତି କଣ ହେଲା, ପୁଅ ବଞ୍ଚିଛି ବୋଲି କିଏ କହିଲା ଯେ ତାକୁ ଖୋଳି ବାହାର କରି ଆଣିଲେ । କେବଳ ସେତିକି ନୁହେଁ, ମଲା ପୁଅକୁ ମାଆ କ୍ଷୀର ଖୁଆଇବାକୁ ଚେଷ୍ଟା ବି କରିଥିଲା। ଏହିଭଳି ଏକ ଘଟଣା ଘଟିଛି ଝାରସୁଗୁଡା ସହରାଞ୍ଚଳର ଚାନ୍ଦମାରୀ ନିକଟରେ।

ଝାରସୁଗୁଡା ସହର ଚାନ୍ଦମାରୀ ଅଞ୍ଚଳର ଏହି ଦୃଶ୍ୟ । ଶ୍ମଶାନ ପାଖରେ କଅଁଳା ଶିଶୁକୁ ଧରି ବସିଛନ୍ତି ମାଆ। କ୍ଷୀର ଖୁଆଇବାକୁ ଚେଷ୍ଟା କରୁଛନ୍ତି । ଆଖପାଖରେ ଲୋକଙ୍କ ବେଶ ଭିଡ ଜମିଛି । ତେବେ ପୂରା ଘଟଣା ଶୁଣିଲେ  ଆପଣ ଆଶ୍ଚର୍ଯ୍ୟ ହେବେ । ଚାନ୍ଦମାରୀ ଅଞ୍ଚଳର ଏକ ଦମ୍ପତ୍ତିଙ୍କ ୪ମାସର ଶିଶୁପୁତ୍ର ଜ୍ବରରେ ଆକ୍ରାନ୍ତ ହୋଇ ଗତ ୧ ତାରିଖରେ ଆଖି ବୁଜିଥିଲା । ମୃତ ଦେହକୁ ଶ୍ମଶାନରେ ପୋତି ଦିଆଯାଇଥିଲା । ଶିଶୁପୁତ୍ରକୁ ହରାଇ ଦୁଃଖୀ ବାପା-ମା ବୁଲିବୁଲି ଶେଷରେ ଗୁଣିଆ ନିକଟରେ ପହଞ୍ଚିଥିଲେ | ଗୁଣିଆ କହିଥିଲା ଶିଶୁଟି ବଞ୍ଚିଛି, ତାକୁ ଖୋଳି ବାହାର କର। ବ୍ୟଗ୍ର ବାପାମାଆ ବି ବିଶ୍ବାସ କରି ଯାଇଥିଲେ । ସାହି ପଡିଶାଙ୍କ ସହ ଆସି ମୃତ ଦେହକୁ ଖୋଳି କାଢିଥିଲେ । ମୃତ ଶିଶୁକୁ ମା କୋଳକୁ ନେଇ ଯାଇଥିଲା । କ୍ଷୀର ଖୁଆଇବାକୁ ଚେଷ୍ଟା ବି କରିଥିଲା । ଯେତେହେଲେ ମାଆ ମନ । ପୁଅର ମୃତ୍ୟୁ କଥା ବିଶ୍ବାସ କରିବାକୁ ପ୍ରସ୍ତୁତ ନଥିଲା ମାଆ । ଡାକ୍ତରଖାନାରେ ବି ପୁଅକୁ ଛାଡୁନଥିଲେ ମାଆ ।

ଘଟଣାସ୍ଥଳରେ ପୋଲିସ ଓ ଚାଇଲ୍ଡ ଲାଇନ୍ କର୍ମକର୍ତ୍ତା ପହଞ୍ଚି ଶିଶୁର ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ | ଶିଶୁକୁ ପୁଣି ମୃତ ଘୋଷଣା କରିଥିଲେ ଡାକ୍ତର। ୪ଦିନ ତଳୁ ମୃତ୍ୟୁ ହୋଇଥିବା ଡାକ୍ତର କହିଥିଲେ । କିନ୍ତୁ ଗୁଣିଆ କଥାରେ ଏତେ ବିଶ୍ବାସ ଯେ, ମା ମାନିବାକୁ ପ୍ରସ୍ତୁତ ନଥିଲେ । ବୁଝାସୁଝା କରିବାକୁ ୪ଘଣ୍ଟା ପର୍ଯ୍ୟନ୍ତ  ନାକେଦମ ହୋଇଥିଲା ପ୍ରଶାସନ। ୪ଦିନ ପୋତା ହେବା ପରେ ବି ଶିଶୁଟି ବଞ୍ଚିଛି, ଏକଥା ବିଶ୍ବାସ ଜନ୍ମାଇବାରେ ସଫଳ ହୋଇଥିଲେ ଗୁଣିଆ ।  ଏହାର ଅର୍ଥ, କିଛି ଅନ୍ଧ ବିଶ୍ବାସ ଆଉ ବ୍ୟଗ୍ରତା, ଯାହାର ଫାଇଦା ନେଉଛନ୍ତି ଗୁଣିଆ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.