ଝିଅ ବାହାଘର ଦିନ ମାଆ ବାହାଘର : ଗୋଟିଏ ମଣ୍ଡପରେ ହେଲା ବିବାହ...ଏମିତି କେମିତି ହେଲା?

Published By : Prameya-News7 Bureau | December 11, 2020 IST

ଗୋରଖପୁର ୧୧/୧୨: ଉତ୍ତରପ୍ରଦେଶର ଗୋରଖପୁରରେ ମୁଖ୍ୟମନ୍ତ୍ରୀ ସାମୂହିକ ବିବାହ ଯୋଜନା ଅନୁସାରେ ଗୋଟିଏ ମଣ୍ଡପରେ ମା-ଝିଅ ଦୁହେଁ ବିବାହ କରିଛନ୍ତି। ଝିଅ ଇନ୍ଦୁଙ୍କ ବିବାହ ତାଙ୍କ ସମବୟସ୍କ ଯୁବକ ରାହୁଲଙ୍କ ସହ ହୋଇଥିବାବେଳେ ୫୩ବର୍ଷୀୟା ମା ବେଲା ଦେବୀଙ୍କ ବିବାହ ନିଜର ୫୫ବର୍ଷୀୟ ଅବିବାହିତ ଦିଅର ଜଗଦୀଶଙ୍କ ସହ ହୋଇଛି।

ଗୋରଖପୁରର ପିପରୌଲି ବ୍ଲକରେ ଆୟୋଜିତ ଏହି ସାମୂହିକ ବିବାହ କାର୍ଯ୍ୟକ୍ରମରେ ମୋଟ ୬୩ଯୋଡ଼ି ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଏମାନଙ୍କ ମଧ୍ୟରୁ ଜଣେ ମୁସଲିମ୍ ଯୋଡ଼ି ମଧ୍ୟ ଅଛନ୍ତି। ବେଲା ଏବଂ ଜଗଦୀଶଙ୍କ ବିବାହ ସବୁଠୁ ଚର୍ଚ୍ଚିତ ଥିଲା। ପିପରୌଲି ବ୍ଲକର କୁରମୌଲ ଗାଁର ୫୫ବର୍ଷୀୟ ଜଗଦୀଶ ୩ଭାଇଙ୍କ ମଧ୍ୟରୁ ସବୁଠୁ ସାନ। ସେ ଗାଁରେ ଚାଷବାସ କାମ କରନ୍ତି। ସେ ବିବାହ କରିନଥିଲେ।

ପାଖାପାଖି ୨୫ବର୍ଷ ତଳେ ବଡ଼ ଭାଇ ହରିହରଙ୍କ ପରଲୋକ ହୋଇ ଯାଇଥିଲା। ତାଙ୍କର ୨ଟି ପୁଅ ଏବଂ ୩ଟି ଝିଅ ଥିଲେ। ଜଗଦୀଶଙ୍କ ଭାଉଜ ବେଲା ଦେବୀ ସବୁ ପିଲାଙ୍କ ପାଠ ପଢ଼ାଇ ବଡ଼ କରିଥିଲେ। ୨ପୁଅ ଏବଂ ୨ଝିଅଙ୍କ ବିବାହ ମଧ୍ୟ କରାଇଥିଲେ। ତୃତୀୟ ଏବଂ ସବୁଠୁ ସାନ ଝିଅ ଇନ୍ଦୁଙ୍କ ବିବାହ ପିପରୌଲି ବ୍ଲକରେ ଆୟୋଜିତ ସାମୂହିକ ବିବାହ କାର୍ଯ୍ୟକ୍ରମରେ ହେବାକୁ ସ୍ଥିର ହୋଇଥିବାବେଳେ ଜଗଦୀଶ ଏବଂ ବେଲା ମଧ୍ୟ ନିଜ ବିଷୟରେ ବଡ଼ ନିଷ୍ପତ୍ତି ନେଇଥିଲେ।

ଏହି ମଣ୍ଡପରେ ସେମାନେ ମଧ୍ୟ ସବୁଦିନ ପାଇଁ ପରସ୍ପରର ହେବାକୁ ନିଷ୍ପତ୍ତି ନେଇଥିଲେ। ଦୁହେଁ ନିଜ ପିଲା ଏବଂ ଗାଁଲୋକଙ୍କଠୁ ମଧ୍ୟ ଏ ମାମଲାରେ ରାୟ ନେଇଥିଲେ। ସମସ୍ତେ ଏଥିରେ ସହମତ ହୋଇଥିଲେ। ଏହାପରେ ଗୁରୁବାର ବେଲା ଏବଂ ଜଗଦୀଶ  ମଧ୍ୟ ଇନ୍ଦୁ ଏବଂ ରାହୁଲଙ୍କ ସହ ସେହି ମଣ୍ଡପରେ ବିବାହ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.