ନୂଆଦିଲ୍ଲୀ ୬।୬: ଅଷ୍ଟାଦଶ ଲୋକସଭା ନିର୍ବାଚନରେ କୌଣସି ରାଜନୈତିକ ଦଳକୁ ସ୍ପଷ୍ଟ ବହୁମତ ମିଳିପାରି ନାହିଁ, ହେଲେ ‘ନୋଟା’ ନୂଆ ରେକର୍ଡ କରିଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏଥର ନିର୍ବାଚନରେ ମୋଟ ଭୋଟରଙ୍କ ମଧ୍ୟରୁ ୧ ପ୍ରତିଶତ ନୋଟାରେ ଭୋଟ ଦେଇଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ଯାହା ତାହା ହେଉଛି ୫୪୩ ଲୋକସଭା ଆସନ ମଧ୍ୟରୁ ଏପରି କେତେକ ଆସନ ଅଛି ଯେଉଁଠି ଭୋଟର ବିଜୟୀ ପ୍ରାର୍ଥୀଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କ ଅପେକ୍ଷା ନୋଟା ଉପରେ ଅଧିକ ଭରସା କରିଛନ୍ତି।
ଭାରତର ନିର୍ବାଚନ ଆୟୋଗଙ୍କ ୱେବସାଇଟ୍ ଅନୁସାରେ ମଧ୍ୟପ୍ରଦେଶ ଇନ୍ଦୋରର ସଂସଦୀୟ କ୍ଷେତ୍ରରେ ନୋଟାକୁ ୨,୧୮,୬୭୪ ଭୋଟ ମିଳିଛି। ଏଠାରେ ବିଜେପିର ଶଙ୍କର ଲାଲୱାଣୀ ବସପାର ସଞ୍ଜୟଙ୍କୁ ପରାସ୍ତ କରିଛନ୍ତି। ଶଙ୍କରଙ୍କୁ ମୋଟ ୧୨,୨୬,୭୫୧ଟି ଭୋଟ ମିଳିଥିବା ବେଳେ ସଞ୍ଜୟଙ୍କୁ ୫୧,୬୫୯ଟି ଭୋଟ ମିଳିଛି। ଏହି ଆସନରେ ନୋଟାକୁ ୨ଲକ୍ଷ ୧୮,୬୭୪ଟି ଭୋଟ ମିଳିଛି। ଯାହା ପରାଜିତ ପ୍ରାର୍ଥୀଙ୍କ ମୋଟ ଭୋଟ ଠାରୁ ଢେର ଅଧିକ। ଏଠାରେ ନୋଟାକୁ ୧୪ ପ୍ରତିଶତ ଭୋଟମିଳିଛି।
ନୋଟାରେ ରେକର୍ଡ କରିବାରେ ବିହାର ଗୋପାଲଗଞ୍ଜ ନିର୍ବାଚନମଣ୍ଡଳି ଅନ୍ୟତମ। ନିର୍ବାଚନ ଆୟୋଗଙ୍କ ୱେବସାଇଟ୍ ଅନୁସାରେ ଏହି ଆସନରେ ୪୨,୮୬୩ ମତଦାତା ନୋଟାରେ ଭୋଟ ଦେଇଛନ୍ତି। ଯାହା ନିର୍ବାଚନରେ ତୃତୀୟ ସ୍ଥାନରେ ଥିବା ଏଆଇଏମଆଇଏମ ପ୍ରାର୍ଥୀ ଦିନାନାଥ ମାଁଝୀଙ୍କୁ ମିଳିଥିବା ଭୋଟ ସଂଖ୍ୟାଠାରୁ ମଧ୍ୟ ଅଧିକ। ଏଠାରେ ଜେଡିୟୁ ପ୍ରାର୍ଥୀ ଆଲୋକ କୁମାର ସୁମନଙ୍କୁ ୫,୧୧,୮୬୬ଟି ଭୋଟ ମିଳିଥିବା ବେଳେ ତୃତୀୟସ୍ଥାନରେ ଥିବା ପ୍ରାର୍ଥୀ ଦିନାନାଥ ମାଁଝୀଙ୍କୁ ୨୯, ୯୨୨ଟି ଭୋଟ ମିଳିଛି।
ବିହାର ଝଂଝାରପୁର ନିର୍ବାଚନମଣ୍ଡଳିରେ ୩୫,୯୨୮ ଭୋଟର ନୋଟାରେ ଭୋଟ ଦେଇଛନ୍ତି। ଏଠାରେ ଜେଡିୟୁର ବିଜେତା ପ୍ରାର୍ଥୀଙ୍କୁ ୫,୩୩,୦୩୨ଟି ଭୋଟ ମିଳିଥିବା ବେଳେ ନୋଟା ଚତୁର୍ଥ ସ୍ଥାନରେ ଥିବା ପ୍ରାର୍ଥୀ ରାମପ୍ରସାଦ ରାଉତଙ୍କୁ ମିଳିଥିବା ୨୬,୦୧୦ଟି ଭୋଟ ଠାରୁ ବି ଅଧିକ। ବିହାର ହାଜୀପୁରରେ ମଧ୍ୟ ଲୋକେ ନୋଟାରେ ଅଧିକ ଭୋଟ ଦେଇଛନ୍ତି। ଏଠାରେ ନୋଟାକୁ ୩୬,୯୨୭ଟି ଭୋଟ ମିଳିଛି। ଏଠାରେ ନୋଟାକୁ ତୃତୀୟସ୍ଥାନରେ ଥିବା ସ୍ୱାଧୀନ ପ୍ରାର୍ଥୀ ସୁରେନ୍ଦ୍ର କୁମାର ପାଶୱାନଙ୍କୁ ମିଳିଥିବା ଭୋଟ ଠାରୁ ଅଧିକ ଭୋଟ ମିଳିଛି।
ସେହିପରି ନୋଟାରେ ରେକର୍ଡ ଭୋଟିଂ ମାମଲାରେ ଝାଡଖଣ୍ଡର କୋଡରମା ନିର୍ବାଚନମଣ୍ଡଳି ମଧ୍ୟ ରହିଛି। ଏଠାରେ ନୋଟାକୁ ୪୨,୧୫୨ ଭୋଟ ମିଳିଛି। ଯାହା ସ୍ୱାଧୀନ ପ୍ରାର୍ଥୀ ମନୋଜ କୁମାରଙ୍କୁ ମିଳିଥିବା ୨୮,୬୧୨ ଭୋଟରୁ ବି ବହୁତ ଅଧିକ। ଏହି ଆସନରେ ବିଜେପିର ଅନ୍ନପୂର୍ଣ୍ଣା ଦେବୀ ବିଜୟୀ ହୋଇଛନ୍ତି। ଗୁଜରାଟର ଦାହୋଦ ନିର୍ବାଚନ ମଣ୍ଡଳିରେ ନୋଟାକୁ ୩୪,୯୩୮ଟି ଭୋଟ ମିଳିଛି। ଏଠାରେ ସ୍ୱାଧୀନ ପ୍ରାର୍ଥୀ ମେଦା ଦେବେନ୍ଦ୍ର କୁମାର ଲକ୍ଷ୍ମଣ ଭାଇଙ୍କୁ ମିଳିଥିବା ୧୧,୦୭୫ଟି ଭୋଟରୁ ନୋଟା ଭୋଟ ସଂଖ୍ୟା ଢେର ଅଧିକ।
ଛତିଶଗଡ଼ ବସ୍ତର ଲୋକସଭା ସିଟ୍ରେ ବି ନୋଟା ରେକର୍ଡ କରିଛି। ଏଠାରେ ୩୬,୭୫୮ ଭୋଟର ନୋଟାରେ ଭୋଟ ଦେଇଛନ୍ତି। ଏଠାରେ ତୃତୀୟ ସ୍ଥାନରେ ଥିବା ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ପ୍ରାର୍ଥୀ ଫୁଲସିଂହ କଚଲାମଙ୍କୁ ମିଳିଥିବା ୩୫,୮୮୭ ଭୋଟରୁ ନୋଟା ଭୋଟ ଢେର ଅଧିକ। ଓଡିଶାର ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳିରେ ଭୋଟର ନୋଟାରେ ୪୩,୨୬୮ଟି ଭୋଟ ଦେଇଛନ୍ତି। ଏଠାରେ ଏସୟୁସିଆଇ (ସି) ପ୍ରାର୍ଥୀ ତ୍ରିନାଥ ମୁଣ୍ଡାଗୁଡିଆ ମିଳିଥିବା ୨୦,୫୫୯ ଭୋଟରୁ ବି ନୋଟା ଭୋଟ ହାର ଦୁଇ ଗୁଣାରୁ ବି ଅଧିକ।
କେବଳ ନବରଙ୍ଗପୁର ନୁହେଁ ଓଡିଶାର କୋରାପୁଟ ୩୭,୧୩୧ ଭୋଟର ନୋଟାରେ ଭୋଟ ଦେଇଛନ୍ତି। ଯାହା ଏଠାରେ ବହୁଜନ ସମାଜପାର୍ଟି ପ୍ରାର୍ଥୀ ଦାମିନୀ ଜାନିଙ୍କୁ ମିଳିଥିବା ୧୫,୪୨୭ ଭୋଟର ଦୁଇଗୁଣାରୁ ବି ଅଧିକ। ଏହି ଆସନରେ କଂଗ୍ରେସ ପ୍ରାର୍ଥୀ ସପ୍ତଗିରି ଉଲାକା ବିଜୟୀ ହୋଇଛନ୍ତି। ତେବେ ଆନ୍ଧ୍ରପ୍ରଦେଶ ଅରାକୁରେ ନୋଟା ରେକର୍ଡ ଭାଙ୍ଗିଛି। ଏଠାରେ ୫୦,୪୭୦ ଭୋଟର ନୋଟାରେ ଭୋଟ ଦେଇଛନ୍ତି। ଏଠାରେ ବହୁଜନ ସମାଜପାର୍ଟି ପ୍ରାର୍ଥୀ ଙ୍କୁ ମିଳିଥିବା ୨୫,୭୫୦ ଭୋଟ ଠାରୁ ମଧ୍ୟ ଅଧିକ। ଏଠାରେ କଂଗ୍ରେସ ପ୍ରାର୍ଥୀ ଜି.ତନୁଜା ରାଣୀ ବିଜୟୀ ହୋଇଛନ୍ତି।