Asia Cup 2023 : ଟୁର୍ଣ୍ଣାମେଣ୍ଟରେ ଟ୍ରଫି ଜିତିବାରେ ସବୁଠୁ ଆଗରେ ଟିମ୍‌ ଇଣ୍ଡିଆ, ଶେଷରେ ପାକିସ୍ତାନ

Published By : Prameya-News7 Bureau | August 15, 2023 IST

ମୁମ୍ବାଇ ୧୫।୦୮ : ଏସିଆ କପ୍‌ ୨୦୨୩ । ଅଗଷ୍ଟ ୩୦ରୁ ଆରମ୍ଭ ହେବ ଏସିଆ ମହାଦେଶରେ ଏହି ବଡ଼ ଟୁର୍ଣ୍ଣାମେଣ୍ଟ । ସେପ୍ଟେମ୍ବର ୧୭ରେ ଖେଳାଯିବ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍‌ । ଭାରତର ପ୍ରଥମ ମ୍ୟାଚ୍‌ ପାକିସ୍ତାନ ବିପକ୍ଷରେ ଖେଳିବ । ତେବେ ଜାଣିଛନ୍ତି ଏବେ ଯାଏଁ ଖେଳାଯାଇଥିବା ଏସିଆ କପ୍‌ରେ କିଏ ସବୁଠାରୁ ଅଧିକ ଥର ହୋଇଛି ଚମ୍ପିଆନ୍‌ । ଆସନ୍ତୁ ଜାଣିବା…

୧୯୮୪ରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିଲା ଏସିଆ କପ୍‌ । ଏହି ଟ୍ରଫିକୁ ଟିମ୍‌ ଇଣ୍ଡିଆ ନିଜ ନାଁରେ କରିବାରେ ସକ୍ଷମ ହୋଇଥିଲା । ଟିମ୍‌ ଇଣ୍ଡିଆ ବର୍ତ୍ତମାନ ଯାଏଁ ୬ ଥର ଏସିଆ କପ୍‌ ଜିତିସାରିଛି । ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଟିମ୍‌ ମୋଟ ୪୯ଟି ମୁକାବିଲା ଖେଲିଥିବା ବେଳେ ୩୧ରେ ବିଜୟୀ ହୋଇଛି । ଭାରତୀୟ ଟିମ୍‌ ୧୯୮୪ ବ୍ୟତୀତ ୧୯୮୮, ୧୯୯୦, ୨୦୧୦, ୨୦୧୮ରେ ଏସିଆ କପ୍ ଜିତିଥିଲା । ଭାରତ ପରେ ଶ୍ରୀଲଙ୍କା ଅଧିକ ଏସିଆ କପ୍‌ ଜିତିଥିବାର ରେକର୍ଡ ରହିଛି । ଶ୍ରୀଲଙ୍କା ଟିମ୍‌ ମୋଟ ୫ ଥର ଏସିଆ କପ୍‌ ଟ୍ରଫି ହାତେଇଛି । ଏସିଆ କପ୍‌ରେ ମୋଟ ୧୫ଟି ସଂସ୍କରଣ ଖେଳାଯାଇଛି । ଶ୍ରୀଲଙ୍କା ଏକମାତ୍ର ଟିମ୍‌ ଯିଏକି  ୧୩ଟି ସଂସ୍କରଣରେ ଭାଗ ନେଇଛି । ଶ୍ରୀଲଙ୍କା ଟିମ୍‌ ଏସିଆ କପ୍‌ରେ ମୋଟ ୫୦ଟି ମୁକାବିଲା ଖେଳିଥିବା ବେଳେ ୩୪ଟିରେ ବିଜୟୀ ହୋଇଛି ।

ସେହିପରି ଏହି ତାଲିକାରେ ତୃତୀୟ ସ୍ଥାନରେ ପାକିସ୍ତାନ ରହିଛି । ପାକିସ୍ତାନ ଟିମ୍‌ ମୋଟ ୨ ଥର ହିଁ ଏସିଆ କପ୍‌ ଟ୍ରଫି ଜିତିଛି । ୨୦୦୦ ମସିହାରେ ପ୍ରଥମ ଥର ପାଇଁ ପାକିସ୍ତାନ ଏସିଆ କପ୍‌ ଟ୍ରଫି ହାତେଇଥିବା ବେଳେ ୨ ଥର ଲାଗି ୨୦୧୪ରେ ବିଜୟୀ ହୋଇଥିଲା ।

ସୂଚନାଯୋଗ୍ୟ ଯେ, ଅଗଷ୍ଟ-ସେପ୍ଟେମ୍ବରରେ ହେବ ଏସିଆ କପ୍‌ । ଏସୀୟ କ୍ରିକେଟ୍ ପରିଷଦ(ଏସିସି) ଏହି ସୂଚନା ଦେଇଛି। ଏଥିରେ ପାକିସ୍ତାନକୁ ବଡ଼ ଝଟକା ଲାଗିଛି, କାରଣ ପାକିସ୍ତାନକୁ କମ ମ୍ୟାଚ୍ ଆୟୋଜନର ସୁଯୋଗ ମିଳିଛି। ହାଇବ୍ରିଡ ମୋଡେଲ୍ ଆଧାରରେ ଏସିଆ କପ୍ ଖେଳାଯାଉଥିଲେ ହେଁ ଶ୍ରୀଲଙ୍କାରେ ଅଧିକାଂଶ ମ୍ୟାଚ୍ ଖେଳାଯିବ। ଚଳିତ ବର୍ଷ ଏସିଆ କପ୍‌ରେ ୬ଟି ଦଳ ଅଂଶଗ୍ରହଣ କରିବେ।

ପାକିସ୍ତାନରେ କେବଳ ୪ଟି ମ୍ୟାଚ୍ ଖେଳାଯାଉଥିବା ବେଳେ ଅବଶିଷ୍ଟ ମ୍ୟାଚ୍ ଶ୍ରୀଲଙ୍କାରେ ଆୟୋଜନ କରାଯିବ। କାର୍ଯ୍ୟସୂଚୀ ଅନୁଯାୟୀ, ଏସିଆ କପ୍ ଅଗଷ୍ଟ ୩୦ରୁ ଆରମ୍ଭ ହେବ ଏବଂ ଫାଇନାଲ୍ ମୁକାବିଲା ସେପ୍ଟେମ୍ବର ୧୭ରେ ଖେଳାଯିବ। ଏଥର ଏସିଆ କପ୍‌ରେ ମୋଟ୍ ୧୩ଟି ମ୍ୟାଚ୍ ଖେଳାଯିବ। ଶ୍ରୀଲଙ୍କାରେ ୯ଟି ମ୍ୟାଚ୍ ଖେଳା ଯାଉଥିବା ବେଳେ ସମ୍ଭବତଃ ଏଥିରେ ଫାଇନାଲ୍ ମ୍ୟାଚ୍ ମଧ୍ୟ ସାମିଲ୍ ରହିଛି ।

wp:embed {"url":"https://www.prameyanews7.com/career-of-12-cricketers-will-end-after-cricket-world-cup-2023/","type":"wp-embed","providerNameSlug":"prameya-news-7"}
https://www.prameyanews7.com/career-of-12-cricketers-will-end-after-cricket-world-cup-2023/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.