ଭ୍ରଷ୍ଟାଚାର ବିରୋଧୀ ଲଢେଇରେ ୯୫% ଦେଶ ବିଫଳ, ଜାଣନ୍ତୁ ଇଣ୍ଡେକ୍ସର କେଉଁ ସ୍ଥାନରେ ଭାରତ?
1/02/2023 at 6:02 PM

ବର୍ଲିନ ୧।୨: ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲ ‘ଭ୍ରଷ୍ଟାଚାର ସୂଚକାଙ୍କ-୨୦୨୨’ ଜାରି କରିଛନ୍ତି। ଏଥିରେ ବିଶ୍ୱର ଅଧିକାଂଶ ଦେଶ ଭ୍ରଷ୍ଟାଚାର ବିରୋଧ ଲଢେଇରେ ବିଫଳ ହୋଇଥିବା ଜଣାପଡିଛି। ଭ୍ରଷ୍ଟାଚାର ବିରୋଧରେ ୯୫ ପ୍ରତିଶତ ଦେଶ ୨୦୧୭ ମସିହା ପରେ ବହୁତ କମ ବା ଆଦୌ ପ୍ରଗତି ହାସଲ କରିନଥିବା କୁହାଯାଇଛି। ଭ୍ରଷ୍ଟାଚାର ଇଣ୍ଡେକ୍ସରେ ଭାରତ ୪୦ ପଏଣ୍ଟ ସହିତ ୮୫ତମ ସ୍ଥାନରେ କାୟମ ରହିଛି। ତେବେ ଡେନମାର୍କକୁ ୨୦୨୨ରେ ସବୁଠୁ କମ୍ ଭ୍ରଷ୍ଟାଚାରର ଦେଶ ଭାବେ ୯୦ ପଏଣ୍ଟ ମିଳିଛି।
ଭ୍ରଷ୍ଟାଚାର ବିରୋଧୀ ଲଢେଇରେ ଡେନମାର୍କ ପଛକୁ ଫିନଲ୍ୟାଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ଅଛନ୍ତି। ଉଭୟ ଦେଶଙ୍କୁ ୮୭ ପଏଣ୍ଟ ମିଳିଛି। ଏଥିରେ ବ୍ରିଟେନ ୫ ପଏଣ୍ଟ ହ୍ରାସ ସହ ସବୁଠୁ କମ୍ ୭୩ ପଏଣ୍ଟ ପାଇଛି। ଏହି ରିପୋର୍ଟ ଦେଶଙ୍କୁ ଅତ୍ୟାଧିକ ଭ୍ରଷ୍ଟରୁ ଭ୍ରଷ୍ଟାଚାର ମୁକ୍ତ ଶୁନରୁ ୧୦୦ ପଏଣ୍ଟରେ ରାଙ୍କିଙ୍ଗ କରିଥାଏ। ଚଳିତବର୍ଷ ୧୮୦ ଦେଶଙ୍କ ରାଙ୍କିଙ୍ଗ ହୋଇଥିବା ବେଳେ ସୋମାଲିଆ ବିଶ୍ୱର ସବୁଠୁ ଭ୍ରଷ୍ଟ ଦେଶ ଭାବେ ସୂଚୀର ପ୍ରଥମ ସ୍ଥାନରେ ରହିଛି।

ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲର ଅଧ୍ୟକ୍ଷ ଡେଲିୟା ଫରେରା ରୁବିୟୋ କହିଛନ୍ତି ଯେ ଭ୍ରଷ୍ଟାଚାର ସାଂପ୍ରତିକ ବିଶ୍ୱକୁ ଏକ ବିପଦଜନକ ସ୍ଥାନରେ ପରିଣତ କରିଛି। ଏଣୁ ସରକାରମାନେ ସାମୂହିକ ରୂପେ ଏହା ବିରୋଧରେ ପ୍ରଗତି କରିବାରେ ବିଫଳ ହୋଇଛନ୍ତି। ହିଂସା ଓ ସଂଘର୍ଷରେ ହୋଇଥିବା ବୃଦ୍ଧିକୁ ସରକାରମାନେ ପ୍ରୋତ୍ସାହିତ କରିଥିବା ବେଳେ ସବୁ ସ୍ଥାନରେ ଲୋକଙ୍କୁ ବିପଦରେ ପକାଇଛନ୍ତି। ଏଣୁ ଭ୍ରଷ୍ଟାଚାରର ଉନ୍ମୁଳନ ସବୁ ଦେଶଙ୍କ ଲାଗି ଏକମାତ୍ର ରାସ୍ତା। ଏହା ଦ୍ୱାରା ସରକାର କେବଳ କିଛି କୁଳିନ ବର୍ଗ ନୁହନ୍ତି ସବୁ ଲୋକଙ୍କ ଲାଗି କାମ କରୁଥିବା ପ୍ରମାଣିତ ହୋଇପାରିବ ବୋଲି ଅଧ୍ୟକ୍ଷ କହିଛନ୍ତି।
ରିପୋର୍ଟରେ କୁହାଯାଇଛି ଯେ ଭ୍ରଷ୍ଟାଚାରରେ ଲିପ୍ତ ସରକାରଙ୍କର ଲୋକଙ୍କୁ ରକ୍ଷା କରିବା କ୍ଷମତା କମ୍ । ଏହା ଛଡା ସାର୍ବଜନିକ ଅସନ୍ତୋଷ ହିଂସାରେ ବଦଳିବାର ଅଧିକାଂଶ ଆଶଙ୍କା ରହୁଛି। ସୋମାଲିଆ ୧୨ ପଏଣ୍ଟ ସହିତ ସବୁଠୁ ତଳେ ରହିଛି। ଏଥିରେ ଦକ୍ଷିଣ ସୁଦାନ ୧୩ ପଏଣ୍ଟ ସହିତ ସିରିଆ ସହିତ ସଂଯୁକ୍ତ ରହିଛି। ସୂଚକାଙ୍କର ଗଣନା ଭିନ୍ନ ଭିନ୍ନ ୧୩ଟି ତଥ୍ୟ ସ୍ରୋତକୁ ନେଇ ଆକଳନ କରାଯାଇଥାଏ। ଏହି ସ୍ରୋତଙ୍କ ମଧ୍ୟରେ ବିଶ୍ୱବ୍ୟାଙ୍କ, ବିଶ୍ୱ ଆର୍ଥିକ ମଞ୍ଚ ଓ ଘରୋଇ ପରାମର୍ଶଦାତା ସଂସ୍ଥାମାନେ ମଧ୍ୟ ଅଛନ୍ତି।