ଇନଷ୍ଟାଗ୍ରାମରେ ଏକ ସାଧାରଣ ଅଣ୍ଡାକୁ ମିଳିଲା ୨.୫କୋଟିରୁ ଅଧିକ ଲାଇକ୍ , ଅଭିନେତ୍ରୀ କାଇଲି ଜେନରଙ୍କ ରେକର୍ଡ଼ ଭାଙ୍ଗିଲା
15/01/2019 at 12:33 PM

ହଲିଉଡ ଅଭିନେତ୍ରୀ ଏବଂ ସବୁଠୁ ଧନୀ ସେଲିବ୍ରିଟି ମଧ୍ୟରୁ ଜଣେ କାଇଲି ଜେନରଙ୍କୁ ସୋଶିଆଲ ମିଡିଆରେ ଗୋଟିଏ ଅଣ୍ଡା ପଛରେ ପକାଇ ଦେଇଛି। ବାସ୍ତବରେ ଓ୍ବାଲ୍ଡ ରେକର୍ଡ଼ ନାମକ ଏକ ଇନଷ୍ଟାଗ୍ରାମ୍ ପେଜରେ ଏହି ଅଣ୍ଡାର ଫଟୋ ପୋଷ୍ଟ କରାଯାଇଥିଲା , ଯାହାକୁ ବର୍ତ୍ତମାନ ଯାଏଁ ୨.୫କୋଟିରୁ ଅଧିକ ଲାଇକ୍ ମିଳିସାରିଛି। ଗତ ବର୍ଷ କାଇଲି ପୋଷ୍ଟ୍ କରିଥିବା ତାଙ୍କ ଝିଅର ଫଟୋକୁ ୧.୮୦କୋଟି ଲାଇକ୍ ମିଳିଥିଲା। ୨୧ବର୍ଷର କାଇଲି ୬.୩୦୦କୋଟିର ସମ୍ପତ୍ତି ସହ ବିଶ୍ବର ପଞ୍ଚମ ଧନୀ ସେଲିବ୍ରିଟି।
୨.୫କୋଟିରୁ ଅଧିକ ଲାଇକ୍ ପାଇ ବିଶ୍ବ ରେକର୍ଡ଼ କରିଥିବା ଏହି ଅଣ୍ଡାର ଫଟୋକୁ @world record egg ରେ ପୋଷ୍ଟ୍ କରାଯାଇଛି। ଖାସ୍ କଥା ହେଉଛି ଏହା ଯେ ଆକାଉଣ୍ଟରେ ଏବେ ଯାଏଁ କେବଳ ଏହି ଫଟୋକୁ ପୋଷ୍ଟ୍ କରାଯାଇଛି ଏବଂ ପ୍ରଥମ ଫଟୋକୁ ହିଁ ଏତେ ଅଧିକ ଲାଇକ୍ ମିଳିଛି। ଏହି ଆକାଉଣ୍ଟର ୩୦ଲକ୍ଷରୁ ଅଧିକ ଫଲୋୟୋର୍ ଅଛନ୍ତି।
ଏହି ଅଣ୍ଡାର ଫଟୋକୁ ପୋଷ୍ଟ୍ କରିବାବେଳେ ଆକାଉଣ୍ଟ ହୋଲ୍ଡର୍ ବଜଫିଡ୍,ଡେଲିମେଲ୍, ସିଏନଏନ୍, ୟୁଡାଇପାଇ, ଦ ସନ୍, ଦ ଏଲନ୍ ଶୋ ଭଳି ବଡ଼ ବଡ଼ ଓ୍ବେବସାଇଟକୁ ଟ୍ୟାଗ୍ କରିଥିଲେ। ଏହି ଅଣ୍ଡାର ଫଟୋକୁ ପୋଷ୍ଟ୍ କରିବାବେଳେ କାଇଲି ଜେନରଙ୍କୁ ଚ୍ୟାଲେଞ୍ଜ କରାଯାଇଥିଲା।
ଗୋଟିଏ ସାଧାରଣ ଅଣ୍ଡାର ପୋଷ୍ଟରେ ୨୮ମିଲିୟନରୁ ଅଧିକ ଲାଇକ୍ ଆସିବା ପରେ କାଇଲି ଜେନର ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ସେ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ରାସ୍ତାରେ ଅଣ୍ଡା ଫଟାଉଥିବାର ନଜର ଆସୁଛନ୍ତି।