ସାମ୍ନାକୁ ଆସିଲା ୧୨୦ ପ୍ରତିଶତ ବିପଦଜନକ କରୋନା ସବ ଭାରିଆଣ୍ଟ, ଭେକ୍ସିନକୁ କରୁନି ଖାତିର!
31/12/2022 at 7:07 PM

ନୂଆଦିଲ୍ଲୀ ୩୧।୧୨: ବିଶ୍ୱରେ ବଢୁଥିବା କରୋନା ମାମଲା ଏବେ ଭାରତର ଚିନ୍ତାକୁ ବଢେଇ ଦେଇଛି। ଚୀନ୍ରେ ପ୍ରକୋପ କରୁଥିବା ଓମିକ୍ରନର ସବ୍ ଭାରିଆଣ୍ଟ ବିଏଫ.୭ ସାରା ଦୁନିଆ ଲାଗି ଚିନ୍ତାର କାରଣ ପାଲଟିଛି ଓ ଭାରତରେ ମଧ୍ୟ ଏବେ ଏହା ଚିହ୍ନଟ ହେବାରେ ଲାଗିଛି। ଦେଶରେ କରୋନା କେସ୍ ବଢିବା ପରଠାରୁ ଏହାକୁ ନେଇ ଅନେକ ଉଚ୍ଚସ୍ତରୀୟ ବୈଠକ ହୋଇସାରିଛି। ଏଥି ମଧ୍ୟରେ ଆମେରିକାରୁ ଏକ ବଡ଼ ଖବର ଆସୁଛି। ସେଠାରେ ଆଉ ଏକ ବିପଦଜନକ ଭାରିଆଣ୍ଚ ପ୍ରକୋପ କରୁଛି। ଏହା ଓମିକ୍ରନର ଏକ୍ସବିବି.୧.୫ ଭାରିଆଣ୍ଟ ଓ ବିକ୍ୟୁ୧ ଭାରିଆଣ୍ଟ ଠାରୁ ୧୨୦ ପ୍ରତିଶତ ବେଗରେ ବ୍ୟାପିପାରେ ବୋଲି ଜଣାପଡିଛି।
ମିନେସୋଟା ୟୁନିଭର୍ସିଟିର ସଂକ୍ରାମକ ରୋଗ ବିଶେଷଜ୍ଞ ଡା. ମାଇକେଲ ଓଷ୍ଟରହୋମଙ୍କ ଅନୁସାରେ ଆମେରିକାରେ କୋଭିଡ-୧୯ର ୪୦ ପ୍ରତିଶତରୁ ଅଧିକ ମାମଲା ଓମିକ୍ରନ ଏକ୍ସବିବି.୧.୫ ଯୋଗୁ ବ୍ୟାପୁଛି। ଏହି ଭାରିଆଣ୍ଟରେ ଆକ୍ରାନ୍ତ ଲୋକଙ୍କୁ ହସ୍ପିଟାଲରେ ଆଡମିଟ୍ ହେବାକୁ ପରାମର୍ଶ ଦିଆଯାଉଛି। ତେବେ ଏକ୍ସବିବି.୧.୫ କଣ ଓ ଏହାର ଲକ୍ଷଣ ସମ୍ପର୍କରେ ଜାଣନ୍ତୁ।

ଏକ୍ସବିବିକୁ ପ୍ରଥମ ଥର ଗତ ଅଗଷ୍ଟ ମାସରେ ଭାରତରେ ଚିହ୍ନଟ କରାଯାଇଥିଲା। ଜନ ହପକିନ୍ସ ୟୁନିଭର୍ସିଟିର ଭାଇରୋଲଜିଷ୍ଟ ଏଣ୍ଡ୍ରିଉ ପେକୋଜ୍ ଙ୍କ ଅନୁସାରେ ଏକ୍ସବିବି.୧.୫ଏକ ଅତିରିକ୍ତ ମ୍ୟୁଟେସନ ଅଛି ଯାହା ଶରୀର କୋଷିକାଙ୍କ ସହ ଭଲ ଭାବେ ମିଶି ଯାଉଛି। ଭୂତାଣୁ ଲାଗି ଶରୀରର କୋଷକୁ କଷିକରି ଜାବୁଡିବାର ଆବଶ୍ୟକତା ଅଛି। ଯେପରି ସେ ଶରୀର ଭିତରକୁ ଯାଇ ଭଲ ଭାବେ ସଂକ୍ରମିତ କରିପାରିବ ବୋଲି କହିଛନ୍ତି।
ସେହିପରି ମହାମାରୀ ବିଶେଷଜ୍ଞ ଏରିକ୍ ଫେଗଲ ଡିଙ୍ଗ କହନ୍ତି ଯେ ଏହି ନୂଆ ଭାରିଆଣ୍ଟ ବିକ୍ୟୁ ଓ ଏକ୍ସବିବି ତୁଳନାରେ ଶରୀର ଇମ୍ୟୁନିଟି ସହ ବେଶ ଭଲ ରକମ ଲଢି ବର୍ତ୍ତିଯିବାର କ୍ଷମତା ରଖୁଛି। ଏହି ଭାରିଆଣ୍ଟର ଇନଫେକ୍ସନ ହାର ମଧ୍ୟ ଢେର ଅଧିକ। ଭୂତାଣୁର ଏହି ଭାରିଆଣ୍ଟରେ ସଂକ୍ରମିତ ରୋଗୀଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି ହେବାକୁ ପରାମର୍ଶ ଦିଆଯାଉଛି। ଏକ୍ସବିବି.୧.୫ର ପ୍ରଥମ ମାମଲା ଗତ ଅକ୍ଟୋବର ମାସରେ ପ୍ରଥମ ଥର ନ୍ୟୁୟର୍କରେ ଦେଖାଯାଇଥିଲା। ଆମେରିକାରେ ଏହି ଭାରିଆଣ୍ଟର ପ୍ରମୁଖ ଲକ୍ଷଣ ମଧ୍ୟରେ ନାକରୁ ପାଣି ବହିବା, ଗଳା ଗତଗତ କରିବା, ଜ୍ୱର, ମୁଣ୍ଡବିନ୍ଧା, ଛିଙ୍କ, କାସ ଓ କର୍କସ ଶ୍ୱର ଆଦି ରହିଛି।