ମଥୁରା ଶ୍ରୀକୃଷ୍ଣ ଜନ୍ମଭୂମି ସହ ଲାଗି ରହିଥିବା ମସଜିଦ୍ର ହେବ ସର୍ଭେ, ୧୭ ଏପ୍ରିଲ ସୁଦ୍ଧା ରିପୋର୍ଟ ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ
29/03/2023 at 9:01 PM

ନୂଆଦିଲ୍ଲୀ, ୨୯/୦୩: ବାରଣାସୀର କାଶୀ ବିଶ୍ବନାଥ ମନ୍ଦିରକୁ ଲାଗି ରହିଥିବା ମସଜିଦ୍ର ସର୍ଭେ ପରେ ଏବେ ମଥୁରାର ଶ୍ରୀକୃଷ୍ଣ ଜନ୍ମଭୂମି ସହ ସଂଲଗ୍ନ ମସଜିଦ୍ର ସର୍ଭେ ହେବ। ଶ୍ରୀକୃଷ୍ଣ ଜନ୍ମଭୂମି-ମସଜିଦ୍ ପ୍ରସଙ୍ଗରେ ହିନ୍ଦୁ ସେନାର ଅପିଲ୍ ପରେ ବୁଧବାର ସିଭିଲ୍ ଜଜ୍ ବରିଷ୍ଠ ଡିଭିଜନ୍ର ଅଦାଲତ, ମସଜିଦ୍ ପରିସରରେ ଅମୀନ ସର୍ଭେ ପାଇଁ ଆଦେଶ ଦେଇଛନ୍ତି। ଅଦାଲତ ଏହାର ରିପୋର୍ଟ ୧୭ ଏପ୍ରିଲ୍ ସୁଦ୍ଧା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯାହାପରେ ଶୁଣାଣି ହେବ।
ସୂଚନାଥାଉ, ଶ୍ରୀକୃଷ୍ଣ ଜନ୍ମଭୂମିର ୧୩.୩୭ ଏକର ଜମିରୁ ମସଜିଦ୍ ହଟାଇବା ପାଇଁ ହିନ୍ଦୁ ସେନା ଦ୍ବାରା ମାମଲା ରୁଜୁ ହୋଇଥିଲା। ଯାହା ଉପରେ ବୁଧବାର ବରିଷ୍ଠ ଡିଭିଜନ୍ ନୀରଜ ଗୌଡ଼ଙ୍କ ଅଦାଲତ ଶୁଣାଣି କରିଥିଲେ। ହିନ୍ଦୁ ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ବିଷ୍ଣୁ ଗୁପ୍ତା ୮ ଡିସେମ୍ବର ୨୦୨୨ ରେ ମସଜିଦ୍ ପରିସରରେ ସର୍ଭେ ପାଇଁ ଅପିଲ୍ କରିଥିଲେ। ସେ ଯୁକ୍ତି ଦର୍ଶାଇଥିଲେ ଯେ ଔରଙ୍ଗଜେବ୍ ଠାକୁର କେଶବରାୟଙ୍କ ମନ୍ଦିର ଭାଙ୍ଗି ମସଜିଦ୍ର ନିର୍ମାଣ କରିଥିଲେ।
ଅବଶ୍ୟ କୋର୍ଟ ୮ ଡିସେମ୍ବରରେ ହିଁ ସର୍ଭେ ପାଇଁ ଆଦେଶ ଦେଇଥିଲେ। ଏହାପରେବି ଅନେକ ଥର ଶୁଣାଣି ହୋଇଥିଲା କିନ୍ତୁ କୋର୍ଟ ଅମୀନ ନିଯୁକ୍ତି ହୋଇପାରିନଥିଲା। ତେବେ ବୁଧବାର ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ କୋର୍ଟ ନିଷ୍ପତ୍ତି ସଂରକ୍ଷିତ କରିଥିଲେ। ବିଷ୍ଣୁ ଗୁପ୍ତା କହିଛନ୍ତି କୋର୍ଟ ଅମୀନ ରିପୋର୍ଟ, ବିବାଦୀୟ ସ୍ଥଳର ନକ୍ସା ସହ ୧୭ ଏପ୍ରିଲରେ ପ୍ରସ୍ତୁତ ରହିବାକୁ କହିଛନ୍ତିି କୋର୍ଟ।
ଶ୍ରୀକୃଷ୍ଣ ଜନ୍ମଭୂମି-ମସଜିଦ୍ ପ୍ରସଙ୍ଗରେ ବିବାଦୀୟ ସ୍ଥାନର ଅମୀନ ସର୍ଭେକୁ ନେଇ ସଂପୂର୍ଣ୍ଣ ପାରଦର୍ଶିତ ଅବଲମ୍ବନ କରାଯାଇପାରିବ। କୁହାଯାଉଛି ଯେ ଅମୀନ ସର୍ଭେରେ କୋର୍ଟ ଅମୀନଙ୍କ ସହ ଉଭୟ ପକ୍ଷ ଉପସ୍ଥିତ ରହିବେ। କୋର୍ଟ ଅମୀନଙ୍କ ରିପୋର୍ଟ ପ୍ରକୃତ ସାକ୍ଷୀ ଏବଂ ଉଭୟ ପକ୍ଷଙ୍କ ମତକୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯିବ।