ରୋଡ ଏକ୍ସିଡେଣ୍ଟରେ ‘କ୍ୟାସ୍‌ ଲେସ୍‌’ ହେବ ଆହତଙ୍କ ଚିକିତ୍ସା! ଜାଣନ୍ତୁ MoRTHଙ୍କ ଯୋଜନା କ’ଣ?

Published By : Prameya-News7 Bureau | December 05, 2023 IST

ନୂଆଦିଲ୍ଲୀ ୫।୧୨: ସଡ଼କ ଦୁର୍ଘଟଣାରେ ହେଉଥିବା ମୃତ୍ୟୁ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି। ସାରା ଦେଶରେ ସଡ଼କର ଯେପରି ଉନ୍ନତିକରଣ ହେଉଛି  ଦୁର୍ଘଟଣା ମଧ୍ୟ ସେହିପରି ବଢ଼ି ବଢ଼ି ଚାଲିଛି। ଏଥିରେ ଏବେ ସଡ଼କ ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ନିମନ୍ତେ କ୍ୟାସ୍‌ ଲେସ୍‌ ଚିକିତ୍ସା ବ୍ୟବସ୍ଥା ହାତକୁ ନେବେ ପାଇଁ ଯୋଜନା ହେଉଛି, ଯାହା ଦ୍ୱାରା ଲୋକଙ୍କ ଜୀବନ ବଞ୍ଚାଯାଇପାରିବ। କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ( ଏମଓଆରଟିଏଚ୍) ଆଗାମୀ ୩ରୁ ୪ ମାସ ମଧ୍ୟରେ ସାରା ଦେଶରେ ସଡ଼କ ଦୁର୍ଘଟଣା ପୀଡ଼ିତଙ୍କ ନିମନ୍ତେ କ୍ୟାସଲେସ୍‌ ଉପଚାର ବ୍ୟବସ୍ଥା ଲାଗୁ କରିବାକୁ ଯୋଜନାରେ ଅଛନ୍ତି।

ଏହି ଯୋଜନା ନୂଆ ସଂଶୋଧିତ ମୋଟର ଭେଇକଲ ଆକ୍ଟ ୨୦୧୯ର ଅଂଶବିଶେଷ ହେବ। ତେବେ ଦେଶର କେତେକ ରାଜ୍ୟରେ ସଡ଼କ ଦୁର୍ଘଟଣା ଆହତଙ୍କ କ୍ୟାସଲେସ୍ ଉପଚାର ଯୋଜନା ପୂର୍ବରୁ ମଧ୍ୟ କାର୍ଯ୍ୟକାରୀ ହେଉଛି। ତେବେ ଯୋଜନା ଅପଡେଟ୍ ପରେ ସାରା ଦେଶରେ ସମ୍ପୂର୍ଣ୍ଣ ରୂପେ ଲାଗୁ ହୋଇଯିବ। ଏହି ଘୋଷଣା ଦିଲ୍ଲୀରେ ଅନୁଷ୍ଠିତ ୩ଦିବସୀୟ ‘ଗ୍ଲୋବାଲ ରୋଡ ସେଫ୍ଟି ଇନିସିଏଟିଭ’ ରେ କରାଯାଇଛି। ଯାହାର ଆୟୋଜନ ଇନିଷ୍ଟେଚ୍ୟୁଟ୍ ଅଫ ରୋଡ ଟ୍ରାଫିକ ଏଜୁକେସନ (ଆଇଆରଟିଇ) ଏମଓଆରଟିଏଚଙ୍କ ସହଯୋଗରେ କରିଥିଲେ।

କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ସଚିବ ଅନୁରାଗ ଜୈନ କହିଛନ୍ତି ଯେ ‘କ୍ୟାସଲେସ୍ ଟ୍ରିଟମେଣ୍ଟକୁ ମୋଟର ଭେଇକଲ ଆକ୍ଟଦ୍ୱାରା ପରିଭାଷିତ ଗୋଲ୍ଡେନ ଆୱାର ରୋଡ ଆକ୍ସିଡେଣ୍ଟ ପୀଡ଼ିତଙ୍କ ଲାଗି ମଧ୍ୟ ସମ୍ପ୍ରସାରଣ କରାଯିବ’। ସେ କହିଛନ୍ତି ଯେ ଭାରତରେ ସଡ଼କ ଦୁର୍ଘଟଣା ଯୋଗୁ ହେଉଥିବା ମୃତ୍ୟୁ ସାରା ବିଶ୍ୱରେ ଅଧିକ। ୨୦୩୦ ମସିହା ସୁଦ୍ଧା ଦୁର୍ଘଟଣାହାର ୫୦ ପ୍ରତିଶତ କମ କରିବା ପାଇଁ ମନ୍ତ୍ରାଳୟ ସଡ଼କ ସୁରକ୍ଷା ପାଇଁ  ମନ୍ତ୍ରାଳୟ ଫାଇବ-ଇ ରଣନୀତି ପ୍ରସ୍ତୁତ କରିଛନ୍ତି।

ସାରା ଦେଶରେ ସଡ଼କ ଦୁର୍ଘଟଣାର ରିପୋର୍ଟିଂ, ପ୍ରବନ୍ଧନ ଓ ବିଶ୍ଲେଷଣ ମାସେ ବା ଦୁଇମାସ ମଧ୍ୟରେ ଇଞ୍ଜିନିୟରିଂ ଦୋଷକୁ ଠିକ୍‌ କରିବା ପାଇଁ ଏକ କେନ୍ଦ୍ରୀୟ ଭଣ୍ଡାର ସ୍ଥାପନା ନିମନ୍ତେ ଇଲେକ୍ଟ୍ରୋନିକ ବିସ୍ତୃତ ଦୁର୍ଘଟଣା ରିପୋର୍ଟ ଇ-ଡିଆର ପ୍ରକଳ୍ପ ମଧ୍ୟ ଆରମ୍ଭ କରାଯାଇଛି।

କଠିନ ପରିଶ୍ରମ ଦୃଢ଼ ଇଚ୍ଛାଶକ୍ତି ବଳରେ ଲକ୍ଷ୍ୟ ସାଧନ, ନାସାର ମଙ୍ଗଳ ମିଶନ୍‌ରେ ପ୍ରଥମ ଭାରତୀୟ ମହିଳା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.