ଟୋକିଓ : ଅଲିମ୍ପିକ ହେବିୱେଟ୍ ବକ୍ସିଂ ଚାମ୍ପିୟନସିପ୍ରେ ମରକ୍କୋ ବକ୍ସର ୟୁନୁସ ବଲ୍ଲା ୧୯୯୭ରେ ମାଇକ୍ ଟାଇସନ ପ୍ରତିଦ୍ୱନ୍ଦ୍ୱୀଙ୍କ ବିରୋଧରେ ଆପଣାଇଥିବା ଉପାୟ ଅବଲମ୍ବନ କରିଥିବା ଜଣାପଡିଛି। ଟାଇସନ୍ ପ୍ରତିଯୋଗୀତାରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଇଭେଣ୍ଡର ହୋଲିଫିଲ୍ଡଙ୍କ କାନ କାମୁଡି ଛିଣ୍ଡାଇ ଦେଇଥିଲେ। ବଲ୍ଲା ମଧ୍ୟ ଅଲିମ୍ପିକରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ନ୍ୟୁଜିଲ୍ୟାଣ୍ଡର ଡେଭିଡ ନ୍ୟାକାଙ୍କ କାନ କାମୁଡିବାକୁ ଚେଷ୍ଟା କରିଥିଲେ। ତେବେ ଏଥିପାଇଁ ଅଲିମ୍ପିକ୍ ଆସୋସିଏସନ ପକ୍ଷରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ।
ପ୍ରତିଯୋଗୀତାର ୧୬ତମ ରାଉଣ୍ଡ ବେଳକୁ ବଲ୍ଲା ନିଜର ପରାଜୟ ନିଶ୍ଚିତ ଜାଣିସାରିଥିଲେ। ଏତିକିବେଳେ ସେ ନ୍ୟାକାଙ୍କ ଡାହାଣ ପଟ କାନକୁ କାମୁଡିବାକୁ ଚେଷ୍ଟା କରିଥିଲେ। ତେବେ ପାଟିରେ ମାଉଥ ଗାର୍ଡ ଲାଗିଥିବା ଯୋଗୁ ସେ ସପରି କିଛି କରିପାରିନଥିଲେ। ଫଳରେ ନ୍ୟାକାଙ୍କ କାନଟି ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଅଲିମ୍ପିକ୍ ପକ୍ଷରୁ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ପଡି ନାହିଁ। ନ୍ୟାକା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ମରକ୍କୋ ମୁଷ୍ଟି ଯୋଦ୍ଧାଙ୍କ ଉପରେ ଚାପ ପକାଇ ଚାଲିଥିଲେ।
ଆଗାମୀ ପ୍ରତିଯୋଗୀତାରେ ନ୍ୟାକାଙ୍କ ମେଡାଲ ଆଶା ସୁନିଶ୍ଚିତ ହୋଇଯିବ। ୧୯୯୨ ପରଠାରୁ ହେଭିୱେଟ୍ ବକ୍ସିଂରେ ନ୍ୟୁଜିଲ୍ୟାଣ୍ଡ ଅଲିମ୍ପିକ୍ ମେଡାଲରୁ ବଞ୍ଚିତ ହୋଇ ଆସୁଛି। ତେବେ ଏଥର ନ୍ୟାକାଙ୍କ ଉଦ୍ୟମ ପ୍ରଥମ ଥର ନ୍ୟୁଜିଲ୍ୟାଣ୍ଡର ପଦକ ଆଶାକୁ ମଜଭୁତ କରିଛି। ପ୍ରତିଯୋଗୀତାରେ ୟୁନସ ବଲ୍ଲାଙ୍କ ଏପରି କାର୍ଯ୍ୟକୁ ସୋସିଆଲ ମିଡିଆରେ ତୀବ୍ର ନିନ୍ଦା କରାଯାଉଛି। ନ୍ୟାକା ଚୂଡ଼ାମନ୍ତ ରାଉଣ୍ଡରେ ବିଜୟ ହେବା ପରେ ରିଂରେ ଏପରି କେତେ କଣ ହୁଏ ବୋଲି ଉଲ୍ଲେଖ କରି ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ନଦେବାକୁ ଅନୁରୋଧ କରିଛନ୍ତି।