କର୍ମଚାରୀ ଛଟେଇ କଲେ ମର୍ଗନ ଷ୍ଟେନଲି, ଜାଣନ୍ତୁ ଥରକେ ହଟିଲେ  କେତେ?

Published By : Prameya-News7 Bureau | December 07, 2022 IST

ନ୍ୟୁୟର୍କ ୭।୧୨: ଏବେ ଆମେରିକାରେ ଦେଖା ଯାଇଛି  ମାନ୍ଦାବସ୍ଥାର ପ୍ରଭାବ । ଗତ କିଛି ସମୟ ହେଲା ବଡ଼ ମଲ୍ଟି ନ୍ୟାସନାଲ କମ୍ପାନୀ (ଏମଏନସି) ମାନେ କର୍ମଚାରୀ ଛଟେଇ କରିଥିଲେ। ଏଥିରେ ଟ୍ୱିଟର, ଫେସବୁକ୍‌ର ପ୍ୟାରେଣ୍ଟ କମ୍ପାନୀ ମେଟା, ଇ-କମର୍ସ କମ୍ପାନୀ ଆମାଜନ ଓ ପେପସି କୋ ଆଦି କମ୍ପାନୀମାନେ କର୍ମଚାରୀ ଛଟେଇ କରିଥିଲେ। ଏବେ ଏଥିରେ  ଆର୍ଥିକ କମ୍ପାନୀ ମର୍ଗନ ଷ୍ଟେନଲୀ ମଧ୍ୟ ସାମିଲ ହୋଇଯାଇଛି। କମ୍ପାନୀ ୬ଡିସେମ୍ବର ୨୦୨୨ ମଙ୍ଗଳବାର ଦିନ ମୋଟ କର୍ମଚାରୀଙ୍କ ସଂଖ୍ୟାର ୨ ପ୍ରତିଶତଙ୍କୁ କାର୍ଯ୍ୟରୁ ଅନ୍ତର କରିଛନ୍ତି।

ନ୍ୟୁୟର୍କ ଟାଇମସ୍‌ଙ୍କ ଅନୁସାରେ ମର୍ଗନ ଷ୍ଟେନଲୀ ଥରକରେ ୧୬ଶହ କର୍ମଚାରୀଙ୍କୁ ଛଟେଇ କରିଦେଇଛନ୍ତି। ଯାହାର ପ୍ରଭାବ ଏବେ କମ୍ପାନୀର ବାକି ୮୨ ହଜାର କର୍ମଚାରୀଙ୍କ ଉପରେ ମଧ୍ୟ ପଡିବ ବୋଲି ଆଶଙ୍କା କରାଯାଉଛି। ଏକ ସମ୍ବାଦ ସରବରାହ ସଂସ୍ଥା ସହ ସାକ୍ଷାତ ଆଲୋଚନାରେ ମର୍ଗନ ଷ୍ଟେନଲିର ଜେମସ୍‌ ଗରମ୍ୟାନ ଆମେ ବେଶ୍ ଭାବିଚିନ୍ତି ଏହି ପଦକ୍ଷେପ ନେଇଥିବା କହିଛନ୍ତି।

ଏହା ପୂର୍ବରୁ ବିଶ୍ୱର ସର୍ବ ବୃହତ୍ତ ବେଭେରଜ କମ୍ପାନୀ ପେପସି କୋ ମଧ୍ୟ ୧୦୦ରୁ ଅଧିକ କର୍ମଚାରୀଙ୍କୁ ଚାକିରୀରୁ ବାହାର କରିଥିଲେ। ମିଡିଆ ରିପୋର୍ଟ ଅନୁସାରେ ପେପସି କୋ ଉତ୍ତର ଆମେରିକାରେ ଥିବା ସ୍ନାକ ଓ ବିଭରେଜ ଡିଭିଜନରେ କାମ କରୁଥିବା ଶତାଧିକ କର୍ମଚାରୀଙ୍କୁ ଚାକିରୀରୁ ବାହାର କରିଦେଇଥିଲେ।

ଉଲ୍ଲେଖଯୋଗ୍ୟ ଯେ ପେପସିକୋ ଚିପସ୍‌, କ୍ୱେକର ଓଟସ୍, ଡୋରିଟୋସ୍ ଓ କୋଲ୍ଡଡ୍ରିଙ୍କସ୍ ଆଦି ସାମଗ୍ରୀ ପ୍ରସ୍ତୁତ କରିଥାନ୍ତି। ଆମେରିକାରେ ଏବେ ମାନ୍ଦାବସ୍ଥାର ପ୍ରଭାବ ଲଗାତାର ବଢି ବଢି ଚାଲିଛି। ଖାସ ଏହି କାରଣରୁ ସାରା ଦେଶରେ କମ୍ପାନୀମାନେ ଏବେ କର୍ମଚାରୀ ଛଟେଇ ଆରମ୍ଭ କରିଦେଇଛନ୍ତି। ଏପରି ଛଟେଇ ଯୋଗୁ ଆଗାମୀ ଦିନମାନଙ୍କରେ ସାରା ବିଶ୍ୱରେ କର୍ମନିଯୁକ୍ତି ସଂକଟ ଦେଖାଯାଇପାରେ ବୋଲି ଆକଳନ କରାଯାଉଛି।      

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.