ଜଳେଶ୍ବର୨୮/୧୦: ମାତିଛନ୍ତି ୫୦ରୁ ଅଧିକ ମାଙ୍କଡ । ଲୋକଙ୍କୁ ଦେଖିଲେ ଗୋଡାଇ ଗୋଡାଇ କାମୁଡୁଛନ୍ତି । ୧୫ରୁ ଅଧିକ ଆହତ ହସ୍ପିଟାଲରେ ଚିକିତ୍ସାଧୀନ । ବାହାରକୁ ଗଲେ ଠେଙ୍ଗାବାଡି ଧରି ଯିବାକୁ ପଡୁଛି । ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ରଘୁନାଥପୁର ପଞ୍ଚାୟତର ସାନଅସ୍ତୀ, କୁଙ୍କୁଡ଼ି, ମଠକଙ୍କୁଡ଼ି ଓ ପାଳସାହି ଆଦି ଗାଁରେ ମାଙ୍କଡ ପଲ ଉତ୍ପାତରେ ତ୍ରାହି ତ୍ରାହି ଡାକିଲେଣି ଲୋକେ ।
ଗତ କିଛି ଦିନ ଧରି ୫୦ରୁ ଅଧିକ ମାଙ୍କଡ ଡେରା ପକାଇଛନ୍ତି । ଯାହାକୁ ଦେଖୁଛନ୍ତି ଗୋଡାଇ ଗୋଡାଇ ଆକ୍ରମଣ କରୁଛନ୍ତି । କାହାର ଆଖି,ହାତ ଆଉ କାହାର ଗୋଡ,ପିଠିକୁ କ୍ଷତାକ୍ତ କରିସାରିଲେଣି । ୧୫ରୁ ଅଧିକ ଲୋକ ଆହତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ମାଙ୍କଡ ଭୟରେ ଲୋକେ ବାହାରକୁ ବାହାରିପାରୁନାହାନ୍ତି । ପିଲାମାନେ ସ୍କୁଲ ଯିବାକୁ ଭୟ କରୁଛନ୍ତି । କୌଣସି ଜରୁରୀ କାମରେ ବାହାରକୁ ଗଲେ ହାତରେ ଠେଙ୍ଗା ବାଡି ଧରି ଯିବାକୁ ପଡୁଛି ।
ଗାଁ ଲୋକଙ୍କ କହିବା କଥା ମାଙ୍କଡ ପଲରେ କିଛି ପାଗଳ ମାଙ୍କଡ ଅଛନ୍ତି ଯେଉଁମାନେ ଅଧିକ ମାରାତ୍ମକ । ବନବିଭାଗର ଗୋଟିଏ ଟିମ୍ ଗାଁରେ ଡେରା ପକାଇ ଉତ୍ପାତିଆ ମାଙ୍କଡଙ୍କ ଉପରେ ନଜର ରଖିଛନ୍ତି । ଏବେ ଯାଏ ମାଙ୍କଡ ପଲକୁ କାବୁ କରିବାରେ ସଫଳ ହୋଇପାରିନି ବନବିଭାଗ । ସୁରକ୍ଷା ଦୃଷ୍ଟିରୁ ମାଙ୍କଡ ପଲଙ୍କୁ ଧରି ଜଙ୍ଗଲରେ ଛାଡିବାକୁ ଦାବି କରିଛନ୍ତି ଗ୍ରାମବାସୀ ।