୫୦୦୦ରୁ ଅଧିକ ଗର୍ଭବତୀ ଛାଡିଲେ ରୁଷ, ଆର୍ଜେଣ୍ଟିନାରେ ନେଉଛନ୍ତି ଶରଣ; ଜାଣନ୍ତୁ କାରଣ
12/02/2023 at 4:12 PM

ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ଯୁଦ୍ଧକୁ ଏକ ବର୍ଷ ପୂରିବାକୁ ଯାଉଛି । ଏହାରି ଭିତରେ ଏକ ରିପୋର୍ଟ ସାମନାକୁ ଆସିଛି । ଖବର ଅନୁସାରେ ନିକଟ ଅତୀତରେ ୫୦୦୦ରୁ ଅଧିକ ଗର୍ଭବତୀ ରୁଷରୁ ଆର୍ଜେଣ୍ଟିନାରେ ପ୍ରବେଶ କରିଛନ୍ତି । ଏଥିରୁ କେବଳ ଗୋଟିଏ ବିମାନରେ ୩୩ ଜଣ ଦେଶ ଛାଡ଼ିଥିଲେ । ଏହି ସଂଖ୍ୟା ଗତ ତିନି ମାସର ହୋଇଥିବା କୁହାଯାଇଛି । ମହିଳାମାନେ ବାଧ୍ୟ ହୋଇ ନିଜ ଦେଶ ଛାଡି ଆର୍ଜେଣ୍ଟିନା ଯାତ୍ରା କରୁଛନ୍ତି ଏବଂ ସେଠାକାର ନାଗରିକତା ପାଇଁ ଆବେଦନ କରୁଛନ୍ତି ।
ଆର୍ଜେଣ୍ଟିନାର ଇମିଗ୍ରେସନ କାର୍ଯ୍ୟାଳୟର ଅଧିକାରୀ ଏହି ଖବର ଉପରେ ମୋହର ମାରିଛନ୍ତି । ଏହାସହ ସେ କହିଛନ୍ତି ଯେ ଗର୍ଭବତୀ ରୁଷ ମହିଳାମାନେ ନିଜର ସନ୍ତାନଙ୍କୁ ଜନ୍ମ ଦେବା ଏବଂ ୟୁକ୍ରେନ ଆକ୍ରମଣରୁ ନିଜ ନବଜାତ ଶିଶୁଙ୍କ ରକ୍ଷା ଏବଂ ସୁରକ୍ଷିତ ଭବିଷ୍ୟତ ପାଇଁ ଦେଶରେ ନାଗରିକତା ହାସଲ କରିବା ପାଇଁ ଆର୍ଜେଣ୍ଟିନା ଆସୁଛନ୍ତି । ବିବିସି ରିପୋର୍ଟ ଅନୁସାରେ, ଅଧିକାରୀ ଏହା ମଧ୍ୟ କହିଛନ୍ତି ଯେ କିଛି ଗର୍ଭବତୀ ଉପରେ କଟକଣା ମଧ୍ୟ ଲାଗୁ କରାଯାଉଛି ।
ଆର୍ଜେଣ୍ଟିନାର ରାଷ୍ଟ୍ରୀୟ ଇମିଗ୍ରେସନ ଏଜେନ୍ସି ଅନୁସାରେ, ଦେଶକୁ ଆସିଥିବା ମହିଳାଙ୍କ ଗର୍ଭାବସ୍ଥା ଶେଷ ସପ୍ତାହରେ ରହିଥିଲା । କୁହାଯାଉଛି ଯେ ମହିଳାମାନେ ଆର୍ଜେଣ୍ଟିନାର ନାଗରିକତା ହାସଲ କରିବା ପାଇଁ ସେମାନଙ୍କ ସନ୍ତାନ ଆର୍ଜେଣ୍ଟିନାରେ ଜନ୍ମ ଗ୍ରହଣ କରୁଛନ୍ତି ବୋଲି ଚାହୁଁଛନ୍ତି । ଅଧିକାରୀଙ୍କ କହିବା ଅନୁସାରେ ରୁଷ ମହିଳାମାନେ ଚାହାନ୍ତି ଯେ ସେମାନଙ୍କ ସନ୍ତାନଙ୍କ ପାଖରେ ଆର୍ଜେଣ୍ଟିନାର ନାଗରିକତା ରହୁ କାରଣ ଏହା ରୁଷ ପାସପୋର୍ଟ ତୁଳନାରେ ଅଧିକ ସ୍ୱଧୀନତା ପ୍ରଦାନ କରେ ।
ଇମିଗ୍ରେସନ କାର୍ଯ୍ୟାଳୟର ନିର୍ଦ୍ଦେଶକ ପ୍ଲୋରେନସିୟା କାରିଗ୍ନାନୋ କହିଛନ୍ତି ଯେ ଏହା ଉପରେ ଦେଶରେ ନ୍ୟାୟିକ ଯାଞ୍ଚ ଆରମ୍ଭ ହୋଇଛି, ଏଥିରେ ରୁଷ ମାଆ-ବାପାଙ୍କ ପାଇଁ ଆର୍ଜେଣ୍ଟିନାର ପାସପୋର୍ଟ ପାଇଁ ଆଶ୍ୱସନା ଦିଆଯାଉଛି । ଗତ ତିନି ମାସରେ ୫୮୦୦ ମହିଳା ଆର୍ଜେଣ୍ଟିନାରେ ପ୍ରବେଶ କରିଛନ୍ତି, ସମସ୍ତେ ୩୨ରୁ ୩୪ ସପ୍ତାହର ଗର୍ଭବତୀ ଏବଂ ନାଗରିକତା ହାସଲ କରିବା ପାଇଁ ଏଠାକୁ ପହଞ୍ଚିଛନ୍ତି । ଅଧିକାରୀ ଜଣଙ୍କ କହିଛନ୍ତି ଯେ ଅନେକ ମହିଳାଙ୍କୁ ପ୍ରଥମେ ପ୍ରବେଶ ପାଇଁ ଅନୁମତି ଦିଆଯାଇ ନଥିଲା, କିନ୍ତୁ ତଦନ୍ତ ପରେ ଦେଶରେ ପ୍ରବେଶ ପାଇଁ ଅନୁମତି ଦିଆଯାଇଛି । ପ୍ଲୋରେନସିୟା କାରିଗ୍ନାନୋ କହିଛନ୍ତି ଯେ ଗତ ଏକ ବର୍ଷ ମଧ୍ୟରେ ୧୦,୫୦୦ ଗର୍ଭବତୀ ରୁଷ ମହିଳା ଆର୍ଜେଣ୍ଟିନାକୁ ଆସିଛନ୍ତି ।