ଭାରତ ସରକାରଙ୍କ ଡିଜିଟାଲ ଷ୍ଟ୍ରାଇକ୍ରେ ୭ ବର୍ଷରେ ବନ୍ଦ ହୋଇଛି ୫୫ ହଜାରରୁ ଅଧିକ ୱେବ୍ ସାଇଟ୍ ଓ ସୋସିଆଲ ମିଡିଆ ଆକାଉଣ୍ଟ
18/01/2023 at 5:49 PM

ନୂଆଦିଲ୍ଲୀ ୧୮।୧: ଭାରତ ସରକାର ୨୦୧୫ରୁ ୨୦୨୨ ମଧ୍ୟରେ ହଜାର ହଜାର ୱେବସାଇଟ୍ ଓ ସୋସିଆଲ ମିଡିଆ ପୋଷ୍ଟ ଉପରେ କାର୍ଯ୍ୟାନୁଷ୍ଠାନ କରିଛନ୍ତି। ଫଳରେ ୫୫ ହଜାର ୫୮୦ ୱେବସାଇଟ୍ ଓ ପୋଷ୍ଟ ବ୍ଲକ୍ ହୋଇଯାଇଛି। ସଫ୍ଟୱେର ଫ୍ରିଡମ ଲ ସେଣ୍ଟର (ଏସଏଫଏଲସି) ବୁଧବାର ଏହି ସୂଚନା ଦେଇଛନ୍ତି। ରିପୋର୍ଟରୁ ମିଳିଥିବା ସୂଚନା ଅନୁସାରେ ୭ ବର୍ଷରେ ଭାରତ ସରକାର ଏତେ ସଂଖ୍ୟକ ୱେବସାଇଟ୍ ଓ ପୋଷ୍ଟ ବ୍ଲକ୍ କରିଛନ୍ତି।
ଏଥିରୁ ଅଧିକାଂଶ ୱେବସାଇଟ୍ ଆଇଟି ଆକ୍ଟର ସେକ୍ସନ୬୯-ଏରେ ବନ୍ଦ ହୋଇଥିବା ବେଳେ ଏଥିରେ ୨୬ହଜାର ୪୭୪ ୟୁଆରଏଲକୁ ବ୍ଲକ୍ କରାଯାଇଛି। ଏହି ସମୟରେ ୪୬.୮ ପ୍ରତିଶତ ୱେବସାଇଟ୍କୁ କପିରାଇଟ୍ ଉଲ୍ଲଂଘନ ଓ ଅନ୍ୟ ମାମଲାରେ ବନ୍ଦ କରାଯାଇଛି। ଏହା ଛଡା ପୋର୍ଣ୍ଣଗ୍ରାଫି ଓ ଚାଇଲ୍ଡ ସେକ୍ସୁଆଲ ଆବ୍ୟୁସ୍ ଅଭିଯୋଗରେ ଅନେକ ୱେବସାଇଟ୍ ବନ୍ଦ ହୋଇଛନ୍ତି। ଏଥିରେ ମିନିଷ୍ଟ୍ରି ଓ ଇଲେକ୍ଟ୍ରୋନିକ୍ ଏଣ୍ଡ ଇନଫର୍ମେସନ ଟେକ୍ନୋଲଜି (ଏମଇଆଇଟିୱାଇ) ୨୬,୩୫୨ ୱେବସାଇଟ୍ ବନ୍ଦ କରିଛନ୍ତି। ଏହି ସମୟରେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ (ଏମଆଇବି) ୯୪ ୱେବ୍ ସାଇଟ୍ ବନ୍ଦ କରିଛନ୍ତି।

ଗତ ୨ ବର୍ଷରେ ଏମଇଆଇଟିୱାଇ୨୭୪ ମୋବାଇଲ ଆପ୍ ମଧ୍ୟ ବନ୍ଦ କରିଛନ୍ତି। ଏହି ସବୁ ଆପକୁ ମଧ୍ୟ ଆଇଟି ଅଧିନିୟମ ୬୯-ଏରେ ବନ୍ଦ କରାଯାଇଛି। ଏହି ସବୁ ଆପ୍ ୟୁଜରଙ୍କ ଡାଟା ଚୋରି କରୁଥିବାରୁ ଏପରି କାର୍ଯ୍ୟାନୁଷ୍ଠାନ ହୋଇଥିବାର କୁହାଯାଇଛି। ଏହି ସବୁ ଆପ୍ ଓ ୱେବ୍ ସାଇଟ୍ କୁ ବନ୍ଦ କରିବାର ଆଉ ଏକ ମୁଖ୍ୟ କାରଣ ଚାଇଲ୍ଡ ସେକ୍ସୁଆଲ ଆବ୍ୟୁସ୍ ମ୍ୟାଟେରିଆଲ ଓ ପୋର୍ଣ୍ଣଗ୍ରାଫି ବୋଲି କୁହାଯାଇଛି। ଖାସ ଏହି ଆଧାରରେ ୨୦୧୫ରୁ ୨୦୨୨ ମଧ୍ୟରେ ୧୦୬୫ଟି ୱେବସାଇଟ୍ ବନ୍ଦ କରାଯାଇଛି।
ଏହା ଛଡା ଭାରତରେ ୱେବସାଇଟ୍ ଡିଫାମେସନ, ପବ୍ଲିକ୍ ଡିସ୍ ଅର୍ଡର, ଲ ଏଣ୍ଡ ଅର୍ଡର ଓ କଣ୍ଟେମ୍ପଟ୍ ଅଫ କୋର୍ଟ ଲାଗି ମଧ୍ୟ ବହୁ ସଂଖ୍ୟାରେ ୱେବସାଇଟ୍ ବନ୍ଦ ହୋଇଛି। ଭାରତରେ ୱେବ୍ ସାଇଟ୍ ବ୍ଲକ୍ କରିବା ପାଇଁ ଡିଏନଏସ୍ ଟେମ୍ପରିଂ, ଏଚଟିଟିପି ବ୍ଲକିଙ୍ଗ, ଟିସିପି/ଆଇପି ବ୍ଲକିଙ୍ଗ, ଟିଏଲଏସ-ଏସଏନଆଇ ବ୍ଲକିଙ୍ଗ ଓ କ୍ୱିକ୍ ନେଟୱାର୍କ ବ୍ଲକିଙ୍ଗର ମଧ୍ୟ ବ୍ୟବହାର କରାଯାଏ।