ସେପ୍ଟେମ୍ବରରେ ଦୈନିକ ଆସିପାରେ ୪ ଲକ୍ଷ କରୋନା ମାମଲା: ୨ ଲକ୍ଷ ଆଇସିୟୁ ବେଡ୍ ପ୍ରସ୍ତୁତ ରଖିବାକୁ କହିଲା ନୀତି ଆୟୋଗ

Published By : Prameya-News7 Bureau | August 22, 2021 IST

ନୂଆଦିଲ୍ଲୀ ୨୨/୦୮ : କରୋନା ଭାଇରସର ଦ୍ୱିତୀୟ ଲହର ଯୋଗୁଁ ଦେଶରେ ବହୁ ସଂଖ୍ୟାରେ ଲୋକେ ପ୍ରଭାବିତ ହୋଇଥିଲେ। ଅନେକ ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇଛି। କରୋନା ସଂକ୍ରମଣର ତୃତୀୟ ଲହର ନେଇ ଆଶଙ୍କା ପ୍ରକାଶ କରାଯାଉଛି। ଇତି ମଧ୍ୟରେ ନୀତି ଆୟୋଗ ସଦସ୍ୟ ଭିକେ ପାଲ ଗତ ମାସରେ କରୋନା ମୁକାବିଲା ନେଇ ସରକାରଙ୍କୁ କିଛି ଟିପ୍ସ ଦେଇଥିଲେ। ଏଥିରେ କୁହାଯାଇଥିଲା ଯେ ଭାରତରେ ପ୍ରତି ୧୦୦ ସଂକ୍ରମଣ ମାମଲା ମଧ୍ୟରୁ ୨୩ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ବ୍ୟବସ୍ଥା କରିବାକୁ ପଡିବ।

ଦ ଇଣ୍ଡିଆନ ଏକ୍ସପ୍ରେସର ଏକ ରିପୋର୍ଟ ଅନୁସାରେ ଏହା ପୂର୍ବରୁ ନୀତି ଆୟୋଗ ତରଫରୁ ୨୦୨୦ ସେପ୍ଟେମ୍ବରରେ ଦ୍ୱିତୀୟ ଲହର ନେଇ ଗମ୍ଭୀର ରୋଗୀଙ୍କ ସମ୍ପର୍କରେ ଅନୁମାନ କରାଯାଇଥିଲା କିନ୍ତୁ ଏହି ସଂଖ୍ୟା ଅନୁମାନ ଠାରୁ ଅଧିକ ଥିଲା। ସେତେବେଳେ ନୀତି ଆୟୋଗ ତରଫରୁ କୁହାଯାଇଥିଲା ଯେ ଗମ୍ଭୀର/ମଧ୍ୟମ ଗମ୍ଭୀର ଲକ୍ଷଣ ବିଶିଷ୍ଟ ୨୦ ପ୍ରତିଶ୍ରତ ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିବ। କିନ୍ତୁ ହସ୍ପିଟାଲରେ ଭର୍ତ୍ତି ରୋଗୀଙ୍କ ସଂଖ୍ୟା ଏହାଠାରୁ ବହୁତ ଅଧିକ ଥିଲା।

କୋଭିଡ-୧୯ର ଦ୍ୱିତୀୟ ଲହରରେ କରୋନା ମାମଲା ଯେତେବେଳେ ଚରମ ସୀମାରେ ଥିଲାବେଳେ ଜୁନ ୧ ତାରିଖରେ ଯେତେବେଳେ ଦେଶରେ ଆକ୍ଟିଭ ମାମଲା ୧୮ ଲକ୍ଷ ଥିଲା ସେତେବେଳେ ୨୧.୭୪ ପ୍ରତିଶତ ମାମଲାରେ ଅଧିକାଂଶ ମାମଲାରେ ୧୦ ରାଜ୍ୟରେ ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଥିଲା। ଏଥିରୁ ୨.୨ ପ୍ରତିଶତ ରୋଗୀଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା।

ନୀତି ଆୟୋଗ କହିଛି ଯେ ଆହୁରି ସାଙ୍ଘାତିକ ପରିସ୍ଥିତି ପାଇଁ ଆମକୁ ପ୍ରସ୍ତୁତ ରହିବାକୁ ହେବ। ଦିନକୁ ୪ ରୁ ୫ ଲକ୍ଷ କରୋନା ମାମଲା ସାମ୍ନାକୁ ଆସିପାରେ ବୋଲି ଆୟୋଗ ଅନୁମାନ କରିଛି। ଆସନ୍ତା ମାସ ସୁଦ୍ଧା ୨ ଲକ୍ଷ ଆଇସିୟୁ ବେଡ଼ ପ୍ରସ୍ତୁତ କରାଯିବା ଉଚିତ ବୋଲି ଆୟୋଗ କହିଛି। ଭେଣ୍ଟିଲେଟର ସହ ୧.୨ ଲକ୍ଷ ଆଇସିୟୁ ବେଡ଼, ୭ ଲକ୍ଷ ବିନା ଆଇସିୟୁ ହସ୍ପିଟାଲ ବେଡ଼ ଓ ୧୦ ଲକ୍ଷ କୋଭିଡ ଆଇସୋଲେସନ କେୟାର ବେଡ଼ ପ୍ରସ୍ତୁତ ହେବା ଉଚିତ ବୋଲି ଆୟୋଗ କହିଛି।

୨୦୨୦ ସେପ୍ଟେମ୍ବରରେ ଦ୍ୱିତୀୟ ଲହରର କିଛି ମାସ ପୂର୍ବରୁ ଆୟୋଗ ଅନୁମାନ କରିଥଲା ଯେ ୧୦୦ ସଂକ୍ରମଣ ମାମଲା ମଧ୍ୟରୁ ୨୦ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିବ। ଏମାନଙ୍କ ମଧ୍ୟରୁ ୩ଜଣଙ୍କୁ ଆଇସିୟୁରେ ଭର୍ତ୍ତି କରିବାକୁ ପଡିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.