ନୂଆଦିଲ୍ଲୀ: ଉଚ୍ଚଶିକ୍ଷା ପାଇଁ କାନାଡ଼ା ଯାଉଥିବା ଭାରତୀୟ ଛାତ୍ରଙ୍କ ସଂଖ୍ୟାରେ ଗତ ୩ ବର୍ଷରେ ବଡ଼ ବୃଦ୍ଧି ହୋଇଛି। ୨୦୨୩ରେ ଏହା ସର୍ବାଧିକ ୪ ଲକ୍ଷ ୨୭ ହଜାର ଛାତ୍ର କାନାଡ଼ା ୟୁନିଭର୍ସିଟିଗୁଡ଼ିକରେ ନାମ ଲେଖାଇଛନ୍ତି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରମାଳୟ ରାଜ୍ୟସଭାରେ ସୂଚନା ଦେଇଛି।
ଉଚ୍ଚଶିକ୍ଷା ପାଇଁ କାନାଡ଼ା ୨୦୨୩ରେ ଭାରତୀୟ ଛାତ୍ରଙ୍କର ସବୁଠାରୁ ପସନ୍ଦର ଦେଶ ହୋଇଛି। ଏଠାରେ ମୋଟ ୪,୨୭,୦୮୫ ଛାତ୍ର ନାଁ ଲେଖାଇଥିବା ବେଳେ ତା ପଛକୁ ରହିଥିବା ଆମେରିକାରେ ୩,୫୧,୧୦୬ ଛାତ୍ର ନାଁ ଲେଖାଇଛନ୍ତି।
କେବଳ ଏହି ଦୁଇ ଦେଶ ନୁହେଁ ୟୁନାଇଟେଡ୍ ଆରବ ଏମିରାଟ୍ସରେ ମଧ୍ୟ ୨୦୨୩ରେ ୨,୪୭,୩୨୫ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବଳେ ତାଙ୍କ ପଛକୁ ଜର୍ମାନୀରେ ୨୪,୪୭୪, ଏବଂ ଋଷରେ ୨୫,୨୭୮ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି ଅଗଷ୍ଟ ୮ ତାରିଖରେ ରାଜ୍ୟସଭାରେ ଏହି ସୂଚନା ଦେଇଛି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ।
ସେହିପରି ଅଷ୍ଟ୍ରେଲିଆରେ ୧,୨୪,୮୨୯ ଛାତ୍ରଛାତ୍ରୀ ପାଠପଢ଼ୁଥିବା ବେଲେ ୟୁକେରେ ୧,୨୦,୦୦୦ ବିଦ୍ୟାର୍ଥୀ ପାଠପଢ଼ୁଛନ୍ତି। ଏଥିସହିତ କଜାଖସ୍ତାନରେ ୯,୭୮୫, କିରଗିସ୍ତାନରେ ୧୬,୫୦୦ ଏବଂ ଜର୍ଜିଆରେ ୧୬,୨୫୪ ଛାତ୍ରଛାତ୍ରୀ ପାଠ ପଢ଼ିଛନ୍ତି।
କାନାଡାରେ ପଢୁଥିବା ଭାରତୀୟ ଛାତ୍ରଙ୍କ ସଂଖ୍ୟା ସମ୍ପର୍କରେ ଜାଣିବାକୁ କଂଗ୍ରେସ ସାଂସଦ ରେଣୁକା ଚୌଧୁରୀ ପ୍ରଶ୍ନ କରିଥିଲେ। ଗୁରୁବାର ଦିନ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ (ମୋଏସ୍) କିର୍ତ୍ତୀ ବର୍ଦ୍ଧନ ସିଂ କହିଛନ୍ତି, “ଇମିଗ୍ରେସନ୍, ଶରଣାର୍ଥୀ ଏବଂ ନାଗରିକତ୍ୱ ୱେବସାଇଟରୁ (ଆଇଆରସିଟିସି) ମିଳିଥିବା ସୂଚନା ଅନୁଯାୟୀ କାନାଡାର ବିଶ୍ୱବିଦ୍ୟାଳୟରେ ଭାରତୀୟ ଛାତ୍ରଙ୍କ ଉପସ୍ଥିତି ଗତ ତିନି ବର୍ଷ ମଧ୍ୟରେ ବୃଦ୍ଧି ପାଇଛି।”
ଗତ ଫେବ୍ରୁଆରୀ ମାସରେ ସଂସଦରେ ଦିଆଯାଇଥିବା ତଥ୍ୟ ଅନୁସାରେ, ୨୦୧୮ରୁ ମୃତ୍ୟୁ ହୋଇଥିବା ୪୦୦ ଭାରତୀୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସର୍ବାଧିକ ୯୧ ଜଣ କାନାଡ଼ାରେ ମୃତ୍ୟୁ ହୋଇଥିଲା। ୨୦୨୩ରେ ମୋଟ ୧୩,୧୮,୯୫୫ ଛାତ୍ରଛାତ୍ରୀ ପାଠପଢ଼ିବାକୁ ବିଦେଶ ଯାଇଥିଲେ। ଏମାନେ ସମସ୍ତେ ୬୮ଟି ଦେଶରେ ପାଠପଢ଼ୁଥିଲେ। ଏହି ସଂଖ୍ୟା ଗତ ତିନିବର୍ଷ ମଧ୍ୟରେ ସର୍ବାଧିକ। ଗତ ୩ ବର୍ଷର ଡାଟା ଦେଖିଲେ ୨୦୨୧ ରେ ୧୧,୫୮,୭୦୨ ଛାତ୍ରଛାତ୍ରୀ ଏବଂ ୨୦୨୨ରେ ୯,୦୭,୪୦୪ ଜଣ ଛାତ୍ର ବିଦେଶ ଯାଇଥିଲେ।