କମାଗୁରୁ ଗାଁରେ ବ୍ୟାପୁଛି ଜଣ୍ଡିସ ; ୩୦ରୁ ଅଧିକ ଆକ୍ରାନ୍ତ
16/08/2018 at 8:07 AM

ଖୋର୍ଦ୍ଧା ୧୬/୮ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ କମାଗୁରୁ ଗାଁ ରେ ଜଣ୍ଡିସ କାୟା ବିସ୍ତାର କରୁଛି । ଡେଙ୍ଗୁ ପରେ ଏବେ ଜଣ୍ଡିସ ଡରାଇବା ଆରମ୍ଭ କରିଛି । କମାଗୁରୁ ଗାଁରେ ପ୍ରଦୂଷିତ ଜଳ ଏବଂ ଅସ୍ଵାସ୍ଥ୍ୟକର ପରିବେଶ ସାଙ୍ଗକୁ ଖାଦ୍ୟ ଏବେ ଜଣ୍ଡିସର ବାହକ ସାଜିଛି । ଜଣ୍ଡିସରେ ୩୦ ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବାବେଳେ ସରକାରୀ ଭାବେ ୮ ଜଣ ଜଣ୍ଡିସରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଦିନକୁ ଦିନ ଜଣ୍ଡିସ ରୋଗୀଙ୍କ ସଂଖ୍ୟା ବଢୁଛି । ଜଣ୍ଡିସ ରୋଗୀ ଭୟରେ ଗାଁ ଛାଡି ବିଭିନ୍ନ ଗାଁ ଓ ସମ୍ପର୍କୀୟଙ୍କ ଘରେ ଏବଂ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଖବର ପାଇ ପ୍ରଶାସନ ଓ ଡାକ୍ତରୀ ଟିମ୍ ଗାଁରେ ପହଞ୍ଚିଛନ୍ତି । ଟାଙ୍ଗୀ ମେଡିକାଲରୁ ଏକ ଡାକ୍ତରୀ ଟିମ୍ ଗାଁ ରେ ପହଞ୍ଚି ବ୍ୟବହୃତ ଜଳର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛନ୍ତି । ପ୍ରତି ଘରକୁ ପ୍ରତିଷେଧକ ଔଷଧ ବଣ୍ଟନ କରିଛନ୍ତି । ପରିସ୍ଥିତି ଏବେ ନିୟନ୍ତ୍ରଣରେ ଥିବା ଟାଙ୍ଗୀ ମେଡିକାଲ ଅଫିସର ସୂଚନା ଦେଇଛନ୍ତି ।